France Witnesses Widespread Unrest: ଫ୍ରାନ୍ସରେ ବଡ଼ ଧରଣର ଆନ୍ଦୋଳନ, ପୋଡ଼ାଜଳା ଓ ଲୁଟପାଟରେ ଥରିଲା ଦେଶ
ଫ୍ରାନ୍ସରେ ବଡ଼ ଧରଣର ଗଣ ଆନ୍ଦୋଳନ। ପୋଡାଜଳା, ଭଙ୍ଗାରୁଜା ସହ ବିଭିନ୍ନ ଦୋକାନରୁ ଲୁଟ। ଦେଶରେ ଶିକ୍ଷା ବ୍ୟବସ୍ଥାର ଅବନତି, ମୁଦ୍ରାସ୍ଫୀତି ଏବଂ ବିଭିନ୍ନ ସମସ୍ୟାକୁ ନେଇ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରମାନଙ୍କ ଦ୍ୱାରା ଅନୁଷ୍ଠିତ ବିଶାଳ ସମାବେଶ ସମୟରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଘଟିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା ହୋଇଛି। ରାଜଧାନୀ ପ୍ୟାରିସ୍ ସମେତ ମାର୍ସେଲ, ରେନ୍, ଟୁଲୁଜ୍ ଏବଂ ଆଞ୍ଜର୍ସ ଆଦି ସହରଗୁଡ଼ିକରେ ମୁଖା ପିନ୍ଧିଥିବା କିଛି ଉପଦ୍ରବୀଙ୍କ ଦ୍ୱାରା ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ୟାରିସ୍ ର ପ୍ରସିଦ୍ଧ ‘ପ୍ଲେସ୍ ଡେ ଲା ରିପବ୍ଲିକ୍’ ଠାରେ ଚାଲିଥିବା ପ୍ରଦର୍ଶନ ସମୟରେ ଏକ କାରରେ ନିଆଁ ଲଗାଇ ଦିଆଯାଇଥିଲା। ଲିମୋଗେସ୍ ସହରରେ ଐତିହାସିକ ଟାଉନ୍ ହଲ୍ କୁ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ହୁତୁ ହୁତୁ ହୋଇ ଜଳିବା ପରେ ଏହାର ଉପର ମହଲା ଭୁଶୁଡ଼ି ପଡ଼ିଛି। ଅନେକ ସହରରେ ଲୁଟପାଟ ଏବଂ ବ୍ୟବସାୟିକ କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ ବ୍ୟାପକ ଭଙ୍ଗାରୁଜାର ରିପୋର୍ଟ ଆସିଛି।
୧୫୦ରୁ ଅଧିକ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ୧୨୦୦ରୁ ଅଧିକ ଉତ୍ତେଜନାକାରୀଙ୍କୁ ଗିରଫ କରାଯାଇଛି। ଦେଶରେ ବଢ଼ୁଥିବା ଅଶାନ୍ତି ଏବଂ ହିଂସାକୁ ଦୃଷ୍ଟିରେ ରଖି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଏବଂ ନିଜର ମତ ରଖିବାର ଅଧିକାର ରହିଛି, କିନ୍ତୁ ଏହି ଅଧିକାର ସହିତ ସାଧାରଣ ଜନତା, ସର୍ବସାଧାରଣ ସମ୍ପତ୍ତି ଏବଂ ଆଇନର ସମ୍ମାନ ରକ୍ଷା କରିବା ମଧ୍ୟ ଅତ୍ୟନ୍ତ ଜରୁରୀ। ହିଂସା ଏବଂ ଅଗ୍ନିକାଣ୍ଡ କୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।