Lower PMG Dharna Site Relocation Debate: ଯନ୍ତରମନ୍ତରରେ ଆନ୍ଦୋଳନ ବନ୍ଦ, ଲୋୟର ପିଏମଜିରେ କେବେ; ସମସ୍ୟା ଭୋଗୁଛନ୍ତି ଲୋକେ
ଭୁବନେଶ୍ବର ଲୋୟରପିଏମଜିରେ ବନ୍ଦ ହେବ କି ଆନ୍ଦୋଳନ ? ଯନ୍ତରମନ୍ତର ଭଳି ଗାନ୍ଧୀମାର୍ଗରୁ ଧାରଣାସ୍ଥଳ ସ୍ଥାନାନ୍ତର କରିବେ କି ରାଜ୍ୟ ସରକାର ? ନୂଆଦିଲ୍ଲୀ ଘଟଣା ପରେ ଏବେ ଚର୍ଚ୍ଚାକୁ ଆସିଛି ଲୋୟର ପିଏମଜି । ରାଜଧାନୀ ଛାତିରେ ରାସ୍ତା ଉପରେ ଚାଲୁଥିବା ପ୍ରୋଟେଷ୍ଟକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି। ସେପଟେ ନଗର ଉନ୍ନୟନମନ୍ତ୍ରୀ କହିଛନ୍ତି, ବିଚାର କରି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ହଜାର ହଜାର ଆନ୍ଦୋଳକାରୀ। କେବେ ଦିନରେ ଗର୍ଜୁଛନ୍ତି, କେବେ ରାତିରେ ରାଜରାସ୍ତାରେ ଶୋଉଛନ୍ତି। ପୁଣି ମାସ ମାସ ଧରି ଟେଣ୍ଟ ଟାଣି ଧାରଣା ଦେଉଛନ୍ତି। ମାଇକ୍ ବାଜି ବିକ୍ଷୋଭ ଚାଲୁଛି, ହୋହଲ୍ଲାରେ ଅଞ୍ଚଳ କମ୍ପୁଛି। କେତେବେଳେ ପାଣିମାଡ଼, ଆଉ କେତେବେଳେ ଲାଠି ଚାର୍ଜ। କେଉଁ ଖୋଲା ପଡ଼ିଆ ନୁହେଁ, ଖୋଦ୍ ରାଜଧାନୀର ଛାତି ଉପରେ। ମାଳମାଳ ଦାବି ଧରି ରାଜ୍ୟକୁ ଦୋହଲାଉ ଥିବା ଲୋୟର ପିଏମଜି ବା ଗାନ୍ଧୀମାର୍ଗ ବିରୋଧରେ ଏବେ ଉଠିଛି ଦାବି।
ନୂଆଦିଲ୍ଲୀ ଯନ୍ତରମନ୍ତରରେ ଆନ୍ଦୋଳନ ମନା ହେବାପରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ବି ପ୍ରୋଟେଷ୍ଟ ବ୍ୟାନ୍ କରିବାକୁ ଉଠିଛି ସ୍ବର। ଯୁକ୍ତି ବି ବେଶ୍ ବଳିଷ୍ଠ । ଇଏ ବରିଷ୍ଠ ସାମ୍ବାଦିକ କେ ରବି। ଗାନ୍ଧୀମାର୍ଗରେ ଏକ ସରକାରୀ କ୍ବାର୍ଟରରେ ରୁହନ୍ତି।
ତେବେ କାହିଁକି ଲୋୟର ପିଏମଜିକୁ ସଟଆଉଟ୍ କରିବାକୁ ଉଠୁଛି ଦାବି ? ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଯୋଗୁଁ କଣ ହେଉଛି ସମସ୍ୟା ? ସବୁଠୁ ବଡ଼କଥା ହେଲା, ରାଜଧାନୀର ପ୍ରମୁଖ ଏବଂ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଛିଡ଼ା ହୋଇଛି ସମାବେଶସ୍ଥଳ। ଯାହା ଭୁବନେଶ୍ବର ଷ୍ଟେସନ ସହିତ ଏୟାରପୋର୍ଟ, କ୍ୟାପିଟାଲ ହସ୍ପିଟାଲ, ବିଧାନସଭା, ଲୋକଭବନ ଆଦି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସଂଯୋଗ କରୁଛି।
ଏହା ଏକ ଆବାସିକ ଅଂଚଳ ମଧ୍ୟ। ବାଚସ୍ପତି, ମନ୍ତ୍ରୀ, ବିଧାୟକ ଓ ଅନେକ ବରିଷ୍ଠ ଅଧିକାରୀଙ୍କ କାର୍ଟର୍ସ ରହିଛି ଏଠାରେ। ବର୍ଷସାରା ଆନ୍ଦୋଳନ ଯୋଗୁଁ ଅନେକ ସମୟରେ ରାସ୍ତାକୁ ବନ୍ଦ କରିଦିଆଯାଉଛି। ଫଳରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂଗୀନ ହୋଇଯାଉଛି ଟ୍ରାଫିକ୍ ସ୍ଥିତି। ଆମ୍ବୁଲାନ୍ସ, ସ୍କୁଲ୍ ଛାତ୍ରଛାତ୍ରୀ ମଧ୍ୟ ସମସ୍ୟା ଭୋଗୁଛନ୍ତି ।
ସୂଚନା ଅନୁସାରେ, ୨୦୦୫ ମସିହାରେ ଲୋୟର ପିଏମଜିରେ ଧାରଣା ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ତତ୍କାଳୀନ ସରକାର ମଧ୍ୟ ସମସ୍ୟାକୁ ସ୍ବୀକାର କରି ସମାବେଶସ୍ଥଳ ବଦଳାଇବାକୁ ସତ୍ୟପାଠ ଦାଖଲ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଇନି।
ଯଦି ଲୋୟର୍ ପିଏମଜିରେ ଆନ୍ଦୋଳନ ଉପରେ କଟକଣା ଲଗାଯାଏ ତାହେଲେ କଣ ରହିବ ବିକଳ୍ପ? ନୂଆଦିଲ୍ଲୀରେ ତିନିଟି ବିକଳ୍ପ ସ୍ଥାନ ଭଳି ଭୁବନେଶ୍ବରରେ କେଉଁ କେଉଁ ସ୍ଥାନ ସାଜିପାରେ ଧାରଣା ସ୍ଥଳ? ସିଟି ଭିତରେ ନା ବାହାରେ ମିଳିବ ଅନୁମତି ? ଭୁବନେଶ୍ବର ଉପରେ ନଜର ପକାଇଲେ ୟୁନିଟ୍-3 ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ବିଶାଳ ଓ ଖୋଲା।
ଏପଟେ ବରମୁଣ୍ଡା ଗ୍ରାଉଣ୍ଡ ଥିଲେ ବି ବସଷ୍ଟାଣ୍ଡ ଓ ଏନଏଚ୍ ଯୋଗୁ ଜାମ୍ ସ୍ଥିତି ଉପୁଜିପାରେ। ଭୁବନେଶ୍ବର ବାହାରେ ମଧ୍ୟ କୌଣସି ସ୍ଥାନକୁ ବିକଳ୍ପ ଭାବେ ନିଆଯାଇପାରେ। ଏପଟେ ନଗରଉନ୍ନୟନ ମନ୍ତ୍ରୀ କହିଛନ୍ତି, ଧାରଣା ନାଁରେ ସାଧାରଣ ଲୋକଙ୍କ ନୀତିଗତ କାର୍ଯ୍ୟରେ ବାଧାସୃଷ୍ଟି କରିହେବନି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଦୀର୍ଘ ଦଶନ୍ଧି ଧରି ଭୁବନେଶ୍ୱରର ଏକ ପାରମ୍ପରିକ ଏବଂ ଐତିହାସିକ ପ୍ରତିବାଦ ସ୍ଥଳ ଭାବରେ ସ୍ୱୀକୃତି ପାଇଛି ଲୋୟର ପିଏମଜି। ଆଗାମୀ ଦିନରେ ସମାନ ପରିଚୟରେ ଗାନ୍ଧୀମାର୍ଗ ରହିବ ନା ସମାବେଶସ୍ଥଳ ଠିକଣା ବଦଳିବ ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।