From YouTube Lessons To Crores In Fake Notes: ୟୁଟ୍ୟୁବ୍ ଦେଖି ଶିଖିଲେ ନକଲି ନୋଟ୍ ଛାପିବା, ଭଡ଼ା ଘରେ ଚାଲିଥିଲା କୋଟି କୋଟିର କାରବାର!

Nov 05, 2026 - 09:50
From YouTube Lessons To Crores In Fake Notes: ୟୁଟ୍ୟୁବ୍ ଦେଖି ଶିଖିଲେ ନକଲି ନୋଟ୍ ଛାପିବା, ଭଡ଼ା ଘରେ ଚାଲିଥିଲା କୋଟି କୋଟିର କାରବାର!

ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଶିଖିଲେ ନକଲି ନୋଟ୍ ଛାପିବାର କୌଶଳ।

ଏହାପରେ ଭଡ଼ା ଘରକୁ କରିଦେଲେ ନକଲି ନୋଟ୍ ତିଆରି କାରଖାନା।

ସେଠାରେ ଛପା ହେଉଥିଲା କୋଟି କୋଟି ଟଙ୍କାର ଜାଲ୍ ନୋଟ୍।

ତେଲେଙ୍ଗାନା ପୋଲିସ ଏଭଳି ଏକ ବଡ଼ ନକଲି ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ କରିଛି।

ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ପ୍ରାୟ ୬.୭୮ କୋଟି ଟଙ୍କାର ନକଲି ନୋଟ୍ ଜବତ ହୋଇଛି।

Advertisment ନଭେମ୍ବର ୧ ତାରିଖରେ ଜାତୀୟ ରାଜପଥ-୬୫ ନିକଟରେ ଏହି ରାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା।

ଅବଦୁଲ୍ଲାପୁରମେଟ୍ ପୋଲିସ ଓ ଶାଦନଗର ସ୍ପେଶାଲ ଅପରେସନ୍ ଟିମ୍ (SOT) ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ।

କାର୍‌ରୁ ୮ ଲକ୍ଷ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ମିଳିଥିଲା।

ଏହାପରେ କାର୍‌ରେ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା।

ପରବର୍ତ୍ତୀ ତଦନ୍ତରେ ହାଇଦ୍ରାବାଦ ଉପକଣ୍ଠ କୁଣ୍ଟଲୁରର ଏକ ଭଡ଼ା ଘରେ ଚାଲିଥିବା ନକଲି ନୋଟ୍ କାରଖାନାର ସନ୍ଧାନ ମିଳିଥିଲା।

ସେଠାରୁ ଆଉ ୬.୭୦ କୋଟି ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଥିଲା।

ଏଥିସହ କଲର୍ ପ୍ରିଣ୍ଟର, ସ୍କାନର, ଲାପଟପ୍, ଲାମିନେସନ୍ ମେସିନ୍ ଓ ନୋଟ୍ କାଟିବା ଉପକରଣ ମଧ୍ୟ ଜବତ କରାଯାଇଛି।

Advertisment ୟୁଟ୍ୟୁବ୍ ଥିଲା ନକଲି ନୋଟ୍ ତିଆରିର ଗୁରୁ!

ପୋଲିସ କମିଶନର ଡକ୍ଟର ତରୁଣ ଯୋଶୀଙ୍କ ସୂଚନା ଅନୁସାରେ, ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ମାଡୁପୋଜୁ କର୍ଣ୍ଣାକର ୟୁଟ୍ୟୁବ୍ ଭିଡିଓ ଓ ସୋସିଆଲ ମିଡିଆରୁ ନକଲି ନୋଟ୍ ତିଆରି କରିବା ଶିଖିଥିଲେ।

ସେ ଅସଲି ୫୦୦ ଟଙ୍କିଆ ନୋଟ୍‌କୁ ସ୍କାନ୍ କରି ଫଟୋଶପ୍ ଭଳି ସଫ୍ଟୱେର୍‌ରେ ଏଡିଟ୍ କରୁଥିଲେ।

ଏହାପରେ ପ୍ରିଣ୍ଟରରେ ନକଲି ନୋଟ୍ ଛାପୁଥିଲେ।

ଅସଲି ଟଙ୍କା ନେଇ ନକଲି ପୋଲିସ ସାଜୁଥିଲେ!

ନକଲି ନୋଟ୍ ବଦଳରେ ଅସଲି ଟଙ୍କା ହାସଲ କରିବାକୁ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଏକ ନୂଆ ଚାଲ୍ ଖେଳିଥିଲେ।

୧ ଲକ୍ଷ ଟଙ୍କା ଅସଲି ବଦଳରେ ୩ରୁ ୪ ଲକ୍ଷ ନକଲି ଟଙ୍କା ଦେବାର ଲୋଭ ଦେଖାଉଥିଲେ।

କିନ୍ତୁ ଏହି ଯୋଜନା କାମ ନକରିବାରୁ ସେମାନେ ନିଜକୁ ପୋଲିସ ଅଧିକାରୀ ବୋଲି ପରିଚୟ ଦେଉଥିଲେ।

ନକଲି ପରିଚୟପତ୍ର, ୱାକିଟକି, ଖେଳନା ବନ୍ଧୁକ ଓ ନକଲି ନମ୍ବର ପ୍ଲେଟ୍ ଲାଗିଥିବା ଗାଡ଼ି ବ୍ୟବହାର କରି ଗ୍ରାହକଙ୍କୁ ଧମକାଇ ଅସଲି ଟଙ୍କା ଲୁଟି ଫେରାର ହୋଇଯାଉଥିଲେ।

ଏଭଳି ଦୁଇଟି ଘଟଣାରେ ଦୁଇ ଜଣଙ୍କଠାରୁ ଯଥାକ୍ରମେ ୨ ଲକ୍ଷ ଓ ୩ ଲକ୍ଷ ଟଙ୍କା ଠକିଥିବା ତଦନ୍ତରୁ ଜଣାପଡ଼ିଛି।

ଗିରଫ ୪ ଜଣ ହେଲେ ମାଡୁପୋଜୁ କର୍ଣ୍ଣାକର, ଚିନ୍ନୋଲ୍ଲା ମାଣିକ୍ୟ ରେଡ୍ଡୀ, ଚେରୁକୁପେଲ୍ଲୀ ରତ୍ନାକର ରେଡ୍ଡୀ ଓ କରଣମ ଅଜୟ କୁମାର।

ଏହି ରାକେଟ୍‌ର ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଖୋଜୁଛି ପୋଲିସ।

ଏହି ନକଲି ନୋଟ୍ କାରବାର ପଛରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି, ତାହାର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।