Hockey: ଶ୍ରୀବାସ୍ତବଙ୍କ ପର କାଟିଲେ ଦିଲୀପ: କ୍ଷମତା ପ୍ରତ୍ୟାହାର, କାରଣ ଦର୍ଶାଅ ନୋଟିସ ଜାରି
"ନୂଆଦିଲ୍ଲୀ: ଭାରତୀୟ ହକି ପ୍ରଶାସନରେ ବଡ଼ ଧରଣର ଅନ୍ତର୍ଦ୍ୱନ୍ଦ୍ୱ ସାମ୍ନାକୁ ଆସିଛି।
ହକି ଇଣ୍ଡିଆର ମହାନିର୍ଦ୍ଦେଶକ କମାଣ୍ଡର ଆର୍କେ ଶ୍ରୀବାସ୍ତବଙ୍କ ସମସ୍ତ କ୍ଷମତା ଓ ଦାୟିତ୍ୱ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରାଯାଇଛି।
ଏଥିସହ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।
ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କ ପକ୍ଷରୁ ଜାରି ଆଇନଗତ ନୋଟିସ୍ରେ ଶ୍ରୀବାସ୍ତବଙ୍କ ବିରୋଧରେ ବାରମ୍ବାର ନିର୍ଦ୍ଦେଶ ଅବମାନନା, ଦାୟିତ୍ୱରେ ଅବହେଳା ଏବଂ ଅନୁମତି ବିନା ନିଷ୍ପତ୍ତି ନେବା ଭଳି ଅଭିଯୋଗ ରହିଛି।Advertisment ସବୁଠାରୁ ବଡ଼ ଅଭିଯୋଗ ମଧ୍ୟରେ ଅଛି ବିଶ୍ୱକପ୍ ପୂର୍ବରୁ ଭାରତୀୟ ଜାତୀୟ ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ।
ସଭାପତି କିମ୍ବା ହକି ଇଣ୍ଡିଆର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଓ ଅନୁମୋଦନ ବିନା ଜର୍ସି ବଦଳାଇବା ନେଇ ଶ୍ରୀବାସ୍ତବଙ୍କ ଉପରେ ପ୍ରଶ୍ନ ଉଠାଯାଇଛି।
ଏହି ନିଷ୍ପତ୍ତିକୁ ନୋଟିସ୍ରେ "ଏକତରଫା" ନିଷ୍ପତ୍ତି ବୋଲି ଦର୍ଶାଯାଇଛି।
ନିକଟରେ ଅନୁଷ୍ଠିତ ବିଶ୍ୱକପ୍ ସମୟରେ ଶ୍ରୀବାସ୍ତବଙ୍କ ଯାତ୍ରାକୁ ନେଇ ମଧ୍ୟ ବିବାଦ ଉପୁଜିଛି।
ହକି ଇଣ୍ଡିଆ ଲିଗ୍ ସମ୍ପର୍କିତ କାର୍ଯ୍ୟ ଓ ଫ୍ରାଞ୍ଚାଇଜ୍ ସମନ୍ୱୟକୁ ପ୍ରାଥମିକତା ଦେଇ ବିଶ୍ୱକପ୍କୁ ନ ଯିବା ପାଇଁ ତିର୍କୀ ତାଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ସେ ବିଶ୍ୱକପ୍କୁ ଯାଇଥିବା ଅଭିଯୋଗ ହୋଇଛି।
ସଭାପତି ଦିଲୀପ ତିର୍କ ଏହି ଯାତ୍ରା ପାଇଁ ସୁଭଦ୍ରା ପ୍ରଧାନ, ରାଣୀ ରାମପାଲ ଓ ସର୍ଦ୍ଦାର ସିଂହଙ୍କୁ ଚୟନକର୍ତ୍ତା ଓ କନିଷ୍ଠ ପ୍ରଶିକ୍ଷକ ଭାବେ ଯାତ୍ରା ପାଇଁ ଅନୁମତି ଦେଇଥିଲେ।
କିନ୍ତୁ ଏ ସମ୍ପର୍କରେ ସେମାନଙ୍କୁ ଜଣାଯାଇ ନଥିବା ମଧ୍ୟ ନୋଟିସ୍ରେ ଉଲ୍ଲେଖ ରହିଛି।
ଶ୍ରୀବାସ୍ତବଙ୍କ ବିରୋଧରେ ଆଉ କେତେକ ଗୁରୁତର ଅଭିଯୋଗ ମଧ୍ୟ ରହିଛି।
ହକି ଇଣ୍ଡିଆର ଚୁକ୍ତିବଦ୍ଧ ପିଆର୍ ଏଜେନ୍ସି "ୱାର୍ଡସୱର୍କ" ବିରୋଧରେ ନିଆଯିବାକୁ ଥିବା ଶୃଙ୍ଖଳାଗତ ପଦକ୍ଷେପ କାର୍ଯ୍ୟକାରୀ ନ କରିବା, ଗତ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଖେଳାଳି ଓ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ନିଆଯାଇଥିବା ପଦକ୍ଷେପର ପ୍ରମାଣ ଦାଖଲ ନ କରିବା ଏବଂ ଆଭ୍ୟନ୍ତରୀଣ କମିଟିର ବୈଠକ ଓ ରିପୋର୍ଟ ରେକର୍ଡରେ ଉପଲବ୍ଧ ନ ଥିବା ଭଳି ଅଭିଯୋଗ ରହିଛି।
ଏହାସହ ଏଫ୍ଆଇଏଚ୍, ଏଏଚ୍ଏଫ୍ ଏବଂ ବିଭିନ୍ନ ଜାତୀୟ ମହାସଂଘରୁ ଆସିଥିବା ଯୋଗାଯୋଗକୁ ଅଟକାଇ ରଖିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଆହୁରି ପଢନ୍ତୁ: electrocution death ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ବେଳେ ବିଦ୍ୟୁତାଘାତରେ ଯୁବକ ମୃତ ଏଣିକି ଶ୍ରୀବାସ୍ତବ କୌଣସି ପ୍ରଶାସନିକ, ଆର୍ଥିକ, ଚୁକ୍ତିଭିତ୍ତିକ, ଶୃଙ୍ଖଳାଗତ, ଯୋଗାଯୋଗ, ମିଡିଆ କିମ୍ବା ପ୍ରତିନିଧିତ୍ୱ ସମ୍ପର୍କିତ କ୍ଷମତା ବ୍ୟବହାର କରିପାରିବେ ନାହିଁ।
ତାଙ୍କୁ ହକି ଇଣ୍ଡିଆର ସମସ୍ତ ଅଫିସିଆଲ୍ ରେକର୍ଡ, ଫାଇଲ୍, ଦସ୍ତାବିଜ, ପ୍ରବେଶ ଅଧିକାର, ସମ୍ପତ୍ତି ଓ ବକେୟା କାର୍ଯ୍ୟର ଦାୟିତ୍ୱ ତୁରନ୍ତ ହସ୍ତାନ୍ତର କରିବାକୁ କୁହାଯାଇଛି।
ତେବେ ଏହି ନୋଟିସ୍କୁ ନେଇ ହକି ଇଣ୍ଡିଆ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି।
ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏହି ନୋଟିସ୍କୁ ଗୁରୁତ୍ୱ ଦେବାକୁ ମନା କରିଛନ୍ତି।
ତାଙ୍କ ଦାବି ଅନୁଯାୟୀ, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ବୋର୍ଡର ଅନୁମୋଦନ ଏହି ନୋଟିସ୍ ପାଇଁ ନିଆଯାଇନାହିଁ।
ଫଳରେ ସଭାପତି ଓ ସଂପାଦକଙ୍କ ମଧ୍ୟରେ ବି ମତଭେଦ ଥିବା ପଦାକୁ ଆସିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।