Helicopter Crash in Najran: ହେଲିକପ୍ଟର ଦୁର୍ଘଟଣା: ୨ ସେନା ଅଧିକାରୀଙ୍କ ମୃତ୍ୟୁ

Oct 18, 2026 - 10:03
Helicopter Crash in Najran: ହେଲିକପ୍ଟର ଦୁର୍ଘଟଣା: ୨ ସେନା ଅଧିକାରୀଙ୍କ ମୃତ୍ୟୁ

ସାଉଦି ଆରବର ଦକ୍ଷିଣ-ପଶ୍ଚିମ ନଜରାନ୍‌ ଅଞ୍ଚଳରେ ରବିବାର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦୁଇ ଜଣ ସାଉଦି ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସାଉଦି ପକ୍ଷରୁ କୁହାଯାଇଛି। 

ମୁଖପାତ୍ର ମେଜର ଜେନେରାଲ୍ ତୁର୍କି ଅଲ୍‌-ମାଲିକି ଏକ ସରକାରୀ ବିବୃତିରେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି AH-6i ମଡେଲ୍‌ର ଥିଲା ଏବଂ ଏହା ସାଉଦି ଆରବର ନ୍ୟାସନାଲ୍ ଗାର୍ଡ ମନ୍ତ୍ରଣାଳୟ ଅଧୀନରେ ରହିଥିଲା। ହେଲିକପ୍ଟରଟି ସାଉଦି ଆରବର ସୀମା ଭିତରେ ନଜରାନ୍‌ ଅଞ୍ଚଳରେ ଖସିପଡ଼ିଥିଲା।

ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଥିବା ଦୁଇ ଜଣ ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ତେବେ ମୃତ ଅଧିକାରୀଙ୍କ ନାମ ଓ ପଦବୀ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରକାଶ କରାଯାଇନାହିଁ। 

ଉଲ୍ଲେଖଯୋଗ୍ୟ, ନଜରାନ୍‌ ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଭାଗରେ ୟେମେନ୍‌ ସୀମା ନିକଟରେ ଅବସ୍ଥିତ। ଏହି ଅଞ୍ଚଳରେ ସୁରକ୍ଷା ପରିସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ଚିନ୍ତା ରହିଆସିଛି। ତେବେ ବର୍ତ୍ତମାନର ହେଲିକପ୍ଟର ଦୁର୍ଘଟଣାକୁ ସାଉଦି ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।