Fresh Bloodshed in Manipur: ମଣିପୁରରେ ପୁଣି ହିଂସା, ୪ ମୃତ; ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ
ମଣିପୁରରେ ପୁଣି ଅଶାନ୍ତିର ନିଆଁ! ଗୋଟିଏ ରାତି ଓ ସକାଳ ଭିତରେ ଦୁଇଟି ପୃଥକ ଘଟଣାରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ତୀବ୍ର ହୋଇଛି। ରାଜଧାନୀ ଇମ୍ଫାଲରେ ପ୍ରତିବାଦ ଜୋରଦାର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ।
ପ୍ରଥମ ଘଟଣାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ପଥରମାଡ଼ ଓ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଗୁଳି ଆଘାତରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ ଘଟଣାରେ ଇମ୍ଫାଲ ପୂର୍ବ ଜିଲ୍ଲାର ଖାମେନଲୋକ ଅଞ୍ଚଳରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ୩ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଆଉ ୩ ଜଣ ଆହତ ହୋଇଛନ୍ତି।
ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ମୃତଦେହ ଧରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷିତ ବାସଭବନ ନିକଟରେ ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାଳନା କରିଥିଲା। ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟିଛନ୍ତି।
ମଣିପୁରରେ ୨୦୨୩ ମେ’ରୁ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକୁ ନେଇ ଉତ୍ତେଜନା ରହିଛି। ଏଭଳି ସ୍ଥିତିରେ ପୁଣି ହୋଇଥିବା ହତ୍ୟାକାଣ୍ଡ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ନେଇ ଚିନ୍ତା ବଢ଼ାଇଛି। ନିକଟସ୍ଥ ସୁରକ୍ଷା ଶିବିର ହଟାଇବାକୁ ସ୍ଥାନୀୟ ବିଧାୟକ ଦାବି କରିଥିବା ବେଳେ ଘଟଣାର ତଦନ୍ତ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।