Four Assailants Open Fire: ଗୁଳିମାଡ଼ କରି ହତ୍ୟା, CCTVରେ କଏଦ ହେଲା ପୂରା ଘଟଣା

Oct 13, 2026 - 19:58
Four Assailants Open Fire: ଗୁଳିମାଡ଼ କରି ହତ୍ୟା, CCTVରେ କଏଦ ହେଲା ପୂରା ଘଟଣା

ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି। ଏହି ଘଟଣା ଦିଲ୍ଲୀର ବାହ୍ୟ ଅଞ୍ଚଳ ରଣହୋଲାରେ ଘଟିଛି। ମୃତକଙ୍କ ନାମ ମୋସିନ ଖାନ୍‌। ତାଙ୍କ ବିରୋଧରେ ପ୍ରାୟ ୧୪ଟି ଅପରାଧିକ ମାମଲା ରହିଥିବା ପୁଲିସ କହିଛି। ଏହି ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଦୁଇଟି ବାଇକ୍‌ରେ ଆସିଲେ ୪ ଆକ୍ରମଣକାରୀ

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ, ମୋସିନ ଏକ ଘର ନିକଟରେ ନିଜ ମୋଟରସାଇକେଲ୍ ଅଟକାଇଥିଲେ। ଏହି ସମୟରେ ଦୁଇଟି ମୋଟରସାଇକେଲ୍‌ରେ ଚାରି ଜଣ ଆକ୍ରମଣକାରୀ ସେଠାରେ ପହଞ୍ଚିଥିଲେ। ସେମାନେ ମୋସିନଙ୍କ ନିକଟକୁ ଯାଇଥିଲେ। ଜଣେ ପଛପଟୁ ଗୁଳି ଚଳାଇଥିଲା। ଏହାପରେ ଅନ୍ୟ ଆକ୍ରମଣକାରୀମାନେ ମଧ୍ୟ ତାଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ହସ୍ପିଟାଲରେ ମୃତ ଘୋଷଣା

ପୁଲିସର ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୫ଟା ୩୦ ମିନିଟ୍‌ରେ ଗୁଳିମାଡ଼ରେ ଆହତ ମୋସିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୋସିନ ବିକାଶ ନଗରର କମାଣ୍ଡର ଛକ ଅଞ୍ଚଳର ବାସିନ୍ଦା ଥିଲେ। ସେ ରଣହୋଲା ଥାନାର ଜଣେ ଘୋଷିତ ଅପରାଧୀ (Bad Character) ଥିବା ପୁଲିସ କହିଛି।

ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି

ଏହି ଘଟଣାକୁ ନେଇ ରଣହୋଲା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ମୋସିନଙ୍କୁ କାହିଁକି ହତ୍ୟା କରାଗଲା ଏବଂ ଏହା ପଛରେ କ’ଣ କାରଣ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।