Floods Destroy Crops And Homes: ଚାଷୀ ଆଖିରେ ଲୁହ ଆଣିଛି ଉଜୁଡ଼ା ଚାଷ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅବସ୍ଥା ସଂଗୀନ
୨ ସପ୍ତାହରୁ ଅଧିକ ସମୟ ଧରି ଜଳବନ୍ଦୀ ଜୀବନ ଭିତରେ ବିଚରା ବିପନ୍ନଙ୍କ ଅବସ୍ଥାକୁ ଯିଏ ଆଜି ଆଖି ସାମ୍ନାରେ ଦେଖୁଛି, ତା’ଆଖିରୁ ଲୁହ ଗଡୁଛି। ପେଟରେ ଓଦା କନା ଦେଇ ଚାଷୀ ବାପୁଡ଼ା ଆଜି ଜୀବନକୁ ଧରି ବସିଛି। ସହାୟତା କଥା ଦୂରେ ଥାଉ, ବିପନ୍ନଙ୍କ ପ୍ରତି ସମବେଦନା ଟିକକ ବି ମିଳୁନଥିବାରୁ ଆଖିରେ ଲୁହ ଆଉ ମନରେ କ୍ଷୋଭ ଭିତରେ ବଞ୍ଚିଛନ୍ତି ଶହ ଶହ ପରିବାର। ଆଜି ମଣିଷ କାନ୍ଦୁଛି, ଗାଇ ଗୋରୁଙ୍କ ଆଖିରୁ ବି ଲୁହ ଝରୁଛି। ଦିନେ ଯେଉଁ ଘରେ ନିଜ ନିଜର ସୁଖଦୁଃଖକୁ ଛାତିରେ ଜାବୁଡ଼ି ଜୀବନ ଜୀଉଁଥିଲା ଗରିବ ଲୋକଟିଏ, ସେହି ମଣିଷର ବାସଘରକୁ ବନ୍ୟା ଛଡ଼ାଇ ନେବା ପରେ ଆଉ ବା କି ଚାରା ଅଛି। ପଲିଥିନ୍ ତଳେ ଦିନ କଟୁଛି, ମଶା ଡାଆଁଶ ସହ ନାନା ସରୀସୃପ ଭିତରେ ଜୀବନ କଟୁଛି। ଆଉ ପଚାରିଲେ ଭଗବାନଙ୍କ ହାତରେ ସବୁକିଛିକୁ ଛାଡ଼ିଦେଇଥିବା କହିଛନ୍ତି ବିପନ୍ନ।
ଭଦ୍ରକ ଚାନ୍ଦବାଲି ପାରଡ଼ିଆ ଗାଁରେ ଏବେ ବି ଦେଖିବାକୁ ମିଳୁଛି ବନ୍ୟା ବେଦନାର କାହାଣୀ। ଯେଉଁଠି ଆଖି ଆଗରେ ନାଚି ଉଠୁଥିଲା ବିପର୍ଯ୍ୟୟ ପରର ସାଂଘାତିକ ଦୃଶ୍ୟ। କେଉଁ ଚାଳ ଘର ମାଟିରେ ଲୋଟିପଡ଼ିଛି ତ ଆଉ କେଉଁ କୁଡ଼ିଆ ଘରର କାନ୍ଥ ଧସିଯାଇଛି। ତଥାପି ଜୀବନ ଜୀଇଁବାର ଲୋଭ ଆଉ ପୋଡ଼ି ଯାଉଥିବା ପେଟକୁ ଦାନା ଦି’ମୁଠା ପାଇଁ ପଲିଥିନ ତଳେ ବସିଥିଲା ହାଣ୍ଡି, ଫୁଟୁଥିଲା ପର ହାତ ଟେକାରେ ମିଳିଥିବା ଚାଉଳ। ମଣିଷ ହୁଅନ୍ତୁ ଅବା ଗୃହ ପାଳିତ ପଶୁ, ବନ୍ୟା ବିପର୍ଯ୍ୟୟର ବେଦନା ଭିତରେ ଏକାକାର ସମସ୍ତେ।
ଆଜିକୁ ୧୫ ଦିନ ହେଲା, ଚାଷ ବୁଡ଼ିଛି, ବାସ ଭାସିଛି। ଚୁଲିରୁ ଚାଳ ଯାଏଁ ବରବାଦ ହୋଇଯାଇଛି। ଭଦ୍ରକ ଜିଲ୍ଲା ସୁନ୍ଦରପୁରରେ ଆମ ପ୍ରତିନିଧି ଯେତେବେଳେ ପହଞ୍ଚିଥିଲେ, ସେଇଠି ଉଜୁଡ଼ା ଫସଲକୁ ଦେଖାଇ କ୍ଷୋଭ ଝାଡୁଥିଲେ କ୍ଷତିଗ୍ରସ୍ତ ଚାଷୀ, ପଚାସଢ଼ା ଧାନ ତଳିକୁ ଦେଖାଇ ଭାଙ୍ଗିପଡୁଥିଲେ ଅନ୍ନଦାତା। କାରଣ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ମାଡ଼ରେ ଭଦ୍ରକ, ଚାନ୍ଦବାଲି, ଆରଡ଼ି, ତିହିଡ଼ି, ଧୁସୁରି, ଭଣ୍ଡାରିପୋଖରୀ, ଧାମନଗର ଆଦି ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ିରହିଛି। ବନ୍ୟା ପାଣି ଯେତେ ଯେତେ ଖସୁଛି, ଯାଜପୁର ଜିଲ୍ଲାରେ ସେତିକି ବାରି ହେଉଛି ଦୁର୍ଦ୍ଦଶାର ଚିତ୍ର। ଢୋବାବିଲ ଅଞ୍ଚଳରେ ନଦୀ ସାଜିଥିଲା ବିପଦ, ସେଇଠି ବନ୍ଧୁ ସାଜିଛି ବନ୍ଧ। କାଣୀ ନଦୀର ଦ୍ୱିତୀୟ ଘାଇ ମରାମତି ହୋଇପାରୁନଥିବାରୁ ଆଜି ବି ସୁଅ ମୁହଁରେ ବିପନ୍ନ, ବନ୍ଧ ଉପରେ କଟୁଛି ଜୀବନ।
କେବଳ ଭଦ୍ରକ କି ଯାଜପୁର ଜିଲ୍ଲାର କଥା ନୁହେଁ, ଗତ ୧୫ ଦିନ ଭିତରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି ବର୍ଷା ସହ ବନ୍ୟାରେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ତଥ୍ୟ କହୁଛି, ୧୫୪ ବ୍ଲକର ୮୭୯ଟି ପଞ୍ଚାୟତ ଓ ୨୮୫୫ଟି ଗାଁ କ୍ଷତିଗ୍ରସ୍ତ ହୋଇଛି। ୭୯ ହଜାର ୮୨୪ ହେକ୍ଟର ଚାଷ ଜମି ଏବଂ ୫୦୪୪ ଘର କ୍ଷତିଗ୍ରସ୍ତ ହୋଇଛି। ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବା ସହ ପରିବା ଚାଷୀଙ୍କ ପାଇଁ ବି ଅଧିକ ସହାୟତା ପ୍ରଦାନ କରାଯିବ। ସେହିପରି କୃଷି, ସମବାୟ, ପଶୁସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ସହ ଡାଟା ବେସ୍ ପ୍ରସ୍ତୁତି ପରେ ନିୟମ ଅନୁଯାୟୀ କ୍ଷତିପୂରଣ ବି ପ୍ରଦାନ କରାଯିବ। ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ ବୋଲି କହିଛନ୍ତି ମନ୍ତ୍ରୀ।
ଆଜିକୁ ୧୫ ଦିନ ବିତିଗଲା, ନା ଛାଡୁଛି ବର୍ଷା, ନା ସୁଧୁରୁଛି ବିପନ୍ନଙ୍କ ଅବସ୍ଥା। ଫଳରେ ଏହି ଗରିବ ଗୁରୁବାଙ୍କ ପାଇଁ ଏବେ ଏକମାତ୍ର ସାହା ଭରସା, ସରକାରୀ ସହାୟତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।