Ganjam Landslide Rescue: ମାଟି ତଳେ ଚାଲିଛି ମଣିଷ ଖୋଜା; ୧୨ ନିଖୋଜଙ୍କୁ ଖୋଜିବାକୁ ଲାଗିଛି ଅତ୍ୟାଧୁନିକ ଉପକରଣ

Nov 02, 2026 - 16:26
Ganjam Landslide Rescue:  ମାଟି ତଳେ ଚାଲିଛି ମଣିଷ ଖୋଜା; ୧୨ ନିଖୋଜଙ୍କୁ ଖୋଜିବାକୁ ଲାଗିଛି ଅତ୍ୟାଧୁନିକ ଉପକରଣ

ଭୟଙ୍କର ଭୂସ୍ଖଳନ ପରେ ଗାଁର ଏକ ବଡ଼ ଅଞ୍ଚଳ ମାଟି, ପଙ୍କ ଓ ଭଗ୍ନାବଶେଷରେ ପୋତି ହୋଇଯାଇଛି।

ପ୍ରକୃତିର ଏହି ଭୟାବହ ରୂପ ମଧ୍ୟରେ ନିଖୋଜଙ୍କୁ ଖୋଜିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ।

ଗୋଟିଏ ପଟେ ଯନ୍ତ୍ରପାତିରେ ମାଟି ଓ ଧ୍ୱଂସାବଶେଷ ହଟାଯାଉଥିବା ବେଳେ, ଅନ୍ୟପଟେ ଜୀବନର କୌଣସି ସଙ୍କେତ ମିଳୁଛି କି ନାହିଁ, ତାହା ଖୋଜାଯାଉଛି।

Advertisment ଭୂସ୍ଖଳନରେ ମୋଟ ୧୩ ଜଣ ନିଖୋଜ ହୋଇଥିବା ବେଳେ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏବେ ବାକି ୧୨ ଜଣଙ୍କ ସନ୍ଧାନ ଜାରି ରହିଛି।

ପ୍ରତ୍ୟେକ ଘଣ୍ଟା ଏଠାରେ ମୂଲ୍ୟବାନ ହୋଇପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଉଛି।

ନିଖୋଜଙ୍କୁ ଶୀଘ୍ର ଚିହ୍ନଟ କରିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ଅତ୍ୟାଧୁନିକ ସନ୍ଧାନ ଉପକରଣ ଅଣାଯାଉଛି।

ଏଥିରେ ସିସ୍‌ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍, ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଭଳି ଉନ୍ନତ ପ୍ରଯୁକ୍ତି ରହିଛି।

Advertisment ପ୍ରଥମେ ଏହି ଉପକରଣଗୁଡ଼ିକୁ ନୌସେନାର ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ନିଆଯିବାକୁ ଯୋଜନା ହୋଇଥିଲା।

କିନ୍ତୁ ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା।

ଫଳରେ ଏବେ ସଡ଼କ ପଥରେ ଏହି ଉପକରଣଗୁଡ଼ିକୁ ଘଟଣାସ୍ଥଳକୁ ପଠାଯାଉଛି।

ଏହି ଯନ୍ତ୍ରଗୁଡ଼ିକ ମାଟି, ପଙ୍କ ଓ ଭଗ୍ନାବଶେଷ ତଳେ ଥିବା ସୂକ୍ଷ୍ମ କମ୍ପନ, ଗତିବିଧି କିମ୍ବା ଅନ୍ୟ କୌଣସି ଜୀବନ ସଙ୍କେତକୁ ଚିହ୍ନଟ କରିବାରେ ସହାୟକ ହେବ।

ବିଶେଷ କ୍ୟାମେରା ଓ ସେନ୍ସର ମାଧ୍ୟମରେ ଭିତରର ପରିସ୍ଥିତି ଜାଣିବାକୁ ମଧ୍ୟ ଚେଷ୍ଟା କରାଯିବ।

ଘଟଣାସ୍ଥଳରେ ପରିସ୍ଥିତି ଏତେ ଜଟିଳ ଯେ ଉଦ୍ଧାରକାରୀ ଦଳକୁ ଅତ୍ୟନ୍ତ ସତର୍କତାର ସହ କାମ କରିବାକୁ ପଡ଼ୁଛି।

ମାଟି ତଳେ ଲୋକ ଥିବା ସମ୍ଭାବନା ଥିବାରୁ ବଡ଼ ଯନ୍ତ୍ରର ବ୍ୟବହାର ମଧ୍ୟ ସାବଧାନତାର ସହ କରାଯାଉଛି।

ଏବେ ସମସ୍ତଙ୍କ ନଜର ବାକି ୧୨ ନିଖୋଜଙ୍କ ଉପରେ।

ମାଟି ତଳୁ କୌଣସି ଜୀବନର ସଙ୍କେତ ମିଳିବ କି?

ଅତ୍ୟାଧୁନିକ ଉପକରଣ ଉଦ୍ଧାରକାରୀ ଦଳକୁ କେତେ ସହାୟତା କରିବ?

ପ୍ରତିଟି ମୁହୂର୍ତ୍ତ ସହ ବଢ଼ୁଛି ଅପେକ୍ଷା।

ଆଶା କେବଳ ଏତିକି—ମାଟି ତଳୁ ଫେରିଆସୁ ଜୀବନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।