Gandhian Perspective: ଗାନ୍ଧୀ ଦୃଷ୍ଟି: ଗାନ୍ଧୀ ଓ ସର୍ବପଲ୍ଲୀ
"ଗୌରାଙ୍ଗ ଚରଣ ପରିଡ଼ା ମହାତ୍ମା ଗାନ୍ଧୀ ଓ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସମ୍ପର୍କକୁ କିପରି ମୂଲ୍ୟାଙ୍କନ କରାଯାଇପାରେ?
ହୋଇପାରେ, ଏ ସମ୍ପର୍କ ଥିଲା ସକ୍ରେଟିସ୍ ଓ ପ୍ଲାଟୋଙ୍କ ପରି କିମ୍ବା ପ୍ଲାଟୋ ଓ ଆରିଷ୍ଟୋଟ୍ଲଙ୍କ ପରି।
ଗାନ୍ଧୀ ଓ ସର୍ବପଲ୍ଲୀ ଯେତେବେଳେ ପରସ୍ପର ସହ ମିଶୁଥିଲେ ଓ ପତ୍ରାଳାପ କରୁଥିଲେ, ସେତେବେଳେ ସେଥିରେ ପରସ୍ପର ପ୍ରତି କିଛି ପ୍ରଶ୍ନ ଥିଲା, ଏବଂ ଉତ୍ତର ପାଇଁ ବି ଜିଜ୍ଞାସା ଥିଲା।ରାଧାକୃଷ୍ଣନ ଥିଲେ ଧର୍ମ ଓ ଦର୍ଶନର ଜଣେ ତତ୍ତ୍ୱବିତ୍ ଏବଂ ଧର୍ମକୁ ଜୀବନରେ ପ୍ରୟୋଗ କରୁଥିଲେ ଗାନ୍ଧୀଜୀ।
୧୯୩୫ ମସିହା ଜାନୁଆରି ୨୩ ତାରିଖରେ ଗାନ୍ଧୀଜୀ ଦିଲ୍ଲୀରେ ଥିବାବେଳେ ରାଧାକୃଷ୍ଣନ ଗାନ୍ଧୀଙ୍କୁ କହିଲେ, ""ବାପୁ, ମୋର ଆପଣଙ୍କୁ ତିନିଟି ପ୍ରଶ୍ନ ଅଛି।
ଆପଣଙ୍କ ଉତ୍ତର ମୁଁ ଆପଣଙ୍କ ଜୀବନୀ ନେଇ ଲେଖୁଥିବା ପୁସ୍ତକରେ ସ୍ଥାନିତ କରିବି।
ମୋର ପ୍ରଥମ ପ୍ରଶ୍ନ ହେଉଛି, ଆପଣଙ୍କ ଧର୍ମ କ"ଣ?"" ଗାନ୍ଧୀ ଉତ୍ତର ଦେଲେ, ""ମୋର ଧର୍ମ ହେଉଛି ହିନ୍ଦୁ ଧର୍ମ।
ପୃଥିବୀର ଯେଉଁସବୁ ଧର୍ମ ସମ୍ପର୍କରେ ମୁଁ ପଢ଼ିଛି ଓ ଜାଣିଛି, ସେ ସବୁର ସାରକଥା ହିନ୍ଦୁ ଧର୍ମରେ ଅଛି।""ରାଧାକୃଷ୍ଣନଙ୍କ ଦ୍ବିତୀୟ ପ୍ରଶ୍ନ ଥିଲା, ""ବାପୁ, ଆପଣ ଆପଣଙ୍କ ଧର୍ମ ପାଳନ କରନ୍ତି କିପରି?"" ଗାନ୍ଧୀଙ୍କ ଉତ୍ତର ଥିଲା, ""ମୋ ଧର୍ମ ପାଳନର ଆଧାର ହେଉଛି ସତ୍ୟ ଓ ଅହିଂସା।
ପ୍ରେମ ଓ ଭାଇଚାରାରେ ଏହାର ପ୍ରକାଶ୍ୟ ରୂପ ଥାଏ।
ମୁଁ ପ୍ରଥମେ ଈଶ୍ୱର ହିଁ ସତ୍ୟ ବୋଲି କହୁଥିଲି।
ପରେ ଏଥିରେ ପରିବର୍ତ୍ତନ ଆଣି କହିଛି, ସତ୍ୟ ହିଁ ଈଶ୍ୱର।
କାରଣ, ପୃଥିବୀରେ ଅନେକ ବ୍ୟକ୍ତି ଅଛନ୍ତି ଯିଏ ଈଶ୍ୱରଙ୍କ ସତ୍ତାକୁ ଅସ୍ବୀକାର କରିଥାଆନ୍ତି, କିନ୍ତୁ ଏଠି କେହି ନାହାନ୍ତି ଯିଏ ସତ୍ୟକୁ ଅସ୍ବୀକାର କରିଛନ୍ତି।""ରାଧାକୃଷ୍ଣନଙ୍କ ଗାନ୍ଧୀଙ୍କୁ ତୃତୀୟ ପ୍ରଶ୍ନ ଥିଲା, ""ସାମାଜିକ ଜୀବନ ଉପରେ ଆପଣଙ୍କ ଧର୍ମ ପାଳନର ପ୍ରଭାବ କ"ଣ?"" ଗାନ୍ଧୀ ଉତ୍ତର ଦେଇଥିଲେ, ""ମୁଁ ମୋ ଧର୍ମ ପାଳନରେ ସେବାକୁ ପ୍ରାଥମିକତା ଦିଏ।
ସେବାରେ ତ୍ୟାଗ ନ ଥିଲେ, ଏହାକୁ ପାପ ବୋଲି କୁହେ।
ସେବା ଜୀବନର ସବୁ ପର୍ଯ୍ୟାୟକୁ ଛୁଇଁଥାଏ ଏବଂ ଏ କଥା ବି କୁହେ, ନିଜକୁ ଖୋଜି ପାଇବାକୁ ହେଲେ ସମାଜସେବାରେ ନିଜକୁ ହଜେଇ ଦେବା ଦରକାର।""ଧର୍ମ ଓ ଦର୍ଶନ ଉପରେ ଗାନ୍ଧୀଙ୍କ ଏ ଉତ୍ତର ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଗାନ୍ଧୀ ଜୀବନୀ ପୁସ୍ତକ, "ମହାତ୍ମା ଗାନ୍ଧୀ: ଏସେଜ ଆଣ୍ଡ୍ ରିଫ୍ଲେକ୍ସନ ଅନ ହିଜ ଲାଇଫ ଆଣ୍ଡ୍ ୱାର୍କସ"ରେ ଉଲ୍ଲେଖ ରହିଛି।ଗାନ୍ଧୀଜୀ ପ୍ରଥମେ ସର୍ବପଲ୍ଲୀଙ୍କୁ ଦେଖିଥିଲେ ୧୯୧୫ ମସିହା ଏପ୍ରିଲ ମାସରେ ମାଡ୍ରାସରେ, ଜି.
ଏ.
ନାଟେସନଙ୍କ ଘରେ।
ସେଠି ଏକ ଆଲୋଚନା ପ୍ରସଙ୍ଗରେ ଗାନ୍ଧୀଜୀ ସର୍ବପଲ୍ଲୀଙ୍କୁ ଲକ୍ଷ୍ୟ କରି କହିଥିଲେ, ""ଆପଣ ଗାଈ କ୍ଷୀର ଖାଆନ୍ତୁ ନାହିଁ, ସେଥିରେ ଗୋ-ମାଂସର ସୂକ୍ଷ୍ମ ଗୁଣ ଅଛି।"" ସର୍ବପଲ୍ଲୀଙ୍କ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ ଥିଲା, ""ତେବେ ମା" କ୍ଷୀରରେ କ"ଣ ମଣିଷ ମାଂସର ଗୁଣ ଅଛି?"" ଆଲୋଚନା ଯୁକ୍ତିରେ ବଦଳୁଥିବା ଦେଖି ନାଟେସନ କହିଲେ, ""ବାପୁ, ଏ ଯୁବକ ହେଉଛନ୍ତି ସର୍ବପଲ୍ଲୀ ରାଧାକୃଷ୍ଣନ।
ସେ ସ୍ଥାନୀୟ ପ୍ରେସିଡେନ୍ସି କଲେଜରେ ତର୍କଶାସ୍ତ୍ରର ଅଧ୍ୟାପକ ଅଛନ୍ତି।""କିଛି ଦିନ ପରେ ଗାନ୍ଧୀ ନାଟେସନଙ୍କୁ ଏକ ଚିଠି ଲେଖି ଜଣାଇଲେ, ""ମୋତେ ଯୁବକ ରାଧାକୃଷ୍ଣନ ବହୁତ ଭଲ ଲାଗିଛନ୍ତି।
ସତ୍ୟସନ୍ଧାନୀ, ବୁଦ୍ଧିମାନ୍।""ଉଭୟେ ଗାନ୍ଧୀଜୀ ଓ ସର୍ବପଲ୍ଲୀ ପରସ୍ପରକୁ ସମ୍ମାନ କରୁଥିଲେ।
ସର୍ବପଲ୍ଲୀଙ୍କୁ ଚିଠି ଲେଖିଲା ବେଳେ ଗାନ୍ଧୀ ସମ୍ବୋଧନ କରୁଥିଲେ, ଡିୟର "ସାର୍" ରାଧାକୃଷ୍ଣନ।
ସର୍ବପଲ୍ଲୀଙ୍କ ଗାନ୍ଧୀଜୀଙ୍କୁ ସମ୍ବୋଧନ ଥିଲା- "ମାଇଁ ଡିୟର, ବାପୁ"।
ଭାରତୀୟ ଧର୍ମ, ଆଧ୍ୟାତ୍ମିକତା, ବେଦ, ବେଦାନ୍ତ, ସଂସ୍କାର ନେଇ ରାଧାକୃଷ୍ଣନଙ୍କ ବ୍ୟାଖ୍ୟା ଗାନ୍ଧୀଙ୍କୁ ଭଲ ଲାଗୁଥିଲା।
ଆଧୁନିକ ବିଶ୍ୱ ପାଇଁ ଏହା ପ୍ରାସଙ୍ଗିକ ଥିଲା।
ସେମିତି ବି ଗାନ୍ଧୀଙ୍କ ନୀତିବାଦୀ ସରଳ ଜୀବନର ପ୍ରଶଂସକ ଥିଲେ ପ୍ରଫେସର ରାଧାକୃଷ୍ଣନ।ସର୍ବପଲ୍ଲୀଙ୍କ ପ୍ରାୟ ସମସ୍ତ ଦୀକ୍ଷାନ୍ତ ଭାଷଣକୁ ଗାନ୍ଧୀଜୀ ଖୁବ୍ ମନ ଦେଇ ପଢ଼ନ୍ତି।
ପ୍ରଶଂସା କରନ୍ତି; ସମାଲୋଚନା ବି କରନ୍ତି।
ପାଟଣା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସର୍ବପଲ୍ଲୀ ଦେଇଥିବା ଭାଷଣ ପଢ଼ି ଗାନ୍ଧୀ ୧୯୪୦ ମସିହା ଡିସେମ୍ବର ମାସ ୨୮ ତାରିଖରେ ଚିଠି ଲେଖି ଜଣେଇଲେ, ""ପ୍ରିୟ ରାଧାକୃଷ୍ଣନ, ତୁମେ ଯେଉଁ ଭାଷଣର କପି ମୋ ପାଖକୁ ପଠାଇଥିଲ, ମୁଁ ତାକୁ ପଢ଼ିଲି।
ଭାଷା ତୁମର ନିଜସ୍ୱ।
ତୁଳନା ନାହିଁ।
ଶିକ୍ଷା, ସଭ୍ୟତା, ସଂସ୍କୃତି, ଯୁଦ୍ଧ ଉପରେ ତୁମେ ଯେଉଁ ମତ ରଖିଛ, ଖୁବ୍ ଚମତ୍କାର।
ଉତ୍ତମ ତଥା ଶ୍ରେଷ୍ଠ ଗୁରୁ ପରି କହିଛ।
କିନ୍ତୁ ଅହିଂସା ଉପରେ ତୁମେ ଦେଇଥିବା ବକ୍ତବ୍ୟ ମୋତେ ହତାଶ କରିଛି।
ବହୁତ ଦୁର୍ବଳ ମନ୍ତବ୍ୟ ଥିଲା।
ଅହିଂସାର ବି ଏକ ଶକ୍ତ ଦଂଶନ ଶକ୍ତି ଅଛି।""୧୯୫୮ ମସିହା ଅଗଷ୍ଟ ୧୫ ତାରିଖରେ ଗାନ୍ଧୀଜୀଙ୍କ ଲେଖାକୁ ନେଇ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଏକ ପୁସ୍ତକ ପ୍ରକାଶ କରିଥିଲେ।
ପୁସ୍ତକର ନାଁ ଥିଲା "ଅଲ୍ ମେନ୍ ଆର୍ ବ୍ରଦର୍ସ"।
ଏହାର ମୁଖବନ୍ଧ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଲେଖିଥିଲେ।ମୁଖବନ୍ଧର ଉପସଂହାରରେ ଏକ ଆବେଗିକ ସ୍ୱରରେ ରାଧାକୃଷ୍ଣନ ଲେଖିଛନ୍ତି, ଆମର ଗର୍ବ ଯେ ଏଠି ଗାନ୍ଧୀ ନାମରେ ଆମ ପିଢ଼ିର ଜଣେ ସର୍ବଶ୍ରେଷ୍ଠ ପୁରୁଷ ଦିନେ ଆମ ଗହଣରେ ଥିଲେ।
ଆମ ସହ ଚାଲୁଥିଲେ।
ଏକ ସଭ୍ୟ ସରଳ ଜୀବନ ନିଜେ ଜିଉଁଥିଲେ ଏବଂ ଜିଇଁବାକୁ ଶିଖାଉଥିଲେ।
ସତ କହିବାକୁ କହୁଥିଲେ।
ନିର୍ଭୟର ମନ୍ତ୍ର ଦେଉଥିଲେ।
ଯୁଦ୍ଧକୁ ମନା କରୁଥିଲେ।
ସତ୍ୟ ଅହିଂସା ମାର୍ଗରେ ଚାଲୁଥିଲେ।
ଆମେ ଆଜି ଏପରି ଏକ ସମୟ ଭିତରେ ଅଛୁ ଯେଉଁଠି ଅସହିଷ୍ଣୁତା ବଢୁଛି।
ପୁରୁଣା ନୀତିବାଦୀ ସଂସ୍କୃତି ଭାଙ୍ଗୁଛି।
ମୁକ୍ତି ପାଇଁ ତେଣୁ ଗାନ୍ଧୀଙ୍କୁ ଖୋଜୁଛୁ।
ଠିକ୍ ଯେମିତି ଦାର୍ଶନିକ ପ୍ଲାଟୋଙ୍କ ଭାଷାରେ, ""କିଛି ପ୍ରେରଣାଦାୟୀ ମହାପୁରୁଷଙ୍କୁ ତାଙ୍କ ମୃତ୍ୟୁ ପରେ ବି ଖୋଜା ଯାଇଥାଏ।""(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୮୬୧୪୬୯୩୨୮Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।