Four Simple Yoga Asanas Reduce Fatigue: ସାରାଦିନ ଥକା ଓ ଅଳସୁଆ ଲାଗୁଛି କି? ଏହି ଯୋଗାସନ ଶରୀରକୁ ସତେଜ ରଖିବ
ଖାଦ୍ୟପାନୀୟ ଠିକ୍ ଥିଲେ ମଧ୍ୟ ସାରାଦିନ ଥକା, ଅଳସୁଆ ଓ ଦୁର୍ବଳିଆ ଲାଗୁଛି କି? ଦୀର୍ଘ ସମୟ ଧରି ଏପରି ସମସ୍ୟା ରହିଲେ ଏହା ଦୈନନ୍ଦିନ କାମକୁ ମଧ୍ୟ ପ୍ରଭାବିତ କରିପାରେ। କାର୍ଯ୍ୟାଳୟରେ ଏକାଗ୍ରତା ରହେନି, ପଢ଼ାରେ ମନ ଲାଗେନି ଏବଂ ଛୋଟ ଛୋଟ କାମ ମଧ୍ୟ ବୋଝ ଭଳି ଲାଗିପାରେ।
ଏପରି ସ୍ଥିତିରେ ଅନେକେ ଚା’, କଫି କିମ୍ବା ଶକ୍ତିବର୍ଦ୍ଧକ ପାନୀୟର ସହାୟତା ନେଇଥାନ୍ତି। ହେଲେ ଏହାର ପ୍ରଭାବ ସାଧାରଣତଃ ଅଳ୍ପ ସମୟ ପାଇଁ ରହିଥାଏ। ଶରୀରକୁ ସତେଜ ରଖିବା, ମନକୁ ଶାନ୍ତ କରିବା ଓ ଏକାଗ୍ରତା ବଢ଼ାଇବା ପାଇଁ ନିୟମିତ ଯୋଗାଭ୍ୟାସ ଉପକାରୀ ହୋଇପାରେ।
ସୂର୍ଯ୍ୟ ନମସ୍କାରରୁ ଆରମ୍ଭ କରନ୍ତୁ ଦିନ
ସକାଳେ ସୂର୍ଯ୍ୟ ନମସ୍କାର ସହିତ ଦିନ ଆରମ୍ଭ କରିପାରନ୍ତି। ଏଥିରେ ଶରୀରର ବିଭିନ୍ନ ମାଂସପେଶୀ ସକ୍ରିୟ ହୋଇଥାଏ ଏବଂ ରକ୍ତସଞ୍ଚାଳନ ଭଲ ହେବାରେ ସହାୟତା ମିଳିପାରେ। ସକାଳେ ଖାଲି ପେଟରେ ନିଜ କ୍ଷମତା ଅନୁଯାୟୀ କିଛି ଚକ୍ର ସୂର୍ଯ୍ୟ ନମସ୍କାର କଲେ ଶରୀର ସକ୍ରିୟ ଓ ସତେଜ ଅନୁଭବ କରେ।
ତାଡାସନର ରହିଛି ଅନେକ ଲାଭ
ତାଡାସନ ଏକ ସରଳ ଯୋଗାସନ। ଏଥିରେ ଶରୀରକୁ ଉପର ଆଡ଼କୁ ଟାଣି ରଖାଯାଏ। ଏହା ମେରୁଦଣ୍ଡକୁ ସୁଦୃଢ଼ କରିବା ସହ ଶରୀରର ଭଙ୍ଗୀ ସୁଧାରିବାରେ ସହାୟକ ହୋଇପାରେ।
ଦୀର୍ଘ ସମୟ ଧରି ବସି କାମ କରୁଥିବା ଲୋକଙ୍କ ମଧ୍ୟରେ ଅଣ୍ଟା, କାନ୍ଧ ଏବଂ ବେକରେ ଅସୁବିଧା ଦେଖାଯାଇଥାଏ। ତାଡାସନ ଶରୀରର ଏହି ଅସୁବିଧା କମାଇବାରେ ସହାୟତା କରିପାରେ। ଏହା ଶରୀରର ସନ୍ତୁଳନ ଓ ମାନସିକ ଏକାଗ୍ରତା ବଢ଼ାଇବାରେ ମଧ୍ୟ ଉପକାରୀ।
ଭୁଜଙ୍ଗାସନ ଶରୀରକୁ ରଖେ ସକ୍ରିୟ
ଭୁଜଙ୍ଗାସନରେ ପେଟ ଉପରେ ଶୋଇ ଶରୀରର ଉପର ଭାଗକୁ ଉଠାଯାଏ। ଏହା ଦ୍ୱାରା ପିଠି ଓ ମେରୁଦଣ୍ଡ ଅଞ୍ଚଳରେ ପ୍ରଭାବ ପଡେ। ଦିନସାରା ବସି କାମ କରୁଥିବା ଲୋକଙ୍କ ପିଠିର ଜଡ଼ତା କମାଇବାରେ ଏହା ସହାୟକ ହୋଇପାରେ। ଏହି ଆସନରେ ଛାତି ଖୋଲିଥାଏ ଏବଂ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବା ସହଜ ହୋଇଥାଏ। ମନକୁ ଶାନ୍ତ ରଖିବାରେ ମଧ୍ୟ ଏହା ଖୁବ ଉପକାରୀ।
ବୃକ୍ଷାସନ ବଢ଼ାଏ ଏକାଗ୍ରତା
ବୃକ୍ଷାସନ ଶରୀର ଓ ମନର ସନ୍ତୁଳନ ପାଇଁ ଏକ ପରିଚିତ ଯୋଗାସନ। ଗୋଟିଏ ଗୋଡ଼ରେ ଠିଆ ହୋଇ ଶରୀରର ସନ୍ତୁଳନ ରଖିବାକୁ ପଡ଼ୁଥିବାରୁ ଏହା ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ। ନିୟମିତ ଅଭ୍ୟାସ ଦ୍ୱାରା ଗୋଡ଼ର ମାଂସପେଶୀ ସୁଦୃଢ଼ ହେବା ସହ ଶରୀରର ସ୍ଥିରତା ବଢ଼ିଥାଏ। କାମର ଚାପ ଓ ମାନସିକ ଅସ୍ଥିରତା ମଧ୍ୟରେ ମନକୁ କେନ୍ଦ୍ରିତ ରଖିବାରେ ମଧ୍ୟ ଏହି ଆସନ ଖୁବ ଉପକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।