Gold Prices Fall Ahead of Diwal: ଦୀପାବଳି ପୂର୍ବରୁ ଖସିଲା ସୁନା ଦର, ଧନତେରସରେ ଆହୁରି ଶସ୍ତା ହେବ କି?

Oct 20, 2026 - 17:21
Gold Prices Fall Ahead of Diwal: ଦୀପାବଳି ପୂର୍ବରୁ ଖସିଲା ସୁନା ଦର, ଧନତେରସରେ ଆହୁରି ଶସ୍ତା ହେବ କି?

ଦୀପାବଳି ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଅନ୍ତର୍ଜାତୀୟ ବଜାରରେ ଖସିଛି ସୁନା ଦର। ଫଳରେ ଧନତେରସ ଓ ଦୀପାବଳିରେ ସୁନା କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ନଜର ଏବେ ବଜାର ଉପରେ। ତେବେ ସୁନା ଦାମ ଆହୁରି କମିବ ନା ବଢ଼ିବ? ଏହାକୁ ନେଇ ଲାଗି ରହିଛି ଅନିଶ୍ଚିତତା।

ରିପୋର୍ଟ ଅନୁସାରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୭ ହଜାର ୩୦୦ ଟଙ୍କା ରହିଥିଲା। ଏହା ୦.୪୨ ପ୍ରତିଶତ ହ୍ରାସ। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସ୍ପଟ୍ ଗୋଲ୍ଡ ଦର ୦.୩ ପ୍ରତିଶତ ଖସି ଆଉନ୍ସ ପିଛା ୪,୧୨୮.୯୨ ଡଲାରରେ ପହଞ୍ଚିଥିଲା।

ସୁନା ଦର ହ୍ରାସ ପଛରେ ରହିଛି ଅଶୋଧିତ ତୈଳର ବଢ଼ୁଥିବା ଦାମ ଓ ଆମେରିକାର ସୁଧହାରକୁ ନେଇ ଚିନ୍ତା। ମଧ୍ୟପ୍ରାଚ୍ୟରେ ଭୂରାଜନୈତିକ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ଦର ବଢ଼ିଛି। ତୈଳ ଦର ବଢ଼ିଲେ ପରିବହନ ଓ ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ମୁଦ୍ରାସ୍ଫୀତିର ଚାପ ବଢ଼ିପାରେ।

ଏଭଳି ସ୍ଥିତିରେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧହାର କମାଇବାରେ ବିଳମ୍ବ କରିପାରେ। ସୁଧହାର ଅଧିକ ରହିଲେ ସୁନାରେ ନିବେଶ କରିବା ଅପେକ୍ଷା ସୁଧ ଦେଉଥିବା ଅନ୍ୟ ନିବେଶ ମାଧ୍ୟମ ପ୍ରତି ନିବେଶକଙ୍କ ଆଗ୍ରହ ବଢ଼ିପାରେ। ଏହା ସୁନା ଦର ଉପରେ ଚାପ ପକାଇଥାଏ।

ଆମେରିକାର ଫେଡେରାଲ୍ ରିଜର୍ଭର ଆଗାମୀ ବୈଠକ ଉପରେ ଏବେ ନିବେଶକଙ୍କ ନଜର। ସୁଧହାରକୁ ନେଇ ଫେଡ୍‌ର ନିଷ୍ପତ୍ତି ସୁନା ଦରର ପରବର୍ତ୍ତୀ ଗତି ନିର୍ଦ୍ଧାରଣ କରିପାରେ। ସୁଧହାର ଅପରିବର୍ତ୍ତିତ ରହିଲେ ସୁନା ଦରକୁ କିଛି ସମର୍ଥନ ମିଳିପାରେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଧହାର ଅଧିକ ରହିବାର ସଙ୍କେତ ମିଳିଲେ ସୁନା ଦର ଉପରେ ଚାପ ବଢ଼ିପାରେ।

ତେବେ ମନେ ରଖନ୍ତୁ, ଅନ୍ତର୍ଜାତୀୟ ବଜାରରେ ସୁନା ଦର ଖସିଲେ ମଧ୍ୟ ଭାରତରେ ସୁନା ଦାମ ସେହି ଅନୁପାତରେ କମିବା ନିଶ୍ଚିତ ନୁହେଁ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ, ଆମଦାନି ଖର୍ଚ୍ଚ ଓ ସ୍ଥାନୀୟ ବଜାରର ସ୍ଥିତି ମଧ୍ୟ ଦାମକୁ ପ୍ରଭାବିତ କରେ। ତେଣୁ ଧନତେରସରେ ସୁନା କିଣିବା ପୂର୍ବରୁ ସେହି ଦିନର ସ୍ଥାନୀୟ ଦର ଯାଞ୍ଚ କରିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।