From Floods to Water Shortages: ତରଳୁଛି ହିମାଳୟର ବରଫ, ଆଗକୁ କ’ଣ ହେବ? ବଢ଼ିଲା ଚିନ୍ତା

Sep 14, 2026 - 17:07
From Floods to Water Shortages: ତରଳୁଛି ହିମାଳୟର ବରଫ, ଆଗକୁ କ’ଣ ହେବ? ବଢ଼ିଲା ଚିନ୍ତା

ହିମାଳୟ ଏକ ଗୁରୁତର ‘ଟିପିଂ ପଏଣ୍ଟ’ ବା ସଙ୍କଟଜନକ ପରିବର୍ତ୍ତନର ସୀମା ଆଡ଼କୁ ଗତି କରୁଛି। ହିମାଳୟରେ ଦ୍ରୁତ ଗତିରେ ବରଫ ତରଳିବା ଫଳରେ ଜଳ ଉପଲବ୍ଧତାରେ ବଡ଼ ପରିବର୍ତ୍ତନ ଆସିପାରେ, ବନ୍ୟା ଓ ଭୂସ୍ଖଳନର ଝୁମ୍ପ ବଢ଼ିପାରେ ଏବଂ ଦକ୍ଷିଣ ଏସିଆରେ କୋଟି କୋଟି ଲୋକଙ୍କ ଜୀବିକା ସହିତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଭିତ୍ତିଭୂମି ବିପଦରେ ପଡ଼ିପାରେ। ଏକ ନୂଆ ଅଧ୍ୟୟନ ଏହି ଚେତାବନୀ ଦେଇଛି।

Systemiq ନେତୃତ୍ୱରେ ଏବଂ ICIMOD ଓ G.B. Pant National Institute of Himalayan Environment ସହଯୋଗରେ ଏହି ଅଧ୍ୟୟନ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ, ହିମାଳୟର ହିମନଦୀଗୁଡ଼ିକ ପ୍ରାୟ ଏକ ଦଶକ ପୂର୍ବ ତୁଳନାରେ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବରଫ ହରାଉଛନ୍ତି। ଏହା ଆଗାମୀ କିଛି ଦଶକରେ ଏହି ଅଞ୍ଚଳର ଜଳଚକ୍ରରେ ବଡ଼ ପରିବର୍ତ୍ତନ ଆଣିପାରେ।

ଏହି ଚେତାବନୀ ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ବତ ସୀମା ନିକଟରେ ଘଟିଥିବା ହିମନଦୀ ଧସିବା ଘଟଣା ପରେ ଆସିଛି। ଏହା ଫଳରେ ଏକ ବିଶାଳ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରେ ୧,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ରାସ୍ତା, ସେତୁ ଓ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଏହି ବିପର୍ଯ୍ୟୟ ଦ୍ରୁତ ଗତିରେ ହିମନଦୀ ପଛକୁ ହଟିବା ସହ ଜଡ଼ିତ ଅନେକ ପର୍ଯ୍ୟାୟର ବିପଦକୁ ସ୍ପଷ୍ଟ କରିଦେଇଛି।
ଅଧ୍ୟୟନର ଚେତାବନୀ କେବଳ ହିମନଦୀ କମିବାର ସାଧାରଣ ଚିନ୍ତା ମଧ୍ୟରେ ସୀମିତ ନୁହେଁ। ଏହା ପରସ୍ପର ସହ ଜଡ଼ିତ ଅନେକ ବିପଦର ଏକ ଶୃଙ୍ଖଳା ଦିଗରେ ଇଙ୍ଗିତ କରୁଛି।

ଦ୍ରୁତ ଗତିରେ ବରଫ ହ୍ରାସ ପାଇଲେ ପ୍ରଥମ ପର୍ଯ୍ୟାୟରେ ନିମ୍ନମୁଖୀ ଅଞ୍ଚଳଗୁଡ଼ିକରେ ଜଳପ୍ରବାହ ବଢ଼ିପାରେ। ଏହା ସହିତ ଅସ୍ଥିର ହିମନଦୀ ହ୍ରଦଗୁଡ଼ିକ ଗଠିତ ହୋଇ ବଡ଼ ହେବାରୁ ହଠାତ୍ ବନ୍ୟା ଓ ଭୂସ୍ଖଳନର ସମ୍ଭାବନା ବଢ଼ିପାରେ। କିନ୍ତୁ ହିମନଦୀଗୁଡ଼ିକ ଯେତେବେଳେ ଲଗାତାର ସଙ୍କୁଚିତ ହେବାକୁ ଲାଗିବ, ଅଞ୍ଚଳଟି ଶେଷରେ ‘ପିକ୍ ୱାଟର୍’ (Peak Water) ଅବସ୍ଥାରେ ପହଞ୍ଚିପାରେ। ଏହା ସେହି ସମୟ, ଯାହା ପରେ ହିମନଦୀ ଉପରେ ନିର୍ଭରଶୀଳ ନଦୀଗୁଡ଼ିକର ଜଳପ୍ରବାହ ହ୍ରାସ ପାଇବା ଆରମ୍ଭ କରିବ।

ଅଧ୍ୟୟନରେ ଜଳ ସୁରକ୍ଷାକୁ ହିମାଳୟ ଅଞ୍ଚଳର ସବୁଠାରୁ ବଡ଼ ଦୀର୍ଘକାଳୀନ ବିପଦ ମଧ୍ୟରୁ ଗୋଟିଏ ବୋଲି ଚିହ୍ନଟ କରାଯାଇଛି।
ଅଧ୍ୟୟନ ଅନୁସାରେ, ହିମନଦୀଗୁଡ଼ିକ ଏକ ଦଶକ ପୂର୍ବର ତୁଳନାରେ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ହ୍ରାସ ପାଇ ‘ପିକ୍ ୱାଟର୍’ ଆଡ଼କୁ ଗତି କରୁଛି। ଏହା ପରେ ହିମନଦୀର ଜଳଭଣ୍ଡାର ହ୍ରାସ ପାଇବାରୁ ନଦୀଗୁଡ଼ିକର ଜଳପ୍ରବାହ କମିପାରେ। ଫଳରେ ନଦୀର ନିମ୍ନଭାଗରେ ଥିବା କୃଷି, ସହର ଓ ଜନସାଧାରଣ ଅଧିକ ଜଳ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

ଅଧ୍ୟୟନ ଅନୁସାରେ, ଏହି ବିପଦ କେବଳ ଜଳ ଯୋଗାଣରେ ସୀମିତ ନୁହେଁ; ଜଳବିଦ୍ୟୁତ, କୃଷି ଓ ଲୋକଙ୍କ ଜୀବିକା ମଧ୍ୟ ଏହାର ପ୍ରଭାବରେ ଆସିପାରେ।
ଜଳର ଉପଲବ୍ଧତା ଓ ଏହାର ସମୟରେ ପରିବର୍ତ୍ତନ ଆସିଲେ ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇପାରେ। ସେହିପରି ଅତ୍ୟଧିକ ପାଣିପାଗ ଓ ପାହାଡ଼ିଆ ଅଞ୍ଚଳର ପ୍ରାକୃତିକ ବିପଦ ବଢ଼ିଲେ କୃଷି, ପର୍ଯ୍ୟଟନ ଓ ଅନ୍ୟାନ୍ୟ ସ୍ଥାନୀୟ ଆର୍ଥିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ ସମୁଦାୟଗୁଡ଼ିକର କ୍ଷତି ବଢ଼ିପାରେ।

ଭାରତ ଏହି ବିପଦ ପ୍ରତି ବିଶେଷ ଭାବେ ସଂବେଦନଶୀଳ। ଭାରତରେ ପ୍ରାୟ ୨୦୦ଟି ହିମନଦୀ ହ୍ରଦକୁ ଉଚ୍ଚ ବିପଦପୂର୍ଣ୍ଣ ବୋଲି ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୫୬ଟିକୁ ‘ଅତ୍ୟଧିକ ବିପଦପୂର୍ଣ୍ଣ’ ଭାବେ ବର୍ଗୀକୃତ କରାଯାଇଛି। ଏହାର ଫଳରେ ଏହି ହ୍ରଦଗୁଡ଼ିକର ତଳଭାଗରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ହଠାତ୍ ବନ୍ୟାର ବିପଦରେ ପଡ଼ିପାରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।