Gen-Z Political Test: ପଞ୍ଚାୟତ ଭୋଟରେ ପଡ଼ିବ କି କ୍ୟାଂପସ ପ୍ରଭାବ ? ୩ ପ୍ରମୁଖ ଦଳରେ ଅଙ୍କକଷା ଆରମ୍ଭ
ସରିଲା ଛାତ୍ର ସଂସଦ ନିର୍ବାଚନ। ଆସିଲା ଫଳାଫଳ। ବାଜିରେ ଲାଗିଥିଲା ସମ୍ମାନ। ଫୋକସରେ ଜେନ୍ ଜି। ବିଜେଡି ସରକାର ସମୟରୁ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ଆଠ ବର୍ଷ ପରେ ପୁଣିଥରେ କରାଇଛନ୍ତି ମୋହନ ସରକାର। ଯେଉଁଥିରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ-ଏବିଭିପି। ସଂଗଠନକୁ ମିଳିଛି ନୂଆ ଦିଶା। ଦିନେ କ୍ୟାଂପସରେ ସଂଗଠନ ପାଇଁ ସଂଘର୍ଷ କରୁଥିବା ଏବିଭିପି ଏଥର ନିଜ ମୂଳଦୁଆକୁ ସୁଦୃଢ କରିସାରିଛି। ୮୧ ପ୍ରତିଶତରୁ ଅଧିକ କଲେଜରେ ବିଦ୍ୟାର୍ଥୀ ପରିଷଦ ବିଜୟ ହାସଲ କରିଛି। ସୋସିଆଲ୍ ମିଡିଆ ପ୍ରଚାର, ରାଷ୍ଟ୍ରବାଦୀ ଚିନ୍ତା, କ୍ୟାଂପସର ବାସ୍ତବିକ ସ୍ଥିତିକୁ ନେଇ ଇସ୍ତାହାର ପ୍ରସ୍ତୁତି ଓ ଛାତ୍ରଛାତ୍ରୀଙ୍କ ସହ ଯୋଡି ହେବା ଏବିଭିପି ସଫଳତାର ଚାବିକାଠି। ପୂର୍ବ ବର୍ଷଗୁଡିକରେ ଏବିଭିପିର ସେଭଳି ବଡ ଦବଦବା ଓଡିଶାରେ ନଥିଲେ ବି କମ୍ ସମୟ ଭିତରେ ଏବିଭିପିକୁ ଜେନ୍-ଜି ଅଧିକ ଭରସା କରିଛନ୍ତି। ସେପଟେ ବିଜୁ ଛାତ୍ର ଜନତା ଦଳ ମଧ୍ୟ ଅନେକ ସ୍ଥାନରେ ଭଲ ପ୍ରଦର୍ଶନ କରିଛି। ଯଦିଓ ବାଣୀବିହାର ଗଡ଼କୁ ଛଡାଇ ନେଇଛି ଏବିଭିପି କିନ୍ତୁ ରମାଦେବୀ ବିଶ୍ବବିଦ୍ୟାଳୟରେ କ୍ଲିନ୍ ସୁଇପ୍ କରିଛି ବିସିଜେଡି। ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ଦମ୍ ଦେଖାଇଛନ୍ତି ରମାଦେବୀରେ। ଅପରପକ୍ଷେ ଛାତ୍ର କଂଗ୍ରେସ ଓ ଏଆଇଏସ୍ଏଫ୍ ବାଣୀବିହାର ସମେତ ଆଉ କିଛି ଶିକ୍ଷାନୁଷ୍ଠାନରେ ଖାତା ଖୋଲି ଚକମା ଦେଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ଛାତ୍ର ରାଜନୀତି ଏବେ ନୂଆ ଦିଗ ଆଡକୁ ଗତି କରୁଛି।
ଛାତ୍ର ସଂସଦ ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି ଜେନ୍ ଜି। ତେବେ ପ୍ରତି ଛାତ୍ର ସଂଗଠନ ପାଇଁ ବଢ଼ିଛି ଚାଲେଞ୍ଜ। ଏବିଭିପି ପାଇଁ ଆହ୍ବାନ ହେଉଛି, ବିଜୟ ପରେ କ୍ୟାମ୍ପସ୍ ରେ ନିଜ ସଂଗଠନକୁ ତିଆରି କରିବା। କାରଣ ନିର୍ବାଚନରେ ସଂଗଠନର ପ୍ରାର୍ଥୀମାନଙ୍କୁ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ବାହ୍ୟ ସମର୍ଥନ ରହିଥିଲା। ଏହାସହ ଦେଇଥିବା ଇସ୍ତାହାରକୁ ବାସ୍ତବ ରୂପ ଦେବା ଏବିଭିପି ପାଇଁ ମୁଖ୍ୟ ଚାଲେଞ୍ଜ। ସେହିପରି ବିଜୁ ଛାତ୍ର ଜନତା ଦଳ ପାଇଁ ଚାଲେଞ୍ଜ ହେଉଛି, ବିରୋଧୀ ଦଳରେ ରହି କ୍ୟାମ୍ପସ କମିଟିକୁ ଅଧିକ ସୁଦୃଢ କରିବା। ସବୁଠାର ଅଧିକ ଆହ୍ବାନ ଛାତ୍ର କଂଗ୍ରେସ ପାଇଁ। ଜେନ୍ ଜି ଙ୍କ ପାଇଁ ଦଳ ଲଢୁଥିଲେ ବି ସମର୍ଥନ ସେତିକି ମିଳୁନାହିଁ ବା ଭୋଟ୍ ରେ ପରିବର୍ତ୍ତିତ ହେଉନାହିଁ। ଆସନ୍ତା ପଞ୍ଚାୟତ, ପୌର ନିର୍ବାଚନରେ ବଡ଼ ଭୂମିକା ନେବେ ଯୁବ ଭୋଟର। ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଜେନ୍ ଜି ଷ୍ଟ୍ରେନ୍ଥ୍ ଗୋଟାଇବାକୁ ପ୍ରମୁଖ ତିନି ରାଜନୈତିକ ଦଳରେ କସରତ ଆରମ୍ଭ ହୋଇଯାଇଛି। ତେବେ ଜେନ୍ ଜି କାହାକୁ କେତେ ଭରସା କରୁଛନ୍ତି ତାର ଏସିଡ୍ ଟେଷ୍ଟ ଛାତ୍ର ସଂସଦ ନିର୍ବାଚନରୁ ଏକ ପ୍ରକାର ହୋଇସାରିଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ। ଖାଲି ସେତିକି ନୁହେଁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଯୁବ ବର୍ଗ ବଡ ଫାକ୍ଟର ସାଜିବେ।
ଛାତ୍ର ସଂସଦ ନିର୍ବାଚନ ହେଉଛି ଯୁବ ଭୋଟରଙ୍କୁ ପରଖିବାର ସର୍ବୋତ୍କୃଷ୍ଟ ବ୍ୟବସ୍ଥା। ଆଉ ଯୁବ ଭୋଟର ପଞ୍ଚାୟତ ଓ ପୌର ନିର୍ବାଚନରେ କାହା ସପକ୍ଷରେ ମତ ରଖୁଛନ୍ତି ତାକୁ ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।