Odisha Farmers Struggle With Registration: ଚାଷୀ ପଞ୍ଜୀକରଣକୁ କଲମ-୨ ଅଡୁଆ, ରେଜିଷ୍ଟ୍ରେସନ ବେଳେ ଚାଷୀ ଭୋଗୁଛନ୍ତି ସମସ୍ୟା
ସୁବର୍ଣ୍ଣପୁର ଜିଲ୍ଲାର ବିଶିପଡ଼ା ସେବା ସମବାୟ ସମିତି। ଯେଉଁଠି ଏବେ ଜମୁଛି ଚାଷୀଙ୍କ ଭିଡ଼। ଏ ଭିଡ଼ ଚାଷୀ ପଞ୍ଜୀକରଣ ଲାଗି। ତେବେ ଚଳିତ ବର୍ଷ ପଞ୍ଜୀକରଣ ପ୍ରକ୍ରିୟାରେ ଆଗ୍ରିଷ୍ଟାକ୍ ଆଇଡି ବ୍ୟବସ୍ଥା ସାମିଲ କରାଯିବା ପରେ ଉପୁଜିଛି ଏଭଳି ସ୍ଥିତି। ଚାଷୀମାନଙ୍କ ଅଭିଯୋଗ ହେଲା, ଆଗ୍ରିଷ୍ଟାକ୍ ଆଇଡି ଜେନେରସନ୍ ପାଇଁ ସେମାନଙ୍କୁ ବାରମ୍ବାର ସେବା ସମବାୟ ସମିତି ଅଫିସ୍ ଧାଇଁବାକୁ ପଡୁଛି। ଉଣା ଅଧିକ ସମାନ ସ୍ଥିତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଆଙ୍କୋରଡ଼ା ଗାଁରେ। ଏଠି ବି ପଞ୍ଜୀକରଣ ବେଳେ ହଇରାଣ ହେଉଛନ୍ତି ଚାଷୀ। ମୂଳ ସମସ୍ୟା ହେଉଛି ନିଜସ୍ବ ଜମି ପଟ୍ଟା। ଯଦିଓ ଧାନ ପଞ୍ଜୀକରଣ ବେଳେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହଁ ବୋଲି ସରକାର କହିଛନ୍ତି, ତଥାପି କଲମ-2 କୁ ନେଇ ଏବେବି ଚାଷୀଙ୍କ ଭିତରେ ରହିଛି ଦ୍ବନ୍ଦ୍ବ।
ଏବେ ଆସନ୍ତୁ ଜାଣିବା କଣ ଏହି କଲମ-ଟୁ, ଯାହାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ। ଜମିବାଡ଼ିର ମାଲିକାନା ସତ୍ତ୍ୱ ଆଇନଗତ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର ଏବଂ ସଂଶୋଧିତ ତାଲିକାରେ ନୂଆ ଉତ୍ତର ପିଢ଼ିଙ୍କ ନାଁରେ ହେବା ପ୍ରକ୍ରିୟାକୁ କଲମ୍-ଟୁ ସଂଶୋଧନ କୁହାଯାଏ। ବାପା-ମାଆଙ୍କ ନାଁରୁ ସେମାନଙ୍କ ପୁଅ-ଝିଅଙ୍କ ନାଁକୁ ଜମିବାଡ଼ିର ମାଲିକାନା ସତ୍ତ୍ୱ ହସ୍ତାନ୍ତର କିମ୍ବା ଆଇନଗତ ଭାବେ ଅଧିକୃତ ବ୍ୟକ୍ତିଙ୍କୁ ଜମି ସ୍ୱତ୍ୱାଧିକାର ସ୍ଥାନାନ୍ତର ଏହି ପ୍ରକ୍ରିୟାର ଅଂଶ। ଏଥିପାଇଁ ସରକାରଙ୍କର ବିଧି ବ୍ୟବସ୍ଥା ରହିଛି। ଆବେଦନକାରୀ ପ୍ରଥମେ ରାଜସ୍ୱ ନିରୀକ୍ଷକ ବା RIଙ୍କ ଅଫିସରେ ଆବଶ୍ୟକ କାଗଜପତ୍ର ଓ ପ୍ରମାଣ ଦାଖଲ କରି ଆବେଦନ କରିବେ। ପରେ RI, ଆବେଦନକାରୀଙ୍କ ଘରକୁ ଯାଇ ଯାଞ୍ଚ କରିବେ। ଏଥିରେ RI ସନ୍ତୁଷ୍ଟ ହେଲେ ମାମଲାକୁ ପୋର୍ଟାଲ୍ ରେ ଏଣ୍ଟ୍ରି କରାଯିବ। ଏହା ପରେ ମାମଲା ତହସିଲଦାରଙ୍କ ନିକଟକୁ ଯିବ। ସମସ୍ତ ଉତ୍ତରାଧିକାରୀମାନଙ୍କୁ ତହସିଲ ଅଫିସରେ ଧାର୍ଯ୍ୟ ତାରିଖରେ ଉପସ୍ଥିତ ରହିବାକୁ ପଡ଼ିବ। ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ପୁନଃ ଯାଞ୍ଚ ପରେ ୧୫ ଦିନିଆ ନୋଟିସ୍ ଜାରି କରାଯାଏ । କାହାର କୌଣସି ଆପତ୍ତି ଅଭିଯୋଗ ଥିଲେ, ଏହି ସମୟ ମଧ୍ୟରେ ଦାଖଲ କରିପାରିବେ। ନୋଟିସ୍ ଅବଧି ସରିବା ପରେ ତହସିଲଦାର ନୂଆ ସଂଶୋଧିତ ତାଲିକା ଜାରି କରିବେ। ସେଥିରେ ଉତ୍ତରପିଢ଼ିର ଦାୟାଦଙ୍କ ନାଁ ଜମିପଟ୍ଟାରେ ପ୍ରତିଫଳିତ ହେବ। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ପାଇଁ ପ୍ରାୟ ଏକ ମାସ ସମୟ ଲାଗିଥାଏ।
ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କଲମ ଟୁ ସଂଶୋଧନ ପ୍ରକ୍ରିୟା ନୂଆ ସରକାର ଆସିବା ପରେ ଆରମ୍ଭ ହେଲା। ତଥ୍ୟ ଅନୁସାରେ ରାଜ୍ୟରେ ୧ କୋଟି ୭୧ ଲକ୍ଷ ଜମି ମାଲିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟିର ଅଧିକ ଜମି ମାଲିକଙ୍କର କରେକ୍ସନ ସରିଗଲାଣି। ହିନ୍ଦୁ ସକ୍ସେସନ ଆକ୍ଟରେ ଉତ୍ତରାଧିକାରୀ ଅତି ସହଜ। କିନ୍ତୁ ଓଡ଼ିଶାରେ ୨୪ ପ୍ରତିଶତ ଜନଜାତି ସଂପ୍ରଦାୟର ଲୋକ ଅଛନ୍ତି, ଯେଉଁମାନଙ୍କର ଉତ୍ତରାଧିକାରୀ ସତ୍ବ ନିଜସ୍ୱ ପରଂପରା ଦ୍ୱାରା ପରିଚାଳିତ ହୋଇଥାଏ। ସେମାନଙ୍କ ଉତ୍ତରାଧିକାରୀ ପଦ୍ଧତି ଉପରେ ଅଧ୍ୟୟନ କରାଯାଉଛି। ଏଥିପାଇଁ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ | ତହସିଲଦରମାନଙ୍କୁ ଏବାବଦରେ ଟ୍ରେନିଂ ଦିଆଯିବ। ଯେଉଁମାନଙ୍କର କଲମ୍-ଟୁ ସଂଶୋଧନ ହୋଇନାହିଁ ସେମାନେ ରାଜସ୍ବ ବିଭାଗକୁ ଲିଖିତ ଭାବେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।