Disha Salian Death Case: ଦିଶା ସାଲିଆନ ମୃତ୍ୟୁ ମାମଲାରେ CBIର FIR, ତଦନ୍ତ ପରିସରରେ ଅନେକ ନାଁ
ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ FIR ରୁଜୁ କରିଛି। ଏତଲାରେ ଶିବସେନା (UBT) ନେତା ଆଦିତ୍ୟ ଠାକରେ, ରୋହନ ରୟ, ଅଭିନେତା ଡିନୋ ମୋରିଆ ଓ ସୂରଜ ପଞ୍ଚୋଲି, ଆଦିତ୍ୟ ଠାକରେଙ୍କ ସୁରକ୍ଷାକର୍ମୀ, ରିଆ ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ପୂର୍ବତନ ପୋଲିସ ଅଧିକାରୀ ସଚିନ ୱାଜେ, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ, DCP ବିଶାଳ ଠାକୁର ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ବ୍ୟକ୍ତିଙ୍କ ନାମ ରହିଛି।
FIRରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମେତ ଅନେକ ପୋଲିସ ଅଧିକାରୀ, ଫୋରେନସିକ୍ ଅଧିକାରୀ, ଡାକ୍ତର ଏବଂ ଅନ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି।
FIRରେ ଅଭିଯୋଗ କରାଯାଇଛି ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ଅନ୍ୟମାନେ ଷଡ଼ଯନ୍ତ୍ର ଓ ପରବର୍ତ୍ତୀ ସମୟରେ ଘଟଣାକୁ ଚାପିଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ଏଥିସହ ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ଉପରେ ମାମଲା ସମ୍ବନ୍ଧୀୟ କାଗଜପତ୍ର, ଫାଇଲ ଓ ଅନ୍ୟ ସରକାରୀ ରେକର୍ଡ ନଷ୍ଟ କିମ୍ବା ଚାପିଦେବା, ସରକାରୀ ରେକର୍ଡରେ ହେରଫେର କରିବା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ସରକାରୀ ଅର୍ଥ, ମାନବ ସମ୍ବଳ ଓ ପୋଲିସ ବ୍ୟବସ୍ଥାର ଅପବ୍ୟବହାର ଭଳି ଅଭିଯୋଗର ତଦନ୍ତ କରାଯିବ ବୋଲି ଉଲ୍ଲେଖ ରହିଛି।
FIRରେ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ପ୍ରମୁଖ ଅପରାଧ, ଅପରାଧିକ ଷଡ଼ଯନ୍ତ୍ର, ଆତ୍ମହତ୍ୟାର ମିଥ୍ୟା କାହାଣୀ ସୃଷ୍ଟି ଓ ପ୍ରଚାର ଏବଂ ପ୍ରମାଣ ଚାପିଦେବା, ନଷ୍ଟ କରିବା କିମ୍ବା ଜାଲିଆତି କରିବା ଭଳି ଅଭିଯୋଗ ନେଇ ତଦନ୍ତ କରାଯିବ।
ଏହା ସହ ମାଲଭାଣୀ ଥାନା ସହ ସମ୍ପୃକ୍ତ ପୋଲିସ ଅଧିକାରୀ, ପୋଷ୍ଟମର୍ଟମରେ ସାମିଲ ଥିବା ଡାକ୍ତର ଓ କର୍ମଚାରୀ, କାଲିନା ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଅଧିକାରୀ, ରିଜେଣ୍ଟ ଗାଲାକ୍ସି ବିଲ୍ଡିଂର ସୁରକ୍ଷାକର୍ମୀ, ସ୍ୱତନ୍ତ୍ର ତଦନ୍ତ ଟିମ୍ର ସଦସ୍ୟ ଏବଂ ଅନ୍ୟ ଅଜଣା ବ୍ୟକ୍ତିଙ୍କ ନାମ ମଧ୍ୟ FIRରେ ରହିଛି।
ମୁମ୍ବାଇ ହାଇକୋର୍ଟଙ୍କ CBI ତଦନ୍ତ ନିର୍ଦ୍ଦେଶ
ଚଳିତ ମାସର ଆରମ୍ଭରେ ମୁମ୍ବାଇ ହାଇକୋର୍ଟ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ୬ ବର୍ଷ ଧରି FIR ରୁଜୁ ନକରିବାକୁ ନେଇ ମୁମ୍ବାଇ ପୋଲିସକୁ କୋର୍ଟ ସମାଲୋଚନା କରିଥିଲେ। ତଦନ୍ତ ପ୍ରକ୍ରିୟା ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କୋର୍ଟ ମତ ଦେଇଥିଲେ।
ଏହା ସହ ମାମଲାକୁ କେବଳ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ବିଚାର କରାଯିବା ନିଷ୍ପତ୍ତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ। ତଦନ୍ତରେ ସ୍ପଷ୍ଟ ଅସଙ୍ଗତି ଥିବା କୋର୍ଟ ଦର୍ଶାଇଥିଲେ।
୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳର ଏକ ଆବାସିକ କୋଠାରୁ ତଳକୁ ପଡ଼ି ଦିଶା ସାଲିଆନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁମ୍ବାଇ ପୋଲିସ ଏକ Accidental Death Report (ADR) ରୁଜୁ କରିଥିଲା।
ଦିଶା ସାଲିଆନ କିଛି ସମୟ ପାଇଁ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଭାବେ କାମ କରିଥିଲେ। ଦିଶାଙ୍କ ମୃତ୍ୟୁର ମାତ୍ର ୬ ଦିନ ପରେ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୁଇ ମୃତ୍ୟୁ ମଧ୍ୟରେ ଥିବା ସମୟର ନିକଟତାକୁ ନେଇ ଉଭୟ ଘଟଣା ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ଥିବା ନେଇ ବ୍ୟାପକ ଚର୍ଚ୍ଚା ଓ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଉଭୟ ମାମଲାର ତଦନ୍ତ ଅଲଗା ଭାବେ କରାଯାଇଥିଲା।
.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।