Food Safety Horror: ୫-ଷ୍ଟାର୍ ହୋଟେଲରେ ଏକ୍ସପାୟାରି ଖାଦ୍ୟ, ରେଡ୍ ବେଳେ ମିଳିଲା ବାସି ମାଛ ଓ ମାଂସ

Aug 08, 2026 - 14:30
Food Safety Horror: ୫-ଷ୍ଟାର୍ ହୋଟେଲରେ ଏକ୍ସପାୟାରି ଖାଦ୍ୟ, ରେଡ୍ ବେଳେ ମିଳିଲା ବାସି ମାଛ ଓ ମାଂସ

ବେଙ୍ଗାଲୁରୁର ନାମୀଦାମୀ ହୋଟେଲଗୁଡ଼ିକରେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ରାଜ୍ୟର ଫୁଡ୍ ସେଫ୍ଟି ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ କିଛି ୩-ଷ୍ଟାର୍ ଓ ୫-ଷ୍ଟାର୍ ହୋଟେଲରେ ଏକ୍ସପାୟାରି ଖାଦ୍ୟ, ଫିମ୍ପି ଲାଗିଥିବା ପରିବା ଏବଂ ଅସ୍ୱଚ୍ଛ ପରିବେଶରେ ରୋଷେଇ ଓ ଷ୍ଟୋରେଜ୍ ବ୍ୟବସ୍ଥା ଦେଖିବାକୁ ମିଳିଛି। 

୨୬ଟି ହୋଟେଲରେ ଚଢ଼ାଉ

ଅଗଷ୍ଟ ୭ରେ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ୩୦ଟି ଫୁଡ୍ ସେଫ୍ଟି ଟିମ୍ ଏହି ଯାଞ୍ଚ ଅଭିଯାନ ଚଳାଇଥିଲେ। ମୋଟ ୨୬ଟି ୩-ଷ୍ଟାର୍ ଓ ୫-ଷ୍ଟାର୍ ହୋଟେଲ ଯାଞ୍ଚ କରାଯାଇଥିଲା। ଏହି ସମୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ୩୫ଟି ନମୁନା ସଂଗ୍ରହ କରି ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। 

ଯାଞ୍ଚ ସମୟରେ ଅଧିକାରୀମାନେ ଏକ୍ସପାୟାରି ହୋଇଥିବା କ୍ଷୀର ଓ ଅନ୍ୟ କ୍ଷୀରଜାତ ସାମଗ୍ରୀ, ଖରାପ ଓ ଫିମ୍ପି ଲାଗିଥିବା ପରିବା, ଏକ୍ସପାୟାରି ସାମଗ୍ରୀ, ଅଧିକ ଦିନ ଧରି ରହିଥିବା ମାଂସ, ଚିକେନ୍ ଓ ମାଛ ଦେଖିବାକୁ ପାଇଥିଲେ।   

ଏପରିକି ନିରାମିଷ ଓ ଆମିଷ ଖାଦ୍ୟକୁ ଏକାଠି ରଖାଯାଇଥିଲା। ଭୁଲ୍ ଲେବେଲିଂ ଏବଂ ଫୁଡ୍ ମିସ୍‌ବ୍ରାଣ୍ଡିଂ ହୋଇଥିବା ଜଣାପଡ଼ିଥିଲା। ଏହି ହୋଟେଲଗୁଡିକ FSSAIର ବାଧ୍ୟତାମୂଳକ ଲେବେଲିଂ ନିୟମର ଉଲ୍ଲଂଘନ କରିଥିବା ଭଳି ଅନିୟମିତତା ସାମ୍ନାକୁ ଆସିଛି। 

କିଛି ପ୍ରମୁଖ ହୋଟେଲରୁ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଦି ଲଳିତ ଅଶୋକରୁ ୭୬ କିଲୋ ମାଂସ ଓ ୨୦୦ କିଲୋ ପରିବା ଜବତ ହୋଇଥିବା ବେଳେ ୩୨ ଲିଟର ଏକ୍ସପାୟାରି କ୍ଷୀର ନଷ୍ଟ କରାଯାଇଛି। ଶାଙ୍ଗରୀ-ଲା ବେଙ୍ଗାଲୁରୁରୁ ୧୫ କିଲୋ ମାଂସ ଏବଂ ଫୋର ସିଜିନ୍ସ ହୋଟେଲ ବେଙ୍ଗାଲୁରୁରୁ ୧୯ କିଲୋ ମାଂସ ଜବତ ହୋଇଛି। ସେହିପରି ବିବାନ୍ତ ବେଙ୍ଗାଲୁରୁ ହ୍ୱାଇଟ୍‌ଫିଲ୍ଡରୁ ୩ କିଲୋ ଏକ୍ସପାୟାରି ବେକେରୀ ସାମଗ୍ରୀ ଏବଂ ତାଜ ୟଶୱନ୍ତପୁରରୁ ୭୨ କିଲୋ ମାଂସ ଜବତ ହୋଇଛି। 

ଅଧିକାରୀମାନେ କ୍ଷୀର, ଚିକେନ୍, ମଟନ୍, ମାଛ, ଖାଇବା ତେଲ, ମସଲା, ଚା' ପତି, ଚିଜ୍, ଟମାଟୋ ସସ୍, ଲେମ୍ବୁ ରସ ଆଦିର ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନାର ଲାବରେଟୋରୀ ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ଆହୁରି କଠୋର ପଦକ୍ଷେପ ନିଆଯିବ। ଯେଉଁ ହୋଟେଲରେ ନିୟମ ଉଲ୍ଲଂଘନ ମିଳିଛି, ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।