Hing Powder Faces FSSAI Ban: ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ, ହେଙ୍ଗୁ ପାଉଡର ଉପରେ ଲାଗିଲା ରୋକ୍

Aug 29, 2026 - 19:12
Hing Powder Faces FSSAI Ban: ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ, ହେଙ୍ଗୁ ପାଉଡର ଉପରେ ଲାଗିଲା ରୋକ୍

ଆପଣ ବଜାରରୁ ହେଙ୍ଗୁ କିଣି ଖାଉଥିଲେ, ସାବଧାନ । କାରଣ ହେଙ୍ଗୁ ପାଉଡର୍ ଅସଲି ନା ନକଲି ? FSSAI ଦୁଇଟି ବ୍ରାଣ୍ଡେଡ କଂପାନୀର ହେଙ୍ଗୁ ପାଉଡର୍ ବିକ୍ରି ଉପରେ ରୋକ୍ ଲଗାଇଛି । କାରଣ ଏହି ପ୍ରଡକ୍ଟଗୁଡିକ ନିମ୍ନମାନର ବୋଲି ଜଣାପଡିଛି । 

ଖାଦ୍ୟ ନିୟାମକ ସଂସ୍ଥା FSSAI କହିଛି ଯେ ମାନ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବାରୁ Everest Food Products Pvt Ltd ଏବଂ Laljee Godhoo and Companyକୁ ହେଙ୍ଗୁ ପାଉଡର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (FSSAI) ଏହି ଦୁଇ କମ୍ପାନୀର ହେଙ୍ଗୁ ପାଉଡର ଉତ୍ପାଦ ନିମ୍ନମାନର ବୋଲି ଜଣାପଡ଼ିବା ପରେ ନିଷେଧାଦେଶ ଜାରି କରିଛି । 

Everest କ୍ଷେତ୍ରରେ FSSAI ତୁରନ୍ତ ପ୍ରଭାବରେ ହେଙ୍ଗୁ ପାଉଡରର ବିଭିନ୍ନ ପ୍ରକାର ବିକ୍ରି ଉପରେ ନିଷେଧାଦେଶ ଲଗାଇଛି। ନିୟାମକ ସଂସ୍ଥା କହିଛି, ପ୍ରାଥମିକ ଖାଦ୍ୟ ପରୀକ୍ଷାଗାରର ଫୁଡ୍ ଆନାଲିଷ୍ଟଙ୍କ ପରୀକ୍ଷଣରେ ହେଙ୍ଗୁ ପାଉଡରର ନମୁନା ‘ମିସ୍‌ବ୍ରାଣ୍ଡେଡ୍’ ଏବଂ ‘ସବ୍-ଷ୍ଟାଣ୍ଡାର୍ଡ’ ବୋଲି ଜଣାପଡ଼ିଥିଲା।

ଏହି ଉତ୍ପାଦଗୁଡ଼ିକ FSS (Food Products and Food Additives) Regulations, 2011ର ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ମିଳିଥିଲା। ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଆଲକହଲ୍-ସଲ୍ୟୁବଲ୍ ଏକ୍ସଟ୍ରାକ୍ଟ ୫ ପ୍ରତିଶତରୁ କମ୍ ହେବା ଉଚିତ ନୁହେଁ, କିନ୍ତୁ ଏହି ନମୁନାରେ ଏହା ୦ ପ୍ରତିଶତ ଥିଲା।

ଏହା ବ୍ୟତୀତ Yellow Hing Powder ଏବଂ Black Hing Powder ମଧ୍ୟ ସବ୍-ଷ୍ଟାଣ୍ଡାର୍ଡ ବୋଲି ଜଣାପଡ଼ିଥିଲା। ଏଥିରେ ଆଲକହଲିକ୍ ଏକ୍ସଟ୍ରାକ୍ଟ ଯଥାକ୍ରମେ ୩.୨୯ ପ୍ରତିଶତ ଏବଂ ୪.୪ ପ୍ରତିଶତ ରେକର୍ଡ ହୋଇଥିଲା ବୋଲି କୁହାଯାଇଛି। 

ନିମ୍ନମାନର ହେଙ୍ଗୁ ପାଉଡର ବିକ୍ରିର ଏହି ନିଷେଧାଦେଶ ଅନିୟମିତତାକୁ ସୁଧାରିବା ପାଇଁ FSSAI କମ୍ପାନୀକୁ ଏକ ଆକ୍ସନ୍ ପ୍ଲାନ୍ ଦାଖଲ କରିବାକୁ କହିଛି। FSS Act, 2006 ଅନୁସାରେ ଲାଇସେନ୍ସପ୍ରାପ୍ତ ମାନଦଣ୍ଡ ଅନୁଯାୟୀ ଉତ୍ପାଦ ବିକ୍ରି ନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତ୍ରୁଟି ସୁଧାରା ନଗଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି FSSAI ଚେତାବନୀ ଦେଇଛି।

ସେହିପରି Laljee Godhoo and Company କ୍ଷେତ୍ରରେ ମଧ୍ୟ ହେଙ୍ଗୁ ପାଉଡର ବିକ୍ରି ଉପରେ ରୋକ୍ ଲଗାଯାଇଛି। ଏହାର ଉତ୍ପାଦ ସବ୍-ଷ୍ଟାଣ୍ଡାର୍ଡ ଏବଂ ମିଶ୍ରିତ ବୋଲି ଜଣାପଡ଼ିବା ପରେ FSSAI ଏହି ପଦକ୍ଷେପ ନେଇଛି। ଏ ସଂପର୍କରେ ସଂପୃକ୍ତ କଂପାନୀର ପ୍ରତିକ୍ରିୟା ମିଳିପାରିନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।