From Ramayan to Notice: ୩୯ ବର୍ଷ ପରେ ପୁଣି ଏକାଠି ହେଲେ ‘ରାମ-ସୀତା’, ଦୀପାବଳିରେ ହେବ ହଙ୍ଗାମା, ଏଥର ଧର୍ମଯୁଦ୍ଧ ନୁହେଁ...
ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆ। ଏବେ ଦୀର୍ଘ ୩୯ ବର୍ଷ ପରେ ଏହି ଚର୍ଚ୍ଚିତ ଯୋଡ଼ି ଏକ ନୂଆ ଫିଲ୍ମରେ ଏକାଠି ନଜର ଆସିବେ। ତେବେ ଏଥର ପୌରାଣିକ ଚରିତ୍ର ନୁହେଁ, ବରଂ ସାଧାରଣ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଦମ୍ପତି ଭୂମିକାରେ ଉଭୟଙ୍କୁ ଦେଖିବାକୁ ମିଳିବ।
ନିକଟରେ ଫିଲ୍ମ ‘ନୋଟିସ୍’ର ପ୍ରଥମ ଟିଜର ସାମ୍ନାକୁ ଆସିଛି। ଟିଜର ଆରମ୍ଭରେ ଅରୁଣ ଗୋଭିଲ ଧର୍ମର ସ୍ଥାପନା ଓ ଅଧର୍ମର ବିନାଶ ସମ୍ପର୍କରେ ସଂଳାପ କହୁଥିବା ନଜର ଆସିଛନ୍ତି। ଏହାପରେ ଜଣେ ଡାକବାଲା ଆସି ତାଙ୍କୁ ସରକାରୀ ନୋଟିସ୍ ଦେଉଛନ୍ତି। ନୋଟିସ୍ରେ ସେମାନଙ୍କ ପୈତୃକ ଦୋକାନ ଭାଙ୍ଗିବାକୁ ନିର୍ଦ୍ଦେଶ ଥିବା ଜଣାପଡ଼ୁଛି।
ଏହାକୁ ନେଇ ଦୀପିକା ଚିଖଲିଆ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଅରୁଣ ଗୋଭିଲ କହୁଛନ୍ତି, ଏହା ଆମର ପୈତୃକ ଦୋକାନ। ଏହାକୁ କିପରି ଭାଙ୍ଗିପାରିବେ? ଲୋକଙ୍କୁ ରାସ୍ତାକୁ ଆଣି ଲୋକଙ୍କ ପାଇଁ ରାସ୍ତା ତିଆରି କରିବା କେଉଁ ପ୍ରକାର ବିକାଶ?
ଫିଲ୍ମରେ ଅଭିନେତା ପଙ୍କଜ ଝା ମଧ୍ୟ ଜଣେ ବିଧାୟକଙ୍କ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ଚରିତ୍ରର ସଂଳାପ ଫିଲ୍ମରେ ରାଜନୈତିକ କ୍ଷମତା ଓ ସାଧାରଣ ଲୋକଙ୍କ ସଂଘର୍ଷକୁ ଦର୍ଶାଉଛି। ବିକାଶ ନାଁରେ ସାଧାରଣ ଲୋକଙ୍କ ଜୀବିକା ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।
‘ନୋଟିସ୍’ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ଗୁପ୍ତା। ଆଦିତ୍ୟ ପ୍ରତାପ ସିଂହ ରଘୁବଂଶୀ ଏହାର ପ୍ରଯୋଜନା ସହ କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ତୁଲାଇଛନ୍ତି। APS Entertainment Production ବ୍ୟାନରରେ ଫିଲ୍ମଟି ନିର୍ମାଣ କରାଯାଇଛି।
ନିର୍ମାତାଙ୍କ କହିବା ଅନୁଯାୟୀ, ଅରୁଣ ଓ ଦୀପିକାଙ୍କର ଗ୍ରାମାଞ୍ଚଳ ତଥା ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ରହିଛି। ତେଣୁ ଫିଲ୍ମକୁ ପ୍ରେକ୍ଷାଳୟ ପରିବର୍ତ୍ତେ ସିଧାସଳଖ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ନଭେମ୍ବର ୬ ତାରିଖରେ ଦୀପାବଳି ଅବସରରେ ‘ନୋଟିସ୍’ WAVES OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ। ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।