Gondhal Chosen as India's Official Entry for Oscars: ଓସ୍କାର ଦୌଡ଼ରେ ମରାଠୀ ସିନେମା, ଭାରତର ପ୍ରତିନିଧିତ୍ୱ କରିବ ଗୋନ୍ଧଳ

Sep 18, 2026 - 16:35
Gondhal Chosen as India's Official Entry for Oscars: ଓସ୍କାର ଦୌଡ଼ରେ ମରାଠୀ ସିନେମା, ଭାରତର ପ୍ରତିନିଧିତ୍ୱ କରିବ ଗୋନ୍ଧଳ

୯୯ତମ ଏକାଡେମୀ ଆୱାର୍ଡ୍ସ ବା ଓସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମରାଠୀ ଫିଲ୍ମ ‘ଗୋନ୍ଧଳ’କୁ ଚୟନ କରାଯାଇଛି। ଶୁକ୍ରବାର, ସେପ୍ଟେମ୍ବର ୧୮ ତାରିଖରେ ମୁମ୍ବାଇଠାରେ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ପକ୍ଷରୁ ଏହି ଘୋଷଣା କରାଯାଇଛି।

ଚଳିତ ବର୍ଷ ଓସ୍କାର ଦୌଡ଼ରେ ଥିବା ୩୦ରୁ ଅଧିକ ଫିଲ୍ମ ମଧ୍ୟରୁ ନିର୍ଦ୍ଦେଶକ ସନ୍ତୋଷ ଦାବଖରଙ୍କ ‘ଗୋନ୍ଧଳ’କୁ ଜୁରୀ ଚୟନ କରିଛନ୍ତି। ଏହି ଫିଲ୍ମରେ କିଶୋର କଦମ, ଇଶିତା ଦେଶମୁଖ, ଯୋଗେଶ ସୋହନୀ, ନିଶାଦ ଭୋଇର ଓ ଅନୁଜ ପ୍ରଭୁ ପ୍ରମୁଖ ଭୂମିକାରେ ଅଛନ୍ତି।

ମହାରାଷ୍ଟ୍ରର ପାରମ୍ପରିକ ‘ଗୋଧଳ’ ରୀତିନୀତିକୁ ଆଧାର କରି ଫିଲ୍ମର କାହାଣୀ ଗଢ଼ାଯାଇଛି। ସଙ୍ଗୀତ, ନୃତ୍ୟ ଓ ପୌରାଣିକ ପରମ୍ପରାରେ ଭରପୂର ଏହି ରାତିକାଳୀନ ଲୋକ ପ୍ରଦର୍ଶନର ପୃଷ୍ଠଭୂମିରେ ଆରମ୍ଭ ହୁଏ ଏକ ବିବାହ ଉତ୍ସବ। ହେଲେ ଧୀରେ ଧୀରେ ଏହା ଇଚ୍ଛା, ଈର୍ଷା, ପ୍ରତାରଣା ଓ ଲୁଚି ରହିଥିବା ତିକ୍ତତାର ଏକ ଅନ୍ଧକାର କାହାଣୀରେ ପରିଣତ ହୁଏ।

‘ଗୋନ୍ଧଳ’ ହେଉଛି ନିର୍ଦ୍ଦେଶକ ସନ୍ତୋଷ ଦାବଖରଙ୍କ ପ୍ରଥମ ଫିଚର ଫିଲ୍ମ। ଗୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ଏହା ପ୍ରଦର୍ଶିତ ହୋଇ ‘ସିଲ୍ଭର ପିକକ୍’ ସ୍ପେଶାଲ୍ ଜୁରୀ ସମ୍ମାନ ହାସଲ କରିଥିଲା। ତେବେ ୨୦୨୫ ନଭେମ୍ବରରେ ମୁକ୍ତିଲାଭ କରିଥିବା ଫିଲ୍ମର ଥିଏଟର ପ୍ରଦର୍ଶନ ସୀମିତ ରହିଥିଲା।

ଓସ୍କାର ପାଇଁ ଚୟନ ହେବା ଏହାର ପ୍ରଥମ ପଦକ୍ଷେପ। ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବିଭାଗରେ ୧୫ଟି ଫିଲ୍ମର ସର୍ଟଲିଷ୍ଟ ଓ ପରେ ଚୂଡ଼ାନ୍ତ ୫ଟି ମନୋନୟନ ଘୋଷଣା କରାଯିବ। ୯୯ତମ ଏକାଡେମୀ ଆୱାର୍ଡ୍ସ ୨୦୨୭ ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।