Heavy rain: ଗଜପତି ସ୍ଥାନାନ୍ତର ହେଲେ ଓଡ୍ରାଫ ଟିମ୍, ଗଞ୍ଜାମ ଯିବ ଏନଡିଆରଏଫ ଟିମ୍
ରାୟଗଡ଼ା (ଶିବ ପ୍ରସାଦ ଦୋରା): ବାତ୍ୟା ଅର୍ଣବ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଗୁଣପୁର ବ୍ଲକ ସଗଡା ପଞ୍ଚାୟତ ତାଲବେଲ ଗ୍ରାମ ନିକଟରେ ଭୁସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇଥିଲା, ଯାହା ଏବେ ସ୍ବାଭାବିକ ହୋଇଛି। ଆଜି ଗୁଣପୁର ବ୍ଲକ ସଗଡା ପଞ୍ଚାୟତ ତାରବେଲ୍ ଗ୍ରାମରୁ ଗଜପତିଜିଲ୍ଲା ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହୋଇଥିବା ରାସ୍ତା ଉପରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିଲା। ଭୂସ୍ଖଳନ ଫଳରେ ଗୁଣପୁର ବ୍ଲକ ପୁଟାସିଂ ଓ ସଗଡା ଅଞ୍ଚଳ ପଟୁ ରାୟଗଡ଼ା ଓ ଗଜପତି ଜିଲ୍ଲା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ଘଟଣା ସମ୍ପର୍କରେ ପ୍ରଶାସନ ନିକଟକୁ ସୂଚନା ପହଁଚିବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଗୁଣପୁର ବ୍ଲକ, ତହସିଲ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ। ଗୁଣପୁର ବ୍ଲକ ବିଡିଓ ସ୍ବସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାରୀ, ଡେପୁଟି କଲେକ୍ଟର ଶୁଭ୍ରଜିତ ରାଉତ, ରାଜସ୍ବ କର୍ମଚାରୀ ରାବଣା ହଇକା, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଏବଂ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪ଘଣ୍ଟା ଧରି ଏହି ସୀମାନ୍ତ ରାସ୍ତାରେ ଉଦ୍ଧାର କାର୍ଯ୍ୟ ପରେ ଯାତାୟତ ସ୍ବାଭାବିକ ହୋଇଥିବା ସୂଚନାରୁ ଜଣାପଡିଛି।
ଅପରପକ୍ଷରେ ସୀମାନ୍ତ ଗଜପତି ଜିଲ୍ଲାରେ ହୋଇଥିବା ବାତ୍ୟା ବିତ୍ପାତକୁ ଦୃଷ୍ଟିରେ ରଖି ଗୁଣପୁର ଉପଖଣ୍ଡ ପ୍ରଶାସନ ସ୍ଥିତି ଉପରେ ନଜର ରଖି ସତର୍କ ରହିଥିବା ସୂଚନା ଦେଇଛନ୍ତି। ହରଭଙ୍ଗୀ ଜଳଭଣ୍ଡାରରୁ ଗତକାଲି ଠାରୁ ଜଳ ନିଷ୍କାସନ କରାଯାଇଥିବାରୁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇ ସତର୍କ ସଂକେତ ଉପରେ ୮୩.୩୫ ମିଟରରେ ଜଳ ପ୍ରବାହିତ ହେଉଛି। ଏଠାରେ ସତର୍କ ସଙ୍କେତ ୮୩.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ୮୪.୦୦ ମିଟର ରହିଛି। ଗୁଣପୁର ଅଞ୍ଚଳରେ ଜଳସେଚନ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରୁ ହରଭଙ୍ଗୀ ଜଳଭଣ୍ଡାରରୁ ଜଳ ଛଡାଯାଉଛି।
Rayagada: ଲାଞ୍ଜିଆ ସୌରା ବାସସ୍ଥାନ ଅଞ୍ଚଳରେ ଭୁସ୍ଖଳନ
ସୂଚନାରୁ ଜଣାପଡିଛି ହରଭଙ୍ଗୀ ଜଳଭଣ୍ଡାରରେ ବର୍ତମାନ ୭୦୦ କ୍ୟୁସେକ ଜଳରୁ ଅଧିକା ଜଳ ମିସୁଛି। ହରଭଙ୍ଗୀ ଜଳଭଣ୍ଡାରର ଜଳସ୍ତର ୩୮୬.୩୦ ହୋଇଥିବାରୁ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରି ହରଭଙ୍ଗୀ ଜଳଭଣ୍ଡାରରୁ ୨ଟି ଗେଟ୍ ଖୋଲାଯାଇଥିଲା। ବର୍ତମାନ ୨୦୩.୪୫୫ କ୍ୟୁମେକ ଜଳ କାଲିଠାରୁ ଛଡାଯାଉଛି। ଏହି ଜଳ ବଂଶଧାରା ନଦୀରେ ସିଧାସଳଖ ମିସୁଥିବାରୁ ବଂଶଧାରା ଅବବାହିକା ଅଞ୍ଚଳରେ ବିପଦ ସୃଷ୍ଟି ହୋଇଛି। ଜଳସ୍ତର ବୃଦ୍ଧି ପାଇବା ପରେ ବଂଶଧାରା ନଦୀକୂଳିଆ ଅଞ୍ଚଳ ରହିଥିବା ପଦ୍ମପୁର, ରାମନାଗୁଡା ଏବଂ ଗୁଣପୁରର ବିଡିଓ ଏବଂ ତହସିଲଦାରଙ୍କୁ ସତର୍କ କରାଯାଇଛି। ଅପରପକ୍ଷରେ ରାୟଗଡା ଜିଲ୍ଲାରେ ବାତ୍ୟା ଅର୍ଣବର ପ୍ରକୋପ ବହୁତ କମ ହୋଇଥିବାରୁ ଜିଲ୍ଲାରେ ନିୟୋଜିତ ଥିବା ୩ ଓଡ୍ରାଫ ଟିମ ଗଜପତି ଜିଲ୍ଲା ଯାଇଥିବା ବେଳେ ଏନଡିଆରଏଫ ଟିମ୍ ଗଞାମ ଜିଲ୍ଲା ଯିବ ବୋଲି ସୂଚନାରୁ ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।