Government Tightens SIM Connection Limits: ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ଅଗଷ୍ଟ ୨୪ରୁ ହେବ କଡ଼ା ଯାଞ୍ଚ

Aug 21, 2026 - 15:59
Government Tightens SIM Connection Limits: ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ଅଗଷ୍ଟ ୨୪ରୁ ହେବ କଡ଼ା ଯାଞ୍ଚ

ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଆପଣଙ୍କ ନାଁରେ ଯଦି ପୂର୍ବରୁ ନିର୍ଦ୍ଧାରିତ ସଂଖ୍ୟାରେ ସିମ୍ କାର୍ଡ ରହିଛି, ତେବେ ଏଣିକି ଆଉ ନୂଆ ସିମ୍ ନେବା ସହଜ ହେବନି। ଅଗଷ୍ଟ ୨୪ରୁ ନିୟମକୁ କଡ଼ା ଭାବେ ଲାଗୁ କରିବାକୁ ଯାଉଛି ଟେଲିକମ୍ ବିଭାଗ। ନିର୍ଦ୍ଧାରିତ ସୀମାରେ ପହଞ୍ଚିଥିବା ଗ୍ରାହକଙ୍କୁ ଟେଲିକମ୍ କମ୍ପାନୀ ଆଉ ନୂଆ ସିମ୍ ଜାରି କରିପାରିବେ ନାହିଁ।

ଜଣେ ବ୍ୟକ୍ତି କେତେ ସିମ୍ ରଖିପାରିବେ?

ଏହି ସୀମା ନୂଆ ନୁହେଁ। ଦୀର୍ଘଦିନ ଧରି ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରଖିବାର ନିୟମ ରହିଛି। ତେବେ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସୀମା ୬ଟି କନେକ୍ସନ୍। ନୂଆ କଥା ହେଉଛି, ଏଣିକି ଏହି ସୀମାକୁ ମାନିବା ନିଶ୍ଚିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକୁ ଅଧିକ କଡ଼ା ଯାଞ୍ଚ କରିବାକୁ ପଡ଼ିବ।

ନୂଆ ସିମ୍ ନେବାବେଳେ କଣ ହେବ?

ନୂଆ ସିମ୍ ପାଇଁ ଆବେଦନ କରିବା ସମୟରେ ଗ୍ରାହକଙ୍କୁ ନିଜ ନାଁରେ ପୂର୍ବରୁ ରହିଥିବା ମୋବାଇଲ୍ ନମ୍ବର ବିଷୟରେ ତଥ୍ୟ ଦେବାକୁ ପଡ଼ିବ। ଏଥିରେ ଅନ୍ୟ ଟେଲିକମ୍ କମ୍ପାନୀରୁ ନିଆଯାଇଥିବା ନମ୍ବର କିମ୍ବା ଅନ୍ୟ ଟେଲିକମ୍ ସର୍କଲ୍‌ରେ ଥିବା କନେକ୍ସନ୍ ମଧ୍ୟ ସାମିଲ ହେବ। ଅର୍ଥାତ୍, ଅଲଗା ଅଲଗା କମ୍ପାନୀରେ ନମ୍ବର ଥିଲେ ମଧ୍ୟ ମୋଟ ସଂଖ୍ୟା ଯାଞ୍ଚ କରାଯିବ।

ଏଥିପାଇଁ ସରକାରଙ୍କ ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ(ଡିଆଇପି) ବ୍ୟବହାର କରାଯିବ। ବିଭିନ୍ନ ଟେଲିକମ୍ କମ୍ପାନୀର ଗ୍ରାହକ ତଥ୍ୟକୁ ଯାଞ୍ଚ କରି ଜଣେ ବ୍ୟକ୍ତିଙ୍କ ନାଁରେ କେତୋଟି କନେକ୍ସନ୍ ରହିଛି, ତାହା ଜଣାପଡ଼ିବ। ଅଗଷ୍ଟ ୨୩ରୁ DIPରେ ଏକ ଫଟୋ ଆଧାରିତ ପରିଚୟ ସୁବିଧା ମଧ୍ୟ ଆରମ୍ଭ ହେବ। ସୀମା ପୂରଣ କରିଥିବା ଗ୍ରାହକଙ୍କୁ ଚିହ୍ନଟ କରି ନୂଆ ସିମ୍ ଆବେଦନ ସମୟରେ ଅପରେଟରମାନେ ଏହି ତଥ୍ୟ ବ୍ୟବହାର କରିପାରିବେ।

ତେବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଏକ ସିମ୍ ଭୁଲ୍‌ରେ ଆକ୍ଟିଭେଟ୍ ହୋଇଗଲା। ଏଭଳି ସ୍ଥିତିରେ ସେହି ମୋବାଇଲ୍ କନେକ୍ସନ୍‌କୁ ତୁରନ୍ତ ଗୋଟିଏ ଦିନ ପାଇଁ ସସ୍ପେଣ୍ଡ କରାଯାଇପାରେ। ପରେ ନିୟମ ଅନୁଯାୟୀ ମାମଲାର ସମାଧାନ କରାଯିବ। ଡିଆଇପି ସହ ନିଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଯୋଡ଼ିବା ଏବଂ ପ୍ରକ୍ରିୟାକୁ ସୁଚାରୁ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।