Gyanesh Kumar Faces Vigilance Probe: ଖୋଲିବ ୨୦ ବର୍ଷ ପୁରୁଣା ଫାଇଲ, CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ରମେଶ ଚେନ୍ନିଥାଲା। ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲାରେ ନୂଆ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ ହେବ। କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ଏହି ତଦନ୍ତ ପାଇଁ ଭିଜିଲାନ୍ସ ଆଣ୍ଡ ଆଣ୍ଟି-କରପ୍ସନ ବ୍ୟୁରୋ (VACB)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟି ୨୦୦୬ ମସିହାର, ଯେତେବେଳେ ଜ୍ଞାନେଶ କୁମାର କେରଳର ପବ୍ଲିକ୍ ୱର୍କ୍ସ ଡିପାର୍ଟମେଣ୍ଟ (PWD) ସଚିବ ଭାବେ କାର୍ଯ୍ୟରତ ଥିଲେ।
ମାଲେସିଆର ସିଭିଲ୍ ଇଞ୍ଜିନିୟର ଲି ସି ବିନଙ୍କ ଜୀବନ ହାରିବା ଘଟଣାରେ ଜ୍ଞାନେଶ କୁମାରଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେବ। ଲି ସି ବିନ୍ ପାଟି-ବେଲ ନାମକ ଏକ ଇଣ୍ଡୋ-ମାଲେସିଆନ୍ ଜଏଣ୍ଟ ଭେନଚରର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ଥିଲେ। ଏହା କନସୋର୍ଟିୟମ୍ କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ (KSTP) ଅଧୀନରେ ଏକ ରାସ୍ତାର ଉନ୍ନତୀକରଣ କାମ କରୁଥିଲା। ଲିଙ୍କ ମୃତ୍ୟୁ ପରେ ସେ ଛାଡ଼ିଯାଇଥିବା ନୋଟରେ ଜ୍ଞାନେଶ କୁମାରଙ୍କ ନାମ ଉଲ୍ଲେଖ ଥିଲା। ସେଥିରେ ଲେଖା ଥିଲା ଯେ, ସେତେବେଳେ ପିଡବ୍ଲ୍ୟୁଡି ସଚିବ ଥିବା ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳରେ ସରକାରୀ କାମର ଠିକା ପ୍ରଦାନ ଓ ପ୍ରକଳ୍ପ ପରିଚାଳନାରେ ଅନିୟମିତତା ହୋଇଥିଲା। ଠିକାଦାରଙ୍କୁ ହଇରାଣ କରିବା ସହ ବିଲ୍ କ୍ଲିୟରାନ୍ସରେ ବିଳମ୍ବ କରିବା ନେଇ ନୋଟରେ ଉଲ୍ଲେଖ ଥିଲା।
ଏହି ଅଭିଯୋଗକୁ ନେଇ ୨୦୦୬ରେ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସେହି ସମୟରେ ଜ୍ଞାନେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଯାହା ପରେ ତଦନ୍ତ ଆଗକୁ ବଢିନଥିଲା। ଏବେ କେରଳ କଂଗ୍ରେସ ନେତା ଭେଣୁଗୋପାଳଙ୍କ ଅଭିଯୋଗ ପରେ ମାମଲାଟି ପୁଣି ସାମନାକୁ ଆସିଛି। ପୂର୍ବ ତଦନ୍ତକୁ କୌଣସି ବାହ୍ୟ ଚାପ ଯୋଗୁଁ ଦୁର୍ବଳ କରାଯାଇଥିଲା କି ନାହିଁ, ସେଥିପାଇଁ ମଧ୍ୟ ଏବେ ତଦନ୍ତ ହେବ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ମାମଲାର ସମସ୍ତ ଦିଗ ଯାଞ୍ଚ କରି ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।