Hema Malini Stuns Fans at 77: ୭୭ ବର୍ଷ ବୟସରେ ମା' ଦୁର୍ଗାଙ୍କ ଅବତାରରେ ଡ୍ରିମ୍ ଗର୍ଲ୍; ଏମିତି ନାଚିଲେ, ଦର୍ଶକ କାବା
ବଲିଉଡର ଡ୍ରିମ୍ ଗର୍ଲ ହେମା ମାଳିନୀ ପୁଣିଥରେ ନିଜ ନୃତ୍ୟର ଯାଦୁ ଦେଖାଇଛନ୍ତି । ୭୭ ବର୍ଷ ବୟସରେ ମା' ଦୁର୍ଗାଙ୍କ ବେଶ ଧାରଣ କରି ମଞ୍ଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଅଭିନେତ୍ରୀ । ତେଲଙ୍ଗାନାରେ ତାଙ୍କର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ ଓ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ବୟସ କେବଳ ଏକ ସଂଖ୍ୟା । ଏହାକୁ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ବଲିଉଡର ଭେଟେରାନ୍ ଅଭିନେତ୍ରୀ ହେମା ମାଳିନୀ । ୭୭ ବର୍ଷ ବୟସରେ ମଧ୍ୟ ତାଙ୍କ ନୃତ୍ୟରେ ସେହି ପୁରୁଣା ଆକର୍ଷଣ ଓ ଉତ୍ସାହ ଦେଖିବାକୁ ମିଳିଛି । ନବରାତ୍ରି ଅବସରରେ ତେଲଙ୍ଗାନାର ଏକ କାର୍ଯ୍ୟକ୍ରମରେ ସେ ମା' ଦୁର୍ଗାଙ୍କ ରୂପରେ ମଞ୍ଚକୁ ଓହ୍ଲାଇଥିଲେ । ନିଜର ଲୋକପ୍ରିୟ ବାଲେ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରି ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ।
ମା' ଦୁର୍ଗାଙ୍କ ବେଶରେ ଝଲସିଲେ ଡ୍ରିମ୍ ଗର୍ଲ
ନବରାତ୍ରିର ପବିତ୍ର ଅବସରରେ ହେମା ମାଳିନୀଙ୍କ ଏହି ନୃତ୍ୟ ପ୍ରଦର୍ଶନ ବେଶ୍ ଚର୍ଚ୍ଚା ସାଉଁଟିଛି । ପାରମ୍ପରିକ ପୋଷାକ, ଅଳଙ୍କାର ଓ ମା' ଦୁର୍ଗାଙ୍କ ବେଶଭୂଷାରେ ସେ ମଞ୍ଚରେ ନଜର ଆସିଥିଲେ । ତାଙ୍କର ଆକର୍ଷଣୀୟ ନୃତ୍ୟଶୈଳୀ, ଚେହେରାର ଭାବଭଙ୍ଗୀ ଓ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା ।
ଏହି କାର୍ଯ୍ୟକ୍ରମର କିଛି ଫଟୋ ଓ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଅଭିନେତ୍ରୀ । ଏହା ସହ ସେ ଲେଖିଛନ୍ତି, ନବରାତ୍ରିର ପ୍ରଥମ ଦିନରେ ନିଜର ସବୁଠାରୁ ଲୋକପ୍ରିୟ ବାଲେ ‘ଦୁର୍ଗା’ ପରିବେଷଣ କରିବା ତାଙ୍କ ପାଇଁ ଏକ ସୁନ୍ଦର ଓ ସ୍ୱତନ୍ତ୍ର ଅନୁଭୂତି ଥିଲା । ଏହି ଅବସରରେ ସେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ।
ସୋସିଆଲ ମିଡିଆରେ ପ୍ରଶଂସାର ସୁଅ
ହେମା ମାଳିନୀଙ୍କ ନୃତ୍ୟ ପ୍ରଦର୍ଶନର ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଜଣେ ୟୁଜର ତାଙ୍କୁ ସବୁଥର ପରି ସୁନ୍ଦର ଓ ମାର୍ଜିତ ବୋଲି କହିଥିବା ବେଳେ ଆଉ ଜଣେ ତାଙ୍କ ପ୍ରଦର୍ଶନକୁ ଦିବ୍ୟ ଓ ମନୋରମ ବୋଲି ବର୍ଣ୍ଣନା କରିଛନ୍ତି ।
ସେହିପରି ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ହେମା ମାଳିନୀ ତାଙ୍କ ଝିଅ ପାଇଁ ପ୍ରେରଣାର ଉତ୍ସ । ଆଉ କେହି ତାଙ୍କୁ ‘ମୋ ଡ୍ରିମ୍ ଗର୍ଲ’ ବୋଲି ସମ୍ବୋଧନ କରିଛନ୍ତି । ଏତେ ବର୍ଷ ପରେ ମଧ୍ୟ ହେମା ମାଳିନୀଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା କମିନଥିବା ଏଥିରୁ ସ୍ପଷ୍ଟ ହୋଇଛି ।
୨୭ ବର୍ଷ ପୂର୍ବରୁ ପରଦାରେ ସାଜିଥିଲେ ମା' ଦୁର୍ଗା
ତେବେ ମା' ଦୁର୍ଗାଙ୍କ ଚରିତ୍ରରେ ହେମା ମାଳିନୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିନାହିଁ । ପ୍ରାୟ ୨୭ ବର୍ଷ ପୂର୍ବରୁ ମଧ୍ୟ ସେ ଛୋଟ ପରଦାରେ ଦେବୀ ଦୁର୍ଗାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଜୟ ମାତା କୀ’ରେ ସେ ମା' ଦୁର୍ଗାଙ୍କ ଭୂମିକା ନିଭାଇଥିଲେ ।
ପ୍ରାୟ ୧୮୦ଟି ଏପିସୋଡ୍ର ଏହି ଧାରାବାହିକ ସେତେବେଳେ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏଥିରେ ହେମା ମାଳିନୀଙ୍କ ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲା ।
ନୃତ୍ୟରୁ ମିଳେ ଆତ୍ମସନ୍ତୋଷ
ଅଭିନୟ ସହ ଶାସ୍ତ୍ରୀୟ ନୃତ୍ୟ ପ୍ରତି ହେମା ମାଳିନୀଙ୍କ ରହିଛି ଗଭୀର ଭଲପାଇବା । ସେ ନିଜର ଦୁଇ ଝିଅ ଈଶା ଓ ଅହାନା ଦେଓଲଙ୍କ ସହ ମଧ୍ୟ ଅନେକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ନିଜର କଳା ଓ ପାରିବାରିକ ପରମ୍ପରାକୁ ଆଗକୁ ନେବା ପାଇଁ ଏଭଳି ପ୍ରଦର୍ଶନକୁ ସେ ଏକ ସ୍ୱତନ୍ତ୍ର ଅନୁଭୂତି ବୋଲି ମନେ କରନ୍ତି ।
ହେମା ମାଳିନୀଙ୍କ କହିବା ଅନୁସାରେ, ମଞ୍ଚରେ ନୃତ୍ୟ ପରିବେଷଣ କରିବା ପରେ ତାଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳେ, ତାହାକୁ ଫିଲ୍ମରେ ଅଭିନୟ କରିବାର ଅନୁଭୂତି ସହ ତୁଳନା କରାଯାଇପାରିବ ନାହିଁ ।
ବଲିଉଡରେ ଦୀର୍ଘ ଦଶନ୍ଧି ଧରି ନିଜର ଅଭିନୟ ଯାଦୁ ଦେଖାଇଥିବା ହେମା ମାଳିନୀ ଆଜି ବି କଳା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଛନ୍ତି । ୭୭ ବର୍ଷ ବୟସରେ ତାଙ୍କର ଏହି ନୃତ୍ୟ ପ୍ରଦର୍ଶନ ପୁଣିଥରେ ପ୍ରମାଣ କରିଛି ଯେ, କଳା ପ୍ରତି ନିଷ୍ଠା ଓ ଭଲପାଇବା ଆଗରେ ବୟସ କେବେ ବାଧା ସାଜିପାରେ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।