Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର
"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଥିବା ବେଳେ ଏହାର ପ୍ରଭାବ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ଉପରେ ମଧ୍ୟ ପଡ଼ିଛି।
ସୁରକ୍ଷା ଦୃଷ୍ଟିରୁ ଗତ ୨୨ ତାରିଖରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ବର୍ତ୍ତମାନ ପୋଟେରୁ ତଳମୁଣ୍ଡ ଅଞ୍ଚଳରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଥିବା ସହ ବହୁ ଚାଷଜମି ଜଳମଗ୍ନ ହୋଇରହିଛି।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପୋଟେରୁ ଇରିଗେସନ୍ ବିଭାଗ ପକ୍ଷରୁ ଆଜି ଓଏଚ୍ପିସି ବାଲିମେଳା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।
ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ବନ୍ଦ ରଖିବା ସହ ବାଲିମେଳା ଜଳଭଣ୍ଡାରରୁ ପାଣି ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
Advertisment ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ୁଛି।
ଆଜି ସକାଳେ ଜଳସ୍ତର ପ୍ରାୟ ୧୪୯୪ ଫୁଟ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୧୪୯୫ ଫୁଟରେ ପହଞ୍ଚିଛି।
ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ ୧୫୧୬ ଫୁଟ ଥିବାରୁ ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି।
ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୁଧାରିବା ଏବଂ ଜଳସ୍ତର ହ୍ରାସ ପାଇବା ପରେ ହିଁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ପୁନର୍ବାର ବିଦ୍ୟୁତ ଉତ୍ପାଦନ ଆରମ୍ଭ କରାଯିବ ବୋଲି ଓଏଚ୍ପିସି ବାଲିମେଳା ପକ୍ଷରୁ ସୂଚନା ମିଳିଛି।
Heavy rain: ମାଲକାନଗିରି ଜିଲ୍ଲାର ଅନେକ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ଲଗାଣ ବର୍ଷା, ବଢ଼ୁଥିବା ଜଳସ୍ତର ଓ ବନ୍ୟା ପରିସ୍ଥିତି ମଧ୍ୟରେ ଜଳଭଣ୍ଡାରର ସ୍ଥିତି ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନଜର ରଖିଛନ୍ତି।
ସେହିପରି ସ୍ଥାନୀୟ ସତୀଗୁଡ଼ା ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି।
ସତୀଗୁଡା ଜଳଭଣ୍ଡାରର ବିପଦ ସଂକୂଳ ସ୍ତର ହେଉଛି ୧୯୪ ମିଟର ଥିବା ବେଳେ ବର୍ତ୍ତମାନ ଏହା ଉପରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।