ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ
କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ ୮ ଉଇକେଟରେ ପରାସ୍ତ କରିଛି।
ଏହି ବିଜୟ ସହ ଭାରତ ୨୦୨୬ ଏସୀୟ କ୍ରୀଡ଼ା ମହିଳା କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଜାପାନ ଦ୍ୱାରା ଧାର୍ଯ୍ୟ ୫୭ ରନ୍ ଲକ୍ଷ୍ୟକୁ ପିଛା କରି ଭାରତ ମାତ୍ର ୫ ଓଭରରେ ଏହା ହାସଲ କରିନେଇଥିଲା। ଶଫାଲି ବର୍ମା ୪୦ ରନ୍ର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିବା ବେଳେ ଛକା ମାରି ଦଳକୁ ବିଜୟ କରାଇଥିଲେ।
ସେହିପରି ରିଚା ଘୋଷ ୬ଟି ବଲ୍ରୁ ୧୨ ରନ କରି ଅପରାଜିତ ରହିଥିଲେ ଏବଂ ଦୁଇଟି ଚୌକା ମାରିଥିଲେ। ବର୍ତ୍ତମାନ ଭାରତ ସେପ୍ଟେମ୍ବର ୨୦ ତାରିଖରେ ସେମିଫାଇନାଲରେ ବାଂଲାଦେଶର ମୁକାବିଲା କରିବ।
ପ୍ରଥମ ଉଇକେଟ ପଡ଼ିବା ମାତ୍ରେ ଜାପାନର ଇନିଂସ ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ହାରୁନା ଇୱାସାକି (୧୦ ରନ) ଏବଂ ଆୟାକା କାଟୋ ଷ୍ଟାଫୋର୍ଡ (୪୭ ବଲରେ ୨୫ ରନ) ଆଉଟ ହୋଇଯାଇଥିଲେ। ଏହି ଦୁଇ ଓପନର୍ ଦଳ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ। ଏହା ପରେ, ଅଧିନାୟିକା ମାଇ ୟାନାଗିଡା ବିନା କୌଣସି ରନ ସଂଗ୍ରହ କରି ପାଭିଲିୟନ ଫେରିଯାଇଥିଲେ।
ଏରିକା ଓଡା (୫ ରନ), ଶିମାକୋ କାଟୋ (୩ ରନ), ଆକାରି ନିଶିମୁରା କାନୋ (୨ ରନ) ଏବଂ ହିନାସି ଗୋଟୋ (୧ ରନ) ସ୍କୋରବୋର୍ଡରେ ରନ ଯୋଡ଼ିବାରେ ସଫଳ ହୋଇଥିଲେ। ଅହିଲ୍ୟା ଚାନ୍ଦେଲ ଏବଂ ଏରିକା ଟୋଗୁଚି କ୍ୱିନ ବିନା ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ଶ୍ରୀ ଚରଣୀ ୪ଟି ଉଇକେଟ ନେଇଥିବାବେଳେ ଶେଫାଲୀ ବର୍ମା ୨ଟି ଉଇକେଟ ନେଇଥିଲେ। ଶ୍ରେୟଙ୍କା ପାଟିଲ ଏବଂ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।