Oath Amid Controversies and Campus Tensions: ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ଛାତ୍ର ନେତୃତ୍ୱ, ରାତି ଅଧରେ ହାଇଡ୍ରାମା
୮ ବର୍ଷର ବ୍ୟବଧାନ ପରେ ଛାତ୍ର ପ୍ରତିନିଧି ବାଛିଲା କ୍ୟାଂପସ। ଶପଥପାଠ ସହ ଅନୁଷ୍ଠାନର ବିକାଶର ପ୍ରତିଶ୍ରୁତି ପାଇଁ ପଣ କଲେ ନୂଆ ନେତା। କିନ୍ତୁ ଏଥର ନିର୍ବାଚନ ଲେଖିଦେଇଗଲା ଇତିହାସ। କମ୍ପୁଛି କ୍ୟାଂପସ୍, ସେଲିବ୍ରେସନ ମୁଡରେ ନିର୍ବାଚିତ ଛାତ୍ର ଗୋଷ୍ଠୀ। ପାଟ ପଟୁଆର ଧରି ଆଜି ପହଞ୍ଚିଥିଲେ ଶପଥ ସମାରୋହରେ, ଜଣଙ୍କ ପରେ ନେଇଥିଲେ ଶପଥ। ଆଜି ଦିନରେ ସିନା ଥିଲା ଏଭଳି ଚିତ୍ର, ହେଲେ ଗତ ରାତିର ଦୃଶ୍ୟ କିନ୍ତୁ ବଖାଣୁଥିଲା ଭିନ୍ନ କିଛି। ରାତି ଯେତେ ବଢୁଥିଲା ଛାତ୍ର ରାଜନୀତିର ତାତି ବଢୁଥିଲା ତାଳ ଦେଇ। ରମାଦେବୀ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟର। ରାଜଧାନୀର ଛାତି ଉପରେ ଥିବା ଉଭୟ କ୍ୟାଂପସରେ ହଲ୍ଲାବୋଲ। ମତଦାନ ସରିବା ପରେ ଗଣତି ପ୍ରକ୍ରିୟା ଭିତରେ ମୁହାମୁହିଁ ହେବା ସହ ମଧ୍ୟ ରାତି ଯାଏଁ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା।
ରମାଦେବୀ ୟୁନିର୍ଭସିଟିରେ ଗଣତିବେଳେ ବାଲାଟ୍ ଚିରା ଅଭିଯୋଗ ଆଣି କାଉଣ୍ଟିଂ ସେଣ୍ଟରରୁ ବାହାରିଯାଇଥିଲେ ABVP ଏଜେଣ୍ଟ। ପରିଣାମ ସ୍ବରୂପ ପ୍ରଭାବିତ ହୋଇଥିଲା ଗଣତି, ଫଳାଫଳ ଘୋଷଣାରେ ହୋଇଥିଲା ବିଳମ୍ବ। ତେଣୁ କର୍ତ୍ତୃପକ୍ଷ ଏଜେଣ୍ଟଙ୍କୁ ଡକାଇଥିଲେ କାଉଣ୍ଟିଂ ସେଣ୍ଟରକୁ। ଶେଷରେ ଦୀର୍ଘ ସମୟର ଛକାପଂଝା ପରେ କାଉଣ୍ଟିଂ ସହ ରାତି ପ୍ରାୟ ୨ଟା ୪୩ରେ ବାହାରିଥିଲା ଫଳାଫଳ। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନେ ବାରମ୍ବାର କାଉଣ୍ଟିଂ ଦାବି କରିବାରୁ ବିଳମ୍ବ ହୋଇଥିଲା ରେଜଲ୍ଟ ଘୋଷଣା। ଏପରିକି ଗୋଟିଏ ଛାତ୍ର ଗୋଷ୍ଠୀ ରାଜପଥ ବି ଅବରୋଧ କରିଥିଲେ। ଶେଷରେ ପୋଲିସର ବୁଝାସୁଝା ପରେ କାଉଣ୍ଟିଂ କରାଯାଇ ରାତି ପ୍ରାୟ ଗୋଟାଏରେ ଘୋଷଣା କରାଯାଇଥିଲା ଫଳାଫଳ। ଆଉ ଆଜି ନିଜ ନିଜର ସମର୍ଥକଙ୍କ ଯାଇ ଶପଥପାଠ କରିଥିଲେ ନିର୍ବାଚିତ ଛାତ୍ର ପ୍ରତିନିଧି ।
କାଲି ଦିନଠୁ ରାତି ତମାମ ଛକାପଂଝା ସତ୍ତ୍ବେ ଏହି ୨ ପ୍ରମୁଖ ବିଶ୍ବବିଦ୍ୟାଳୟକୁ ଛାତ୍ର ନେତା ତ ମିଳିଗଲେ, କିନ୍ତୁ ଆଜି ବି ଅନେକ ମହାବିଦ୍ୟାଳୟରେ ଅଧାରେ ଅଟକି ଯାଇଛି ନିର୍ବାଚନ। ସାଇନ୍-ଏ-ଡାଏ କଥା ଛାଡ଼ନ୍ତୁ, ନା ଫଳ ଘୋଷଣା ହୋଇଛି ନା ଶପଥପାଠ ସରିଛି। ପାୱାର୍ ପଲିଟିକ୍ସର ହଟସ୍ପଟ୍ କେନ୍ଦ୍ରାପଡ଼ାର ଅଟୋନୋମସ୍ କଲେଜରେ ବାତିଲ ହୋଇଯାଇଛି ଶପଥ ଗ୍ରହଣ ଉତ୍ସବ। ଭୋଟ୍ ଗଣତିରେ ହେରଫେର୍ ଅଭିଯୋଗ ପରେ କଲେଜ କର୍ତ୍ତୃପକ୍ଷ ବାତିଲ୍ କରିଦେଇଛନ୍ତି।...ସେହିପରି ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ଯୋଗୁ ସ୍ଥଗିତ ରହିଛି ଓଥ୍ ସେରିମୋନି। ଖଲ୍ଲିକୋଟ RCM କଲେଜରେ ରି-କାଉଣ୍ଟିଂ ଆବେଦନ ପରେ ଶପଥପାଠ ସ୍ଥଗିତ ରହିଛି। ବାଲେଶ୍ବର କୁପାରୀ ସ୍ଥିତ ହରେକୃଷ୍ଣ ମହତାବ ଡିଗ୍ରୀ କଲେଜରେ ଚୟନ ପ୍ରକ୍ରିୟାକୁ ବିରୋଧ କରି ଭଙ୍ଗାରୁଜା କରିଛନ୍ତି ଛାତ୍ର ଗୋଷ୍ଠୀ। ଆଉ ଏ ଚିତ୍ର ରାୟଗଡ଼ା ଅଟୋନୋମସ୍ କଲେଜର। ଭୋଟ ଗଣତିରେ ଚଞ୍ଚକତା ଅଭିଯୋଗ କରି ରାତିତମାମ ଧାରଣା ଦେଇଥିଲେ BCJD ସମର୍ଥିତ ପ୍ରାର୍ଥୀ ଓ ସମର୍ଥକ। ଯେଉଁଠି ବାଜି ମାରିଥିଲେ ABVP ସମର୍ଥିକ ପ୍ରାର୍ଥୀ ସୁମିତ ରତ୍ନାଲୁ।
ଛାତ୍ର ସଂସଦ ନିର୍ବାଚନବେଳେ ଅଣଛାତ୍ରଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରିପାରିନାହାଁନ୍ତି ପୋଲିସ ଡିଜି। କହିଛନ୍ତି, FIR ହେଲେ ଅଣଛାତ୍ରଙ୍କ ବିରୋଧରେ ଆକ୍ସନ ହେବ। ସିସିଟିଭି ଫୁଟେଜ ଯାଞ୍ଚ କରି ଆକ୍ସନ ନିଆଯିବ। ତଥାପି ଛୋଟମୋଟ ଘଟଣାକୁ ଛାଡ଼ିଦେଲେ ସବୁଠି ଶୃଙ୍ଖଳାର ସହ ନିର୍ବାଚନ ସରିଥିବା କହିଛନ୍ତି ଡିଜିପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।