Heavy rain: ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ, ଘର ଓ କାନ୍ଥ ଭୁଶୁଡ଼ି ୯ ମୃତ
"ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ବିଭନ୍ନ ସ୍ଥାନରେ ପୃଥକ୍ ଘଟଣାରେ ଘର ଓ କାନ୍ଥ ଭୁଶୁଡ଼ି ୪ ଶିଶୁ ଏବଂ ୨ ନବଜାତଙ୍କ ସମେତ ମୋଟ୍ ୯ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣା ପ୍ରତାପଗଡ଼, ବାରାବାଙ୍କି ଓ ସହାରନପୁର ଜିଲ୍ଲାରେ ଘଟିଛି।
ସବୁଠାରୁ ବଡ଼ ଦୁର୍ଘଟଣା ୫ ଓ ୬ ଅଗଷ୍ଟ ମଧ୍ୟରାତ୍ରି ପ୍ରାୟ ୨ଟା ବେଳେ ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାରରେ ଘଟିଛି।
Advertisment ପ୍ରାୟ ୧୦୦ ବର୍ଷର ପୁରୁଣା ଏକ ଘର ହଠାତ୍ ଭୁଶୁଡ଼ି ପଡ଼ିବା ବେଳେ ପରିବାରର ୭ ଜଣ ସଦସ୍ୟ ଘର ଭିତରେ ଶୋଇଥିଲେ।
ଏହି ଘଟଣାରେ ପ୍ରମୋଦ ଶ୍ରୀବାସ୍ତବ (୬୦), ତାଙ୍କ ପତ୍ନୀ ରୀତା (୫୫), ପୁଅ ନିତିନ (୨୫), ବୋହୂ ମାଧୁରୀ (୨୪), ବଡ଼ ପୁଅ ଅମନଙ୍କ ଦୁଇ ଛୋଟ ପୁଅଙ୍କର ମୃତ୍ୟୁ ହୋଇଛି।
ପରିବାରର ବଡ଼ ପୁଅ ଅମନ (୨୮) ଭଙ୍ଗା ଘରର ଧ୍ୱଂସାବଶେଷ ତଳୁ ବାହାରି ଆସି ପଡ଼ୋଶୀମାନଙ୍କୁ ଏନେଇ ଖବର ଦେଇଥିଲେ।
ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଆହତମାନଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷେ ବାରାବାଙ୍କି ଜିଲ୍ଲାର ଅଲିୟାବାଦ ଗାଁରେ ଗୁରୁବାର ସକାଳେ ପାଞ୍ଚ ଜଣ ଶିଶୁ ଗାଁ ରାସ୍ତାରେ ଖେଳୁଥିବା ବେଳେ ଏକ ପୁରୁଣା ଇଟା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା।
ଏଥିରେ ୭ ବର୍ଷର ଜଣେ ବାଳକ ଏବଂ ତାଙ୍କ ୧୪ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟ ତିନି ଜଣ ଶିଶୁ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
Rain: କାଳ ହେଲା ଲଗାଣ ବର୍ଷା: ପାଣିରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାନ୍ଥଟି ପୂର୍ବରୁ ଜରାଜୀର୍ଣ୍ଣ ଥିଲା ଏବଂ ଲଗାତାର ବର୍ଷା ଯୋଗୁ ଏହା ଆହୁରି ଦୁର୍ବଳ ହୋଇପଡ଼ିଥିଲା।
ଘଟଣାର ତଦନ୍ତ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ସେହିପରି ସହାରନପୁରରେ ମାଟି ଘର ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।
ସହାରନପୁର ଜିଲ୍ଲାର ଘାଘରେକି ଗାଁରେ ବୁଧବାର ରାତିରେ ପ୍ରବଳ ବର୍ଷା ଯୋଗୁ ଏକ ମାଟି ଘର ଭୁଶୁଡ଼ି ପଡ଼ିବାରୁ ୩୫ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପୁଲିସ ଓ ସ୍ଥାନୀୟ ପ୍ରଶାସନ ପୃଥକ୍ ପୃଥକ୍ ମାମଲାର ତଦନ୍ତ କରୁଛନ୍ତି।
ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜରାଜୀର୍ଣ୍ଣ ଘର ଓ କାନ୍ଥ ନିକଟରେ ନ ରହିବାକୁ ପ୍ରଶାସନ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।