Fresh Allegations Against IPS Sushant Nath: IPS ସୁଶାନ୍ତ ନାଥଙ୍କ ଅଡୁଆ ବଢ଼ିଲା, ବାଲେଶ୍ୱରରୁ ଆସିଲା ସାଂଘାତିକ ଅଭିଯୋଗ

Nov 03, 2026 - 20:27
Fresh Allegations Against IPS Sushant Nath: IPS ସୁଶାନ୍ତ ନାଥଙ୍କ ଅଡୁଆ ବଢ଼ିଲା, ବାଲେଶ୍ୱରରୁ ଆସିଲା ସାଂଘାତିକ ଅଭିଯୋଗ

ବଢୁଛି ବିବାଦ, ଯୋଡ଼ି ହେଉଛି ମାମଲା।

ଗୋଟିଏ ପରେ ଗୋଟିଏ ଅଭିଯୋଗ।

ଚୌଦ୍ବାର ପରେ ଏବେ ବାଲେଶ୍ବର।

ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ଲାଗିଛି କି ଶନିଦଶା ?

ଚୌଦ୍ବାର ଜେଲ୍ ର ତତ୍କାଳୀନ ଲେଡି ଜେଲରଙ୍କ ଅଭିଯୋଗ ସାମ୍ନାକୁ ଆସିବାର ୨ ଦିନ ନପୁରୁଣୁ, ଏବେ ପୁଣି ବାଲେଶ୍ବରର ନିଲମ୍ବିତ ଜେଲରଙ୍କ ସଂଗୀନ ଅଭିଯୋଗ।

ଯାହାଙ୍କ ନାଁ ପ୍ରଦୀପ୍ତ କୁମାର ମହାଳିକ।

ଏ ହେଉଛି ସେହି ଅଭିଯୋଗ ପତ୍ର।

ଗୃହ ବିଭାଗକୁ ଲେଖିଛନ୍ତି ଗତକାଲି ଅର୍ଥାତ ୨ ତାରିଖରେ।

ଦର୍ଶାଇଛନ୍ତି, ବାଲେଶ୍ବର ଜେଲରେ ଥିବା ନିର୍ଦ୍ଧିଷ୍ଟ ଜଣେ ବିଚାରାଧୀନ ବନ୍ଦୀଙ୍କ ପକେଟରେ ବ୍ରାଉନସୁଗାର ପୁରାଇ ତାଙ୍କ ନାଁରେ କେସ୍ କରିବାକୁ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ କହିଥିଲେ।

ଏଥିପାଇଁ ଗତ ଅକଟୋବର ୮ରେ ହ୍ବାଟସଆପ୍ କଲ୍ କରି ଭୁବନେଶ୍ବର ଡକାଇବା ସହ ପ୍ରମୋସନ ଏବଂ ପୁରସ୍କାରର ପ୍ରଲୋଭନ ବି କୁଆଡ଼େ ଦେଇଥିଲେ ପୂର୍ବତନ ଜେଲ୍ ଡିଜି।

ଏହି ସମୟରେ ଭୁବନେଶ୍ୱର ଜେଲ ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ମଧ୍ୟ ଉପସ୍ଥିତ ଥିଲେ।

ତେବେ ମନା କରିଦେବାରୁ ତାଙ୍କୁ ଗତ ଅକଟୋବର ୧୩ରେ ଚାକିରିରୁ ନିଲମ୍ବନ କରାଯାଇଥିବା ଦର୍ଶାଇଛନ୍ତି ନିଜେ ପ୍ରଦୀପ୍ତ।

ଏହି ଚିଠି ପରେ ଗୃହ ବିଭାଗ କି ପଦକ୍ଷେପ ନେଇଛି, ତାହା ଜଣାପଡ଼ିନି।

କିମ୍ବା ଏ ସଂପର୍କରେ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ କିମ୍ବା ଭୁବନେଶ୍ୱର ଜେଲ ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ବି ମିଳିପାରିନି।

Advertisment ତେବେ ଅକଟୋବର ୧୩ରେ ନିଲମ୍ବନ କରାଯାଇଥିଲେ ବି କାହିଁକି ଏତେଦିନ ଧରି ନୀରବ ରହୁଥିଲେ ନିଲମ୍ବିତ ବାଲେଶ୍ବର ଜେଲର୍ ?

ଗୃହ ବିଭାଗକୁ ୧୫ ଦିନ ପରେ ଚିଠି ଲେଖି ଅଭିଯୋଗ ଆଣିଲେ କାହିଁକି ?

ନିଲମ୍ବିତ ବାଲେଶ୍ବର ଜେଲର୍ ପ୍ରଦୀପ୍ତ କୁମାର ମହାଳିକଙ୍କ ଉପରେ ମୁହଁ ଖୋଲିବାକୁ ଚାପ ପଡୁଥିଲା ନା ଥିଲା କୌଣସି କାରଣ ?

ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ପ୍ରଦୀପ୍ତ ମହାଳିକଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।

ଅପରପକ୍ଷେ IPS ସୁଶାନ୍ତ ନାଥଙ୍କ ବିରୋଧରେ ଚୌଦ୍ୱାର ସର୍କଲ ଜେଲର ତତ୍କାଳୀନ ଲେଡି ଜେଲରଙ୍କ ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼।

ଗତକାଲି ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛି ପୋଲିସ।

ଏସବୁ ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ଜେଲ ଡିଜି ସୁଶାନ୍ତ ନାଥ।

ମାମଲାରେ ସୁରକ୍ଷା ଲୋଡ଼ି ଖାରଜ ପାଇଁ ଆବେଦନ କରିଛନ୍ତି।

ସେହିପରି ମଧ୍ୟସ୍ଥି କୁହାଯାଉଥିବା କୁଲଦୀପ ରଥ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାର ଖାରଜ ସହ ଆଗୁଆ ଜାମିନ ଆବେଦନ କରିଛନ୍ତି।

ତେବେ ଏଭଳି ମାମଲାରେ କ'ଣ ହେବ ଗୃହ ବିଭାଗକୁ OSD ଭାବେ ବଦଳି ହୋଇଥିବା IPS ସୁଶାନ୍ତ ନାଥଙ୍କ ଭାଗ୍ୟ ?

ହାଇକୋର୍ଟ ଆଇନଜୀବୀଙ୍କ ମତ, ସୁଶାନ୍ତଙ୍କ ବିରୋଧରେ ଜାମିନ ଯୋଗ୍ୟ ଦଫା ଲାଗିଛି।

ତେଣୁ ପୋଲିସ ଚାହିଁଲେ ତାଙ୍କୁ ନୋଟିସ ଦେଇ ଛାଡ଼ିପାରିବ।

ଲେଡି ଜେଲରଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରକୁ ଆଣିପାରିବ।

Advertisment ତେବେ ରାଜ୍ୟର ଜଣେ ଟପ୍ IPSଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।