Food Adulteration Checks ଖାଦ୍ୟ ଅପମିଶ୍ରଣ ଚଢ଼ାଉ: ୨୯ ମାସରେ କେବଳ ୬୫ ମାମଲା
"ରାଉରକେଲା: ରାଉରକେଲା ମହାନଗର ନିଗମ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ, ଶିଥିଳ ପଡ଼ିଯାଇଛି।
ଖୁଚୁରା ଦୋକାନୀଠାରୁ ଆରମ୍ଭ କରି ନାମୀଦାମୀ ଖାଦ୍ୟପେୟ ଦୋକାନ ପର୍ଯ୍ୟନ୍ତ, ସବୁଠାରେ ବାସି ଓ ଭେଜାଲ ଖାଦ୍ୟ ପରଷାଯିବା ନିତିଦିନିଆ ହେଲାଣି।
ନିୟମିତ ଭାବେ ଯାଞ୍ଚ କରାଯାଉନଥିବାରୁ ଦୋକାନୀଙ୍କ ମନମାନି ବୃଦ୍ଧି ପାଇବାରେ ଲାଗିଛି।
ଗତ ୨୯ ମାସ, ଅର୍ଥାତ୍ ୨୦୨୪ ଏପ୍ରିଲ ମାସରୁ ୨୦୨୬ ଅଗଷ୍ଟ ମଧ୍ୟରେ ଜିଲ୍ଲାରେ ମୋଟ ୮୭୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି।
ସେହିଭଳି ବଜାର ଉପରେ ନଜର ରଖିବା ପାଇଁ ୩,୨୪୮ଟି ପର୍ଯ୍ୟବେକ୍ଷଣ ନମୁନା ସଂଗ୍ରହ କରାଯାଇଥିଲା।
ତେବେ ଏତେ ବଡ଼ ଜିଲ୍ଲାରେ ଏହି ସମୟ ମଧ୍ୟରେ ମାତ୍ର ୪,୦୪୮ କେଜି ଅପମିଶ୍ରିତ ବା ଖରାପ ଖାଦ୍ୟ ନଷ୍ଟ କରାଯାଇଛି।
ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ୍ ୮ ଲକ୍ଷ ୨୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୬୫ଟି ମାମଲା ରୁଜୁ ହୋଇଛି।
ଅର୍ଥାତ୍ ଜିଲ୍ଲାରେ ମାସକୁ ହାରାହାରି ମାତ୍ର ୨.୨ଟି ମାମଲା ରୁଜୁ କରାଯାଇଛି।Advertisment Dr Mukesh Mahaling: ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଶେଷ କରି ରାଉରକେଲା ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ ହୋଇ ଦିଶୁଛି।
କେବଳ ପାର୍ବଣ ସମୟରେ ଲୋକଦେଖାଣିଆ ଯାଞ୍ଚ କରାଯାଉଥିବା ବେଳେ ବାକି ସମୟରେ ଚୁପ୍ ବସିଛନ୍ତି।
ଆର୍ଏମ୍ସି ଅନ୍ତର୍ଗତ ଅଞ୍ଚଳରେ ଗତ ୨୯ ମାସରେ ମୋଟ୍ ୪୮୯ଟି ନମୁନା ସଂଗ୍ରହ କରାଯାଇଥିବା ୧୮୨୬ଟି ପର୍ଯ୍ୟବେକ୍ଷଣ ନମୁନା ସଂଗ୍ରହ କରାଯାଇଥିଲା।
ଏହାସହ ୨୪୮ କେଜି ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଥିବାବେଳେ ୨ ଲକ୍ଷ ୭୪ ହଜାର ୧ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏହାସହ କେବଳ ୩୨ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୩୮୧ଟି ନମୁନା ଓ ୧୪୨୨ଟି ପର୍ଯ୍ୟବେକ୍ଷଣ ନମୁନା ସଂଗୃହୀତ ହୋଇଥିବାବେଳେ ୩୮ କ୍ବିଣ୍ଟାଲ ଅପମିଶ୍ରିତ/ବାସି ଖାଦ୍ୟ ନଷ୍ଟ କରାଯାଇଥିଲା।
ମୋଟ୍ ୩୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୫ ଲକ୍ଷ ୪୬ ହଜାର ୯ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଅସାଧୁ ବ୍ୟବସାୟୀଙ୍କ ପାଇଁ ଏହି ସାମାନ୍ୟ ଜରିମାନା କୌଣସି ଭୟ ସୃଷ୍ଟି କରିପାରୁନାହିଁ।
ବିଭାଗୀୟ ଚଢ଼ଉ କେବଳ ଔପଚାରିକତାରେ ସୀମିତ ରହୁଥିବାରୁ ଅସାଧୁ ଦୋକାନୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳିଚାଲିଛନ୍ତି।
ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇ ଖାଦ୍ୟ ଯାଞ୍ଚକୁ ବ୍ୟାପକ କରିବା ସହ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।