Heroin Recovery Controversy: ହିଡିନ୍ କ୍ୟାମେରା ଖୋଲିଦେଲା ପୋଲିସର ପୋଲ୍! ଖଟ ତଳେ ନିଶାଦ୍ରବ୍ୟ ରଖି ଫସାଇବାକୁ ଉଦ୍ୟମ?
ପୋଲିସ ଚଢ଼ାଉ ପୂର୍ବରୁ ଘରେ ପଶିଲେ ଏଏସ୍ଆଇ!
ଖଟ ଗଦି ତଳେ ରଖିଲେ ପ୍ୟାକେଟ୍!
ଏହାପରେ ସେହି ସ୍ଥାନରୁ ମିଳିଲା ହେରୋଇନ୍।
ଏକ ସ୍ପାଏ କ୍ୟାମେରାରେ କଏଦ ଭିଡିଓ ଏବେ ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି।
ଘଟଣାରେ ଜଣେ ଏଏସ୍ଆଇ ନିଲମ୍ବିତ ହୋଇଥିବାବେଳେ, ନିଶା କାରବାର ଅଭିଯୋଗରେ ଗିରଫ ଧାର୍ମିକ ନେତାଙ୍କୁ ମଧ୍ୟ ମାମଲାରୁ ମୁକ୍ତ କରାଯାଇଛି।
Advertisment ଘଟଣାଟି ପଞ୍ଜାବର ଲୁଧିଆନା ଜିଲ୍ଲା ଅନ୍ତର୍ଗତ ଖନ୍ନା ସହରର।
ଜଣେ ହିନ୍ଦୁ ଧାର୍ମିକ ନେତା ମହନ୍ତ କାଶ୍ମୀର ଗିରିଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା।
ତାଙ୍କ ଡ୍ରାଇଭର ଗୁରଜନ୍ତ ସିଂହ ଓରଫ ଜନ୍ତାଙ୍କ ନିକଟରୁ ୭.୫ ଗ୍ରାମ ହେରୋଇନ୍ ମିଳିଥିବା ଦାବି କରିଥିଲା ପୋଲିସ।
ଡ୍ରାଇଭରଙ୍କୁ ପଚରାଉଚରା ପରେ ମହନ୍ତଙ୍କ ଘରେ ଚଢ଼ାଉ ହୋଇଥିବା କୁହାଯାଇଥିଲା।
ଚଢ଼ାଉ ସମୟରେ ଖଟ ଗଦି ତଳୁ ପ୍ରାୟ ୩୦ ଗ୍ରାମ ହେରୋଇନ୍ ଜବତ ହୋଇଥିବା ଦାବି କରି ମହନ୍ତଙ୍କୁ ଗିରଫ କରିଥିଲା ପୋଲିସ।
କିନ୍ତୁ ଘରେ ଲଗାଯାଇଥିବା ସ୍ପାଏ କ୍ୟାମେରାର ଭିଡିଓ ଏହି ଘଟଣାକୁ ନୂଆ ମୋଡ଼ ଦେଇଛି।
ଭାଇରାଲ୍ ଭିଡିଓରେ ସାଦା ପୋଷାକରେ ଥିବା ଏଏସ୍ଆଇ ସୁଖଦେବ ସିଂହ ପୋଲିସ ଟିମ୍ ପହଞ୍ଚିବା ପୂର୍ବରୁ ଘରର ଏକ କୋଠରୀକୁ ପ୍ରବେଶ କରି ଖଟ ଗଦି ତଳେ ଏକ ପ୍ୟାକେଟ୍ ରଖୁଥିବା ଅଭିଯୋଗ ହୋଇଛି।
ପରେ ପୋଲିସ ଟିମ୍ ଆସି ଖୋଜିବା ସମୟରେ ସେହି ସ୍ଥାନରୁ ନିଶାଦ୍ରବ୍ୟ ମିଳିଥିବା ଦାବି କରିଥିଲା।
Advertisment ଘଟଣାକୁ ଗୁରୁତ୍ୱ ଦେଇ ଖନ୍ନା ଏସ୍ଏସ୍ପି ଡକ୍ଟର ଦର୍ପଣ ଆହଲୁୱାଲିଆ ଏଏସ୍ଆଇ ସୁଖଦେବ ସିଂହଙ୍କୁ ନିଲମ୍ବନ କରିବା ସହ ତଦନ୍ତରୁ ତାଙ୍କୁ ହଟାଇଛନ୍ତି।
ଘଟଣାର ତଦନ୍ତ ପାଇଁ ଏସ୍ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ ହୋଇଛି।
ଭିଡିଓର ସତ୍ୟତା, ନିଶାଦ୍ରବ୍ୟ ରଖିବା ପଛରେ କାହାର ଭୂମିକା ରହିଛି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହାର ତଦନ୍ତ ହେବ।
ଅନ୍ୟପଟେ, ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଘେରିଛନ୍ତି ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ।
ତେବେ ଭାଇରାଲ୍ ଭିଡିଓର ସତ୍ୟତା ଏବଂ ସମ୍ପୂର୍ଣ୍ଣ ଘଟଣାର ପ୍ରକୃତ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।