Health Warning: ଗରମ ଚା’-କଫି ପିଉଛନ୍ତି କି? ସାବଧାନ! ୩ ଗୁଣା ବଢ଼ିପାରେ କ୍ୟାନସର ଆଶଙ୍କା
ଚା’ କିମ୍ବା କଫି ବିନା ଦିନ ଆରମ୍ଭ ହୁଏନି? ଆଉ ଯଦି ଆପଣଙ୍କୁ ବହୁତ ଗରମ ଚା’ କିମ୍ବା କଫି ପିଇବା ପସନ୍ଦ, ତେବେ ଏହି ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ। ସଦ୍ୟ ଏକ ଗବେଷଣାରେ ଦାବି କରାଯାଇଛି ଯେ, ଅତ୍ୟଧିକ ଗରମ ପାନୀୟ ପିଇବା ଦ୍ୱାରା ଖାଦ୍ୟନଳୀ ବା ଏସୋଫାଗସ୍ କ୍ୟାନସରର ଆଶଙ୍କା ବଢ଼ିପାରେ। ଏପରିକି ବହୁତ ଗରମ ପାନୀୟ ପିଉଥିବା ଲୋକଙ୍କଠାରେ ଏହି ଆଶଙ୍କା ପ୍ରାୟ ୩ ଗୁଣ ପର୍ଯ୍ୟନ୍ତ ଅଧିକ ଥିବା ଗବେଷଣାରୁ ଜଣାପଡ଼ିଛି।
ଗରମ ଚା’-କଫି ପିଉଛନ୍ତି କି? ସାବଧାନ!
ଭାରତରେ ଚା’ ଓ କଫି ପିଇବାର ଅଭ୍ୟାସ ବେଶ୍ ସାଧାରଣ। ଅନେକ ଲୋକ ଚା’ କିମ୍ବା କଫିକୁ ଗରମ ଗରମ ପିଇବାକୁ ପସନ୍ଦ କରନ୍ତି। ହେଲେ ଏହି ଅଭ୍ୟାସ ଏବେ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ।
‘ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ କ୍ୟାନସର’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଗରମ ପାନୀୟକୁ ବାରମ୍ବାର ପିଇବା ଦ୍ୱାରା ଏସୋଫାଗସ୍ କ୍ୟାନସରର ଆଶଙ୍କା ବଢ଼ିପାରେ।
ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନେଇ ହୋଇଥିଲା ଗବେଷଣା
ଏହି ଗବେଷଣାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ବିଶେଷ ଭାବେ ଏସୋଫାଗସ୍ର ସ୍କ୍ୱାମସ୍ ସେଲ୍ କାର୍ସିନୋମା (SCC) ଉପରେ ଅଧ୍ୟୟନ କରାଯାଇଥିଲା। ଏହା ଏସୋଫାଗସ୍ କ୍ୟାନସରର ଏକ ପ୍ରମୁଖ ପ୍ରକାର।
ଏସୋଫାଗସ୍ ବା ଖାଦ୍ୟନଳୀ ହେଉଛି ଏକ ମାଂସପେଶୀଯୁକ୍ତ ନଳୀ, ଯାହା ଖାଦ୍ୟ ଓ ପାନୀୟକୁ ମୁହଁରୁ ପେଟ ପର୍ଯ୍ୟନ୍ତ ପହଞ୍ଚାଇଥାଏ।
WHOର କ୍ୟାନସର ସମ୍ପର୍କିତ ଏଜେନ୍ସି IARC ଅନୁଯାୟୀ, ୨୦୨୦ରେ ସାରା ବିଶ୍ୱରେ ଏସୋଫାଗସ୍ କ୍ୟାନସରର ପ୍ରାୟ ୬.୦୪ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହି ରୋଗରେ ପ୍ରାୟ ୫.୪୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।
ବହୁତ ଗରମ ପାନୀୟରେ ୩ ଗୁଣ ଅଧିକ ଆଶଙ୍କା!
ଗବେଷଣା ଅନୁଯାୟୀ, ଯେଉଁମାନେ ଗରମ ପାନୀୟ ପିଇବାକୁ ପସନ୍ଦ କରୁଥିଲେ, ସେମାନଙ୍କଠାରେ ଥଣ୍ଡା ପାନୀୟ ପିଉଥିବା ଲୋକଙ୍କ ତୁଳନାରେ ଏସୋଫାଗସ୍ କ୍ୟାନସରର ଆଶଙ୍କା ପ୍ରାୟ ଦୁଇ ଗୁଣ ଅଧିକ ଥିଲା।
ସେହିପରି ଯେଉଁମାନେ ପାନୀୟକୁ ବହୁତ ଗରମ ପିଇବାକୁ ପସନ୍ଦ କରୁଥିଲେ, ସେମାନଙ୍କଠାରେ ଏହି ଆଶଙ୍କା ୩ ଗୁଣରୁ ମଧ୍ୟ ଅଧିକ ଥିବା ଗବେଷଣାରେ ଜଣାପଡ଼ିଛି।
ତେବେ କ’ଣ କରିବେ?
ଗବେଷଣାର ତଥ୍ୟ ଅନୁଯାୟୀ, ଚା’, କଫି କିମ୍ବା ଅନ୍ୟ ଗରମ ପାନୀୟକୁ ଅତ୍ୟଧିକ ଗରମ ନପିଇ ଟିକେ ଥଣ୍ଡା କରି ପିଇବା ଭଲ। ବିଶେଷକରି ଦିନକୁ ବାରମ୍ବାର ଅତ୍ୟଧିକ ଗରମ ପାନୀୟ ପିଇବା ଅଭ୍ୟାସକୁ କମାଇବା ଉଚିତ।
ସ୍ପଷ୍ଟୀକରଣ: ଏହି ରିପୋର୍ଟରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ପାଇଁ। ଏହାକୁ ଡାକ୍ତରୀ ପରାମର୍ଶ ଭାବେ ଗ୍ରହଣ କରନ୍ତୁ ନାହିଁ। ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କିମ୍ବା କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପଦକ୍ଷେପ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।