Guarded throughout, yet he jumped: ଟାୟର ପଙ୍କଚର ପରେ ପୋଲିସକୁ ଆକ୍ରମଣ, ଭ୍ୟାନରୁ ଡେଇଁ ଅଭିଯୁକ୍ତର ମୃତ୍ୟୁ
ଅଭିଯୁକ୍ତ ରାମାନୁଜ ଗୋସ୍ୱାମୀ ମେଡିକାଲ ଟେଷ୍ଟ ପାଇଁ ଯିବା ସମୟରେ ପୋଲିସ ଭ୍ୟାନରୁ ଡେଇଁ ପଡ଼ି ମୃତ୍ୟୁବରଣ କରିଛି। ଗୌହାଟୀର ଏ ହେଉଛି ସେହି ବ୍ୟକ୍ତି ଯାହା ବିରୋଧରେ ପତ୍ନୀଙ୍କ ମୁଣ୍ଡ କାଟି ଫ୍ରିଜରେ ରଖିବାର ଅଭିଯୋଗ ରହିଛି । ଏହି ଘଟଣା ବିଷୟରେ ଗୌହାଟୀର ଡେପୁଟି କମିଶନର ଅଫ ପୋଲିସ (ପୂର୍ବ) ଟାବୁ ରାମ ପେଗୁ କହିଛନ୍ତି ଯେ ଏହି ଘଟଣା ସୋମବାର ସକାଳେ ଘଟିଛି। ପ୍ରାୟ ରାତି ୨ଟା ସମୟରେ ଗୌହାଟୀ ପୋଲିସ ଗୋସ୍ୱାମୀକୁ ହସ୍ପିଟାଲକୁ ମେଡିକାଲ ଟେଷ୍ଟ ପାଇଁ ନେଇ ଯାଉଥିଲା ।
ରାସ୍ତାରେ ଗାଡ଼ିର ଟାୟର ପଙ୍କଚର ହୋଇଯାଇଥିଲା। ପୋଲିସ ପଙ୍କଚର ହୋଇଥିବା ଟାୟରକୁ ସ୍ପେୟାର ଟାୟର ସହ ବଦଳାଇଥିଲା । ଡିସିପିଙ୍କ ଅନୁସାରେ, ଟାୟର ବଦଳାଇବା ସମୟରେ ଗୋସ୍ୱାମୀ ପଳାଇବାର କୌଣସି ଚେଷ୍ଟା କରିନଥିଲା। କିଛି ମିନିଟ ପରେ ଗାଡ଼ି ଗଡି ନର୍ସିଂ କଲେଜ ନିକଟରେ ପହଞ୍ଚିବା ସମୟରେ ଗୋସ୍ୱାମୀ ହଠାତ୍ ହ୍ୟାଣ୍ଡକଫ୍ ଧରିଥିବା କନ୍ଷ୍ଟେବଲଙ୍କୁ ଆକ୍ରମଣ କରିଥିଲା ।
ଅଭିଯୁକ୍ତ କନ୍ଷ୍ଟେବଲଙ୍କୁ ଗୋଇଠା ମାରିଥିଲା । ତା’ପରେ ଗୋସ୍ୱାମୀ ମହିନ୍ଦ୍ରା ବୋଲେରୋର ପଛ ଦ୍ୱାର ଖୋଲି ଏସୟୁଭିରୁ ଡେଇଁ ପଡ଼ିଥିଲା। ସେ ରାସ୍ତାରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲା। ପୋଲିସ ତାକୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲା । ସେଠାରେ ପହଞ୍ଚିବା ମାତ୍ରେ ଡାକ୍ତର ମୃତ ଘୋଷଣା କରିଥିଲେ । ଡେପୁଟି କମିଶନର ଅଫ ପୋଲିସ ପେଗୁ କହିଛନ୍ତି ଯେ ତାକୁ ନିଆଯିବା ସମୟରେ ଗୋସ୍ୱାମୀ ଉପରେ କଡା ନଜର ଥିଲା ।
ଆସାମର ଏହି ବ୍ୟକ୍ତି ଗୋସ୍ୱାମୀ ପତ୍ନୀଙ୍କୁ ହତ୍ୟା କରି ଆଙ୍ଗୁଠି କାଟିବା ସହ ମୁଣ୍ଡ ମଧ୍ୟ ଫ୍ରିଜରେ ରଖିଥିଲା । ମୃତ ମହିଳାହ୍କ ନାଁ ଥିଲା ରିୟା ତାଲୁକଦାର । ୨୫ ବର୍ଷୀୟା ଏହି ମହିଳା ବିବାହର କେବଳ କିଛି ମାସ ପରେ ୬ ସେପ୍ଟେମ୍ବରରେ ଗୌହାଟୀରେ ତାଙ୍କ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ। ତାଙ୍କ ଆଙ୍ଗୁଠି ଅଧା କଟା ହୋଇଥିଲା, ଶରୀର ପଚିବା ଆରମ୍ଭ କରିଥିଲା ଏବଂ ତାଙ୍କ ମୁଣ୍ଡ ରେଫ୍ରିଜରେଟରରୁ ଉଦ୍ଧାର କରାଯାଇଥିଲା। ସେହି ରାତିରେ ତାଙ୍କ ସ୍ୱାମୀ ରାମାନୁଜ ଗୋସ୍ୱାମୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।