Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….
ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ ଆୟୋଜିତ ‘ଯୁବ ଧର୍ମ ସଂସଦ’କୁ ନେଇ ସେ ଖୁସି ପ୍ରକାଶ କରିବା ସହ ଯୁବପିଢ଼ି ଧର୍ମ ବିଷୟରେ ଆଲୋଚନା କରିବା ଦରକାର ବୋଲି କହିଛନ୍ତି।
ଭାଗବତ କହିଛନ୍ତି, ଆଜିକାଲି ଯୁବପିଢ଼ି ଧର୍ମ ବିଷୟରେ ଆଲୋଚନା କରିବା କମାଇ ଦେଇଛନ୍ତି । ଧର୍ମକୁ ଅନେକ ସମୟରେ ବୃଦ୍ଧାବସ୍ଥାର ବିଷୟ ବୋଲି ଭାବାଯାଏ । ଗୀତା ଓ ରାମାୟଣକୁ ମଧ୍ୟ ଅବସର ନେବା ପରେ ପଢ଼ିବାର ପୁସ୍ତକ ବୋଲି ଧରାଯାଏ । କିନ୍ତୁ ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି।ମୋହନ ଭାଗବତଙ୍କ କହିବା ଅନୁଯାୟୀ, ଧର୍ମ ମଣିଷର ଅସ୍ତିତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥାଏ। ମଣିଷ ଏହାକୁ ବିଶ୍ୱାସ କରୁ କିମ୍ବା ନ କରୁ, ପୃଥିବୀର କିଛି ଘଟଣା ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଚାଲେ ବୋଲି ସେ କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ ସୂର୍ଯ୍ୟର ଅସ୍ତିତ୍ୱ ରହିଛି ଏବଂ ତାହାର ଉଦୟ ଓ ଅସ୍ତ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ହୋଇଥାଏ।
ସେ ଆହୁରି କହିଛନ୍ତି, ମଣିଷ ଯେତେବେଳେ ଅହଂକାର ବଶତଃ ସବୁକିଛି ତା’ର ନିୟନ୍ତ୍ରଣରେ ରହିବା ଦରକାର ବୋଲି ଭାବେ, ସେତେବେଳେ ଭୁଲ ବୁଝାମଣା ସୃଷ୍ଟି ହୁଏ। ସବୁକିଛି ନିଜ ଇଚ୍ଛା ଅନୁସାରେ ହେବ ବୋଲି ଭାବିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ନିଜକୁ ଧର୍ମର ବିଶେଷଜ୍ଞ ଭାବେ ବିବେଚନା କରୁନଥିବା କହି ଭାଗବତ କହିଛନ୍ତି ଯେ ଧର୍ମ ଏଭଳି ଏକ ଧାରଣା, ଯାହାକୁ ଅନ୍ୱେଷଣ କରିବାରେ ସାରା ଜୀବନ ବିତିଯାଇପାରେ । ଧର୍ମକୁ ବୁଝିବା ପୂର୍ବରୁ ମନକୁ ସଫା କରିବା ଆବଶ୍ୟକ । ପୂର୍ବରୁ ଶିଖିଥିବା ଧାରଣାକୁ ପାଖରେ ରଖି ଧର୍ମକୁ ବୁଝିବାର ଚେଷ୍ଟା କରିବା ଦରକାର ବୋଲି ସେ କହିଛନ୍ତି।
ସେ କହିଛନ୍ତି, ତାଙ୍କ ପାଇଁ ଧର୍ମ ଜନ୍ମରୁ ନିର୍ଦ୍ଦିଷ୍ଟ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ରହିବ। ସୃଷ୍ଟିର ଆରମ୍ଭରୁ ଧର୍ମ ରହିଛି ଏବଂ ଶେଷ ପର୍ଯ୍ୟନ୍ତ ରହିବ ବୋଲି ସେ ମତ ଦେଇଛନ୍ତି । ସମ୍ପର୍କ ଓ ସମ୍ବନ୍ଧ ପୂର୍ବରୁ ମଧ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ ବୋଲି ଭାଗବତ କହିଛନ୍ତି। ତାଙ୍କ ମତରେ, ଧର୍ମ ମାଧ୍ୟମରେ ଜୀବନର ସୁଖ ଏବଂ ମୋକ୍ଷର ମାର୍ଗ ରହିଛି। ଯେକୌଣସି ପରିସ୍ଥିତିରେ ଧର୍ମର ତ୍ୟାଗ ନକରିବାକୁ ସେ ଆହ୍ୱାନ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।