October Cyclone Scare Returns: ଅକ୍ଟୋବର ଶେଷରେ ଆସିବ କି ବାତ୍ୟା? ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା
ପୁଣି ଅକଟୋବର, ପୁଣି ୨୯, ପୁଣି ସେହି ବାତ୍ୟା ଚର୍ଚ୍ଚା। ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଏବଠୁ ଛନକା। ଯାହା ଆସନ୍ତା ୨୧ ବେଳକୁ ଆଣ୍ଡାମାନ ସାଗରରେ ପ୍ରଥମେ ଘୂର୍ଣ୍ଣିବଳୟର ରୂପ ନେବ। ପରେ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ। ଏହାପରେ ଅବପାତରେ ପରିଣତ ହୋଇ ୨୮ କିମ୍ବା ୨୯ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ୍। ବର୍ତ୍ତମାନର ଅକଟୋବର ପାଣିପାଗ ସ୍ଥିତି ଅନୁକୂଳ ଥିବାରୁ ଚଳିତ ମାସ ଶେଷ ଆଡ଼କୁ ବାତ୍ୟା ହୋଇପାରେ ବୋଲି କୁହାଯାଉଛି। ସେ ଯାହା ବି ଯଦି ବି ବାତ୍ୟା ହୁଏ, କ’ଣ ରହିବ ତାର ଗତିବିଧି ? ସ୍ଥଳଭାଗ ଛୁଇଁବ ନା ନାହିଁ ? ଯଦି ଛୁଇଁବ କେଉଁଠି ? ଓଡ଼ିଶା ନା ଆନ୍ଧ୍ରପ୍ରଦେଶ ? ଏଯାଏଁ ସେଭଳି କୌଣସି ସ୍ପଷ୍ଟତା ଆସିନାହିଁ। କିମ୍ବା ଭାରତୀୟ ପାଣିପାଗ ବିଭାଗ-IMD ପକ୍ଷରୁ ସେଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଓଡ଼ିଶା ପାଇଁ ଅକ୍ଟୋବର ବାତ୍ୟା ନୂଆ ନୁହେଁ। ୯୯ ମହାବାତ୍ୟାଠୁ ଆରମ୍ଭ କରି ୨୦୧୩ ଅକଟୋବରର ଫାଇଲିନ, ୨୦୧୪ ଅକଟୋବରରେ ହୁଡହୁଡ୍, ୨୦୧୮ ଅକ୍ଟୋବରରେ ତିତଲି। ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିଲା ଏକାଧିକ ଅକଟୋବର ବାତ୍ୟା। ସେହିପରି ୨୦୨୪ ଅକ୍ଟୋବରରେ ସମୁଦ୍ରରୁ ଦାନା ବାନ୍ଧି ‘ଦାନା’ ଓଡିଶା ଆସିଥିଲା। ଉଜାଡ଼ିଦେଇଥିଲା ବର୍ଷକର ଦାନା ପାଣି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ମାସ ହେଉଛି ଅକ୍ଟୋବର। ସେତେବେଳେ ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ। ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ। ଫଳରେ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡ଼େ ସମୁଦ୍ର। ଯାହା କ୍ରମେ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ।
ଏକଥା ସତ ଯେ, ପାଣିପାଗର ଗତିବିଧିକୁ ଦେଖି କିଛି ପାଣିପାଗ ବିଜ୍ଞାନୀ ଏବଂ କିଛି ଅନ୍ତର୍ଜାତୀୟ ମଡେଲ୍ ବାତ୍ୟାର ପୂର୍ବାନୁମାନ କରୁଥାଇପାରନ୍ତି। କିନ୍ତୁ ସବୁବେଳେ ପାଣିପାଗ ସମ୍ପର୍କରେ ସଠିକ ଆକଳନ କରୁଥିବା IMD ଚଳିତ ଅକଟୋବରରେ ଏଯାଏଁ ବାତ୍ୟା ପ୍ରସଙ୍ଗରେ କୌଣସି ସ୍ପଷ୍ଟତା ଆଣିନାହିଁ। ତଥାପି, ବଙ୍ଗୋପସାଗରରେ ଲଘୁଚାପ ହେଲା ପରେ ହିଁ ଜଣାପଡ଼ିଯିବ ବାତ୍ୟା ହେବ ନା ଅବପାତ ଭିତରେ ସୀମିତ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।