02 SEPTEMBER 2026

Welcome!

Unlock your personalized experience.
Sign Up

HC Judgement: ପତ୍ନୀ ନିଖୋଜ ନେଇ ମିଛ ଅଭିଯୋଗ: ହାଇକୋର୍ଟରେ ସ୍ୱାମୀଙ୍କୁ ୫୦ ହଜାର ଜରିମାନା

Jun 25, 2026 - 09:37
HC Judgement: ପତ୍ନୀ ନିଖୋଜ ନେଇ ମିଛ ଅଭିଯୋଗ: ହାଇକୋର୍ଟରେ ସ୍ୱାମୀଙ୍କୁ ୫୦ ହଜାର ଜରିମାନା

କଟକ: ମିଛରେ ପତ୍ନୀ ନିଖୋଜ ଥିବା ଦର୍ଶାଇ ହାଇକୋର୍ଟରେ ହେବୟସ କର୍ପସ ପିଟିସନ ଦାୟର କରିଥିବା ସ୍ବାମୀ ୫୦ ହଜାର ଟଙ୍କା ତଣ୍ଡ ଗଣିବେ। ନିଖୋଜ ପତ୍ନୀଙ୍କ ଉଦ୍ଧାର ପାଇଁ ସ୍ବାମୀ ଦାୟର କରିଥିବା ହେବିୟସ କର୍ପସ ପିଟିସନର ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ପତ୍ନୀ ନିଜ ଇଚ୍ଛାରେ ସ୍ବାମୀଙ୍କ ଘର ଛାଡ଼ି ଚାଲିଯାଇଛନ୍ତି। ପତ୍ନୀଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଅପହରଣ କରିଥିବା ସ୍ବାମୀ ଅଭିଯୋଗ କରିଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ।

ଚାପ ସୃଷ୍ଟି ପାଇଁ ମାମଲା

ଦାମ୍ପତ୍ୟ ବିବାଦ କାରଣରୁ ସ୍ବଇଚ୍ଛାରେ ପତ୍ନୀ ସ୍ବାମୀଙ୍କ ଘର ଛାଡ଼ି ଯାଇଥିବା ବେଳେ ତାଙ୍କ ଉପରେ ଚାପ ସୃଷ୍ଟି ପାଇଁ ସ୍ବାମୀ ହାଇକୋର୍ଟରେ ହେବିୟସ କର୍ପସ ମାମଲା ଦାୟର କରିଛନ୍ତି। ସ୍ବଚ୍ଛ ହାତରେ ଆବେଦନକାରୀ ସ୍ବାମୀ କୋର୍ଟଙ୍କ ଦ୍ବାରସ୍ଥ ହୋଇ ନଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ ହେବିୟସ କର୍ପସ ପିଟିସନ ଦାୟର କରିଥିବା ସ୍ବାମୀଙ୍କୁ ଦୁଇ ସପ୍ତାହ ଭିତରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିକଟରେ ୫୦ ହଜାର ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲେଶ୍ବର ଜିଲ୍ଲାର ବାସିନ୍ଦା ସ୍ବାମୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ବ୍ୟକ୍ତିଗତ ହିସାବ ବରାବର କରିବା ପାଇଁ ବା ପ୍ରତିପକ୍ଷକୁ ଚାପଗ୍ରସ୍ତ କରିବା ପାଇଁ କୋର୍ଟଙ୍କୁ ଏକ ଉପକରଣ ଭାବେ ବ୍ୟବହାର କରିବା ପାଇଁ ହେବିୟସ କର୍ପସ ପିଟିସନ ଦାଖଲ କରିବାର ଧାରା ନିକଟରେ ବିକଶି ହୋଇଛି।

ଆହୁରି ପଢ଼ନ୍ତୁ: Judgement: ଚାମେଲି ଓଝା ମାମଲା: ହାଇକୋର୍ଟରୁ ଜନସ୍ୱାର୍ଥ ଆବେଦନ ପ୍ରତ୍ୟାହୃତ

ମାମଲାର ବିବରଣୀରୁ ପ୍ରକାଶ ଯେ ପତ୍ନୀଙ୍କ ନିଖୋଜ ହେବା ନେଇ ସ୍ବାମୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ନିଖୋଜ ପତ୍ନୀଙ୍କୁ ଉଦ୍ଧାର ପ୍ରସଂଗ ନେଇ ଆବେଦନକାରୀ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ। ପତ୍ନୀ ନିଜ ଇଚ୍ଛାରେ ସ୍ବାମୀଙ୍କ ଠାରୁ ପୃଥକ ରହୁଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।