Odisha Police SI Recruitment: ୩ ବର୍ଷର ଅପେକ୍ଷାର ହେବ ଅନ୍ତ, SI ଆଶାୟୀଙ୍କ ପାଇଁ ଖୁସି ଖବର

Oct 15, 2026 - 20:22
Odisha Police SI Recruitment: ୩ ବର୍ଷର ଅପେକ୍ଷାର ହେବ ଅନ୍ତ, SI ଆଶାୟୀଙ୍କ ପାଇଁ ଖୁସି ଖବର

ସରିବ ୩ ବର୍ଷର ଅପେକ୍ଷା। ଆଶା ଆଶଙ୍କା ଭିତରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପୋଲିସ SI ପରୀକ୍ଷା। ଆସନ୍ତା ନଭେମ୍ବର ସୁଦ୍ଧା ସରିବ ଲିଖିତ ପରୀକ୍ଷା। ଫେବ୍ରୁୟାରୀ ସୁଦ୍ଧା ସରିବ ସମସ୍ତ ଶାରିରୀକ ପରୀକ୍ଷା। ଆଉ ଆସନ୍ତାବର୍ଷ ହିଁ ନିଯୁକ୍ତି ପାଇବେ ନୂଆ ପୋଲିସ ସବ୍ ଇନିସପେକ୍ଟର। ଓଟିଭିକୁ ବଡ଼ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି OUSSSC ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ସ୍ୱାଇଁ। କହିଛନ୍ତି, CPSE-୨୦୨୪ର ୯ ଶହ ୩୩ଟି SI ପଦବୀ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ନୂଆ କମିଶନ। ତେଣୁ ଆଶାୟୀଙ୍କ ତଥ୍ୟ ଅପଡେସନ୍ ସହ ଭାଲିଡେସନ୍ ପ୍ରକ୍ରିୟା ପରେ ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା ହେବ। ଆସନ୍ତା ୨୯ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି। କିନ୍ତୁ OTP ସମ୍ବନ୍ଧୀୟ ସମସ୍ୟା ହେଲେ ଆବଶ୍ୟକତାକୁ ଦେଖି ସମୟସୀମା ବଢ଼ିପାରେ। 

ପ୍ରଶ୍ନ ଉଠୁଛି, ଏଥର ସ୍ବଚ୍ଛତାର ସହ ହେବ ତ ପୋଲିସ SI ପରୀକ୍ଷା ? OUSSSC ଅଧ୍ୟକ୍ଷ ସ୍ପଷ୍ଟତାର ସହ କହିଛନ୍ତି, ଏଥର ମାଫିଆଙ୍କ ଉପରେ ରହିବ କଡ଼ା ନଜର। କେବଳ ପରୀକ୍ଷା କରାଇବା ନୁହେଁ, ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ବି ଗୁରୁତ୍ୱ ଦିଆଯିବ। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ପରୀକ୍ଷା ପରିଚାଳନା ଓ ଖାତା ମୂଲ୍ୟାୟନ ଯାଏଁ ରହିବ କଡ଼ା ନଜର। ପରୀକ୍ଷା ମାଫିଆଙ୍କୁ ରୋକିବା ପାଇଁ କଠୋର ପଦକ୍ଷେପ ସ୍ବରୂପ 3D ଫର୍ମୁଲା ଯଥା DETER, DEFEAT ଓ DETECT ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ପରୀକ୍ଷା କେନ୍ଦ୍ର ଚୟନ କ୍ଷେତ୍ରରେ ବି ଦିଆଯିବ ସ୍ୱତନ୍ତ୍ର ଧ୍ୟାନ। ନିଯୁକ୍ତି ପ୍ରକ୍ରିୟାରେ ୱେଟିଂ ଲିଷ୍ଟ ବା ରିଜର୍ଭ ଲିଷ୍ଟ ବ୍ୟବସ୍ଥା ପାଇଁ UPSC ଢାଞ୍ଚାକୁ ଅନୁସରଣ କରାଯିବ ବୋଲି କହିଛନ୍ତି OUSSSC ଅଧ୍ୟକ୍ଷ।

ୟୁନିଫର୍ମ ସର୍ଭିସ୍ ନିଯୁକ୍ତି ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷତାର ସହ ପରିଚାଳନା ପାଇଁ ଗଠନ ହୋଇଛି ନୂଆ କମିଶନ। ତେଣୁ ନୂଆ ବିଧିବ୍ୟବସ୍ଥା ଅନୁଯାୟୀ ଏଥର ପରୀକ୍ଷା ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା। ୨୦୨୪ର SI ପରୀକ୍ଷାକୁ ନେଇ ଉପୁଜିଥିବା କେଳେଙ୍କାରୀ ଏବଂ ତାକୁ ନେଇ ବିବାଦ ପରେ ଭିତରେ ଏକାଧିକ ବାର ବାତିଲ ହୋଇଥିଲା ପରୀକ୍ଷା। ବାରମ୍ବାର ଦିନ ରାତି ପ୍ରସ୍ତୁତି କରି ନିରାଶ ହୋଇଥିଲେ ଲକ୍ଷାଧିକ ପୋଲିସ SI ଆଶାୟୀ। ଏବେ ୩ ବର୍ଷର ବ୍ୟବଧାନ ଏବଂ ସ୍ବଚ୍ଛତାର ସହ ନୂଆ ପରୀକ୍ଷା ପାଇଁ ନୂଆ କମିଶନଙ୍କ ପଦକ୍ଷେପ ପରେ ଆଶ୍ବସ୍ତି ଅନୁଭବ କରିଛନ୍ତି। କହିଛନ୍ତି, କେବଳ ପରୀକ୍ଷା ତାରିଖ ନୁହେଁ, କଟ୍ ଅଫ୍ ମାର୍କ ସହ ନିୟମ ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ବି ନ୍ୟାୟ ମିଳିବା ଦରକାର। 

କେବଳ SI ପରୀକ୍ଷା ନୁହେଁ, କନଷ୍ଟେବଲ୍ ନିଯୁକ୍ତି ପାଇଁ ବି କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ସପ୍ତାହରେ ୭ ହଜାରରୁ ଅଧିକ କନଷ୍ଟେବଲ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି OUSSSC ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ତେବେ ଉଭୟ ପରୀକ୍ଷାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ନୂଆ କମିଶନଙ୍କ ପାଇଁ ହୋଇପାରେ ବଡ଼ ଆହ୍ୱାନ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।