From Gunfire to Hope: ମାଓ ଆତଙ୍କ ହଟିଛି, ହେଲେ ବିକାଶ ଅପେକ୍ଷାରେ କୋରାପୁଟର ଆଦିବାସୀ ଗାଁ

Oct 15, 2026 - 19:18
From Gunfire to Hope: ମାଓ ଆତଙ୍କ ହଟିଛି, ହେଲେ ବିକାଶ ଅପେକ୍ଷାରେ କୋରାପୁଟର ଆଦିବାସୀ ଗାଁ

ଦିନେ ଏହି ଜଙ୍ଗଲରେ ଶୁଭୁଥିଲା ବନ୍ଧୁକର ଢୋ ଢା ଶବ୍ଦ। ଏଠି ରାସ୍ତାରେ ଚାଲିବା ତ ଦୂରର କଥା ଘରୁ ପାଦ କାଢିବାକୁ ବି ଭୟରେ ଛାତି ଥରୁଥିଲା। ସବୁଜ ଦିଶୁଥିବା କଅଁଳିଆ ଗଛର ପତ୍ରରେ ପଡୁଥିଲା ରକ୍ତର ଛିଟା। ପବନରେ ମିଶିଥିଲା ବାରୁଦର ଗନ୍ଧ। ଜଙ୍ଗଲରେ ଅହରହ ଶୁଭୁଥିଲା ବିସ୍ଫୋରକର ଗର୍ଜନ। ଏଠି ଦିନ ହେଲେ ଲୋକଙ୍କର ବଢୁଥିଲା ଭୟ, ରାତିହେଲେ ବଢୁଥିଲା ଆଶଙ୍କା। କାରଣ ମାଓନେତାଙ୍କ କଥା ନମାନିଲେ କେଉଁ ମୁହୂର୍ତ୍ତରେ କାହାର ଜୀବନ ଯିବ, ସେକଥା କିଏ କହିବ। ଏତେ ସୁନ୍ଦର ଜଙ୍ଗଲ ଥିଲା, ଏତେ ସୁନ୍ଦର ପାହାଡ ଥିଲା, ହେଲେ କେବେ ଏସବୁକୁ ମନଭରି ଉପଭୋଗ କରିପାରୁନଥିଲେ ନୀରିହ ଆଦିବାସୀ।

ଦୁର୍ଦ୍ଦାନ୍ତ ମାଓଗଡରେ ଡୋକରି ଘାଟିରେ ଚାଲିଥିଲା କେବଳ ମାଓନେତାଙ୍କ ରାଜ୍। ୨୫ ମାର୍ଚ୍ଚ, ୨୦୧୮ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଥିଏଲ ୪ ମାଓବାଦୀ ଆଉ ଏମିତି କେତେ ଘଟଣା। ହେଲେ ବଦଳିଛି ସମୟ , ବଦଳିଯାଇଛି ଡୋକରି ଘାଟିର ଚିତ୍ର। ହଁ, ଡୋକରି ଘାଟି, କୋରାପୁଟ ନାରାୟଣଗଡ଼ା ବ୍ଲକର ଏକ ଗାଁ। ଏବେ ଯେମିତି ଜୀବନ ସହଜ ଲାଗୁଛି କିଛି ବର୍ଷ ତଳେ ଏମିତି ନଥିଲା ଏସବୁ। ଯେମିତି ଆପଣ ଘରୁ ବାହାରି ପାରୁଛନ୍ତି ସେମିତି ଏମାନେ ବାହାରି ପାରୁନଥିଲେ। ଲାଲଗଡ଼ ଭାବେ ପରିଚିତ ଥିବା ଏସବୁ ପାହାଡ଼ିଆ ପଥୁରିଆ ରାସ୍ତାରେ ଠାଏ ଠାଏ ଥିଲା ସ୍ମୃତି ସ୍ତମ୍ୱ, ଢାଏ ଢାଏ ଫୁଟୁଥିଲା ଗୁଳି। ହେଲେ ଏବେ ଏଠି ନକ୍ସଲଙ୍କ ରାଜ୍ ନାହିଁ ନା ସେଇ ବନ୍ଧୁକର କଳା ଧୂଆଁ। ଏଠି ଏବେ ସବୁ ଫର୍ଚା ଫର୍ଚା। 

ଖାଲି କୋରାପୁଟର ଡୋକରି ନୁହେଁ, ଜୟପୁରର ବାହୁଡି ପାହାଡ ବି ଦିନେ ଥିଲେ ମାଓବାଦୀଙ୍କ ଗଡ। ଦିନରାତି ଖାଲି ଶୁଭୁଥିଲା ରାଇଫଲ, ଦେଶୀ ବନ୍ଧୁକର ଚିତ୍କାର। ସଞ୍ଜ କଥା ଛାଡ଼ନ୍ତୁ ଦିନରେ ଏଠି ବାହାରିବା ମୁସକିଲ୍ ଥିଲା। ପାହାଡ଼ ଡେଇଁ ଯେଉଁ ଯାଏଁ ଯିବେ ସେଠି ଥିଲା ଲାଲବାହିନୀର ଦବଦବା। ପାହାଡ ଆଖପାଖରେ ଥିବା ୧୦ ଆଦିବାସୀ ଗାଁ ଲୋକଙ୍କ ଛାତି ସବୁବେଳେ ଧଡ଼ଧଡ଼। କାଳେ କେତେବେଳେ କଣ ହେବ?  କିନ୍ତୁ ୨୦୨୬ରେ ସୁରକ୍ଷା ବାହିନୀର ଅପରେସନ ପରେ ଏବେ ଧ୍ବଂସ ସେଇ ଭୟ। କୋରାପୁଟ ବୈପାରୀଗୁଡା ବ୍ଲକ ବାଦୁଡ଼ି ପାହାଡ଼ ଥିଲା ହିଂସା ଓ ଆତଙ୍କର ଅନ୍ୟ ନାମ। ଦୀର୍ଘ ତିନି ଦଶନ୍ଧି ଧରି ଏହି ତିନି ରାଜ୍ୟର ସୀମାନ୍ତ ଅଞ୍ଚଳରୁ ମାଓ କ୍ୟାଡ଼ରମାନେ ନିଜର ଦେଉଥିବା ଫର୍ମାନ ଏବଂ ବନ୍ଧୁକର ଜୋରରେ ଲୋକଙ୍କୁ ଶୋଷଣ କରୁଥିଲେ। ସାମାନ୍ୟ ପ୍ରତିବାଦ କଲେ ଅକଥନୀୟ ନିର୍ଯାତନା ଓ ଦିନ ଦିନ ଧରି ଜଙ୍ଗଲରେ ବନ୍ଦୀ ରଖିବା ଥିଲା ସେମାନଙ୍କ ହୁକୁମ୍।

ମାଓବାଦୀ ସିନା ଚାଲିଗଲେ କିନ୍ତୁ ବିକାଶ ଏବେ ଯାଏଁ ଗାଁକୁ ପହଞ୍ଚି ପାରିଲାନି। ଡୋକରି ଘାଟି ହେଉ କି ବାଦୁଡି ପାହାଡ ଏବେ ବି ସରକାରୀ ବ୍ୟବସ୍ଥାକୁ ଏମାନେ ଅନେଇ ବସିଛନ୍ତି। ଯାହା ଜଙ୍ଗଲରୁ ଟିକିଏ ମିଳିଲା ସେଥିରେ ଚଳିଲେ। ରାସ୍ତା କହିଲେ ଏମିତି ଆବୁଡ଼ା ଖାବୁଡ଼ା ପଥୁରିଆ ବାଟ। ପିଇବାକୁ ପାଣି ନାହିଁ, ଚୁଆ ହିଁ ଭରସା। ସ୍କୁଲ ନାହିଁ ପିଲାଙ୍କ ପାଖରେ ପାଠ ପହଞ୍ଚିନି। ମାଓର ଭୟ ସିନା ହଟିଛି ହେଲେ ବିକାଶର ବାଟ ଆଜି ବି ବହୁ ଦୂର।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।