Gidipabali Landslide Rescue Operation Continues: ଗିଡ଼ିପାବାଲିରେ ମାରାଥନ୍ ରେସ୍କ୍ୟୁ ଅପରେସନ୍, ଜୀବିତ ଅଛନ୍ତି କି ୧୦ ନିଖୋଜ ?

Nov 01, 2026 - 21:12
Gidipabali Landslide Rescue Operation Continues: ଗିଡ଼ିପାବାଲିରେ ମାରାଥନ୍ ରେସ୍କ୍ୟୁ ଅପରେସନ୍, ଜୀବିତ ଅଛନ୍ତି କି ୧୦ ନିଖୋଜ ?

ଜୀବନ ଯେତେବେଳେ ମାଟି ତଳେ ହଜିଯାଏ, ଜୀବିତ ମଣିଷ ଆଖିରେ ଲୁହ ଛଡ଼ା ଆଉ କଣ ବା ଦିଶିବ।

ସମ୍ପର୍କର ଚିହ୍ନ କାଦୁଅ ହୋଇଯିବା ପରେ ଏହା ହେଉଛି ଯନ୍ତ୍ରଣାର ପରିଭାଷା।

ଜୀବନର ଅନିଶ୍ଚିତତା ଭିତରେ ମେଞ୍ଚା ମେଞ୍ଚା ଅଧୁରା ଆଶାକୁ ଧରି ଆଜି ବି ଚାଲିଛି ମାଟିତଳୁ ଜୀବନ ଖୋଜା।

ଗଞ୍ଜାମ ଭଞ୍ଜନରର ଗିଡ଼ିପାବାଲି।

ବିରାଟ ବିରାଟ ପଥର।

ମାଟିର ପାହାଡ଼।

ଭିତରୁ ଦିଶୁଛି ଭଙ୍ଗା ଘରର ଅବଶେଷ।

ତା ଭିତରେ ହଜିଛି ୧୦ ଜୀବନ।

ଧ୍ୱଂସସ୍ତୂପ ଭିତରେ କେଉଁଠି ଲୁଚିଛି ମଣିଷ, କେଉଁଠି ପୋତି ହୋଇଛି ଜୀବନ।

କେଉଁଠି ସମାଧି ନେଇଛି କାହା ସଂସାର...କାହାରିକୁ କିଛି ବି ଜଣା ନାହିଁ ।

ମାଟି ତଳେ କିଏ ଅଛି, କିଏ ନାହିଁ...ଉତ୍ତର ଖୋଜୁଛି ମଣିଷ।

୧୫୦ରୁ ଅଧିକ ରେସ୍କ୍ୟୁ ଟିମ୍ ।

NDRF ସାଙ୍ଗକୁ ଓଡ୍ରାଫ୍, ଏସଓଜି, ଫାୟାର୍ ଆଉ ରେଲଓ୍ୱେର ମେକାନିକାଲ୍ ଟିମ୍।

ମାଟି ପଙ୍କରେ ହଜିଯାଇଥିବା ମଣିଷଙ୍କ ଠିକଣା ଖୋଜୁଛନ୍ତି।

ଏହାରି ଭିତରେ ଦୁଇ ଜଣ ଫେରିଛନ୍ତି...ହେଲେ ଜୀବନ ନେଇ ନୁହେଁ।

ପଥର ତଳୁ ଉଦ୍ଧାରକାରୀ ଦଳ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି।

ବଳକା ୧୦ ଜଣଙ୍କ ସନ୍ଧାନ ପାଇଁ ଲାଇଫ୍ ଡିଟେକ୍ସନ୍ ୟୁନିଟର ସହାୟତା ନିଆଯାଇଛି।

ଖଣି ମନ୍ତ୍ରୀ ନିଜେ ଭୂସ୍ଖଳନ ସ୍ଥଳକୁ ଯାଇଛନ୍ତି।

Advertisment ବୁଧବାର ଭୋର ସମୟ।

ବିପର୍ଯ୍ୟୟ ଏମିତି ଚାଞ୍ଛି ନେଇଥିଲା ଯେ, ଗିଡ଼ିପାବାଲିର ଚିହ୍ନବର୍ଣ୍ଣ ନାହିଁ।

କାଳରାତିରେ କେମିତି ତାଣ୍ଡବ ରଚିଥିଲା ପାହାଡ଼, କେମିତି ଆଖି ଆଗରେ ଭସାଇ ନେଇଥିଲା ସଂସାର, ସେକଥାକୁ ଗୋଟି ଗୋଟି କରି କହିଛନ୍ତି ବିପନ୍ନ।

ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ୨୮ ରାତିରେ ଭୂସ୍ଖଳନର ଛାତିଥରା ଅନୁଭୂତି।

ଗାଁରେ କେତେକ ସ୍ଥାନରେ ପ୍ରାୟ ୨୦ ଫୁଟ୍ ଉଚ୍ଚରେ ମାଟି ଓ ପଥର ଜମା ରହିଛି।

ଅତ୍ୟାଧୁନିକ ଯନ୍ତ୍ରପାତି ଧରି ଘଟଣାସ୍ଥଳରେ ପହଞ୍ଚିବା ବି ସହଜ ନୁହେଁ।

କାରଣ ଗିଡ଼ିପାବାଲିକୁ ରାସ୍ତା ଦୁର୍ଗମ ଯେତିକି ବିପଦ ସେତିକି।

ରେଲୱେର ଟେକ୍ନିକାଲ୍ ଟିମ୍ ଗାଁରେ ପହଞ୍ଚିବାକୁ ପାହାଡ଼ ଭିତରେ ଏମିତି ରାସ୍ତା ଦେଇ ଯିବାକୁ ପଡ଼ୁଛି।

ପାଦ ଖସିଲେ ନିଜ ଜୀବନ ବି ରହିବନି।

ମେସିନାରୀ ସାଙ୍ଗରେ ଧରି ଚାଲିବା ମୁସ୍କିଲ୍।

ସୂଚନା ଅନୁସାରେ, ଗିଡ଼ିପାବାଲି ପାହାଡ଼ ଆରପଟେ ପ୍ରାୟ ହଜାରେ ଫୁଟ ତଳେ ରହିଛି।

ଦୁର୍ଗମ ରାସ୍ତା, କଷ୍ଟକର ଭୌଗୋଳିକ ସ୍ଥିତି ହେତୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସେପଟେ ବଲିଙ୍ଗିଆ ଗାଁରେ ମଧ୍ୟ ଫସିଥିବା ଲୋକଙ୍କୁ ଯବାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି।

Advertisment ବୁଧବାର ଭୋର ସମୟରେ ଭୂସ୍ଖଳନ ଦେଖିଥିବା ଗିଡ଼ିପାବାଲିର ଦୁର୍ଦ୍ଦଶା ପ୍ରାୟ ଅଢେଇ ଦିନ ଧରି କେହି ଜାଣିନଥିଲେ।

ପୀଡ଼ିତଙ୍କ ସୂଚନା ପରେ ଶୁକ୍ରବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ।

ଆଉ ଗତକାଲି ସକାଳ ଅର୍ଥାତ ଶନିବାରଠୁ ହିଁ ମାଟି ତଳୁ ଖୋଜା ଚାଲିଛି ଜୀବନ।

ବାସ୍ତବରେ ଜୀବିତ ଅଛନ୍ତି ତ ନିଖୋଜ ୧୦ ଜଣ ?

୪ ଦିନ ହେଲା ମାଟି ତଳେ କେମିତି ଥିବ ସେମାନଙ୍କ ଅବସ୍ଥା ?

ସେଇଠି ପୋତି ହୋଇଛନ୍ତି ନା କାଦୁଅ ସହ ଆଉ କେଉଁଠିକୁ ଭାସିଯାଇଛନ୍ତି ?

ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ତାହା ସ୍ପଷ୍ଟ ହୋଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।