Homemade Hair Oil: କେଶ ଝଡ଼ିବା ଓ ରୂପିରୁ ପାଆନ୍ତୁ ମୁକ୍ତି! ନଡ଼ିଆ ତେଲରେ ମିଶାନ୍ତୁ ଏହି ୩ ଜିନିଷ

Oct 03, 2026 - 15:13
Homemade Hair Oil: କେଶ ଝଡ଼ିବା ଓ ରୂପିରୁ ପାଆନ୍ତୁ ମୁକ୍ତି! ନଡ଼ିଆ ତେଲରେ ମିଶାନ୍ତୁ ଏହି ୩ ଜିନିଷ

ଅଧିକ ଚୁଟି ଉପୁଡୁଛି କି? ଚୁଟିରେ ରୂପି ଭଳି ସମସ୍ୟା ଦେଖାଦେଉଛି କି? ଚୁଟିରେ କଣ ବ୍ୟବହାର କରିବେ ସେଥିପାଇଁ ଚିନ୍ତିତ କି? ତେବେ ନଡିଆ ତେଲରେ ଏହି କିଛି ଜିନିଷ ମିଶାଇ ଘରେ ହିଁ ପ୍ରସ୍ତୁତ କରନ୍ତୁ ହେୟାର ଅଏଲ୍। ଯାହା କେଶର ଯତ୍ନ ନେବା ସହ ଝଡିବା ମଧ୍ୟ କମାଇବ।

ଅଧିକ ଆର୍ଦ୍ରତା, ଝାଳ ଓ ତେଲିଆ ଯୋଗୁଁ ମୁଣ୍ଡର ତ୍ୱଚାରେ ରୂପି ଭଳି ସମସ୍ୟା ଦେଖାଦେଇଥାଏ। ଫଳରେ କେଶ ଦୁର୍ବଳ ହୋଇ ଅଧିକ ଝଡ଼ିବା ଆରମ୍ଭ କରେ।

ଏଭଳି ସମୟରେ ଦାମୀ ହେୟାର ପ୍ରଡକ୍ଟ ବଦଳରେ ଘରେ ଥିବା କିଛି ସାଧାରଣ ସାମଗ୍ରୀରେ ତିଆରି କରିପାରିବେ ଏକ ଘରୋଇ ହେୟାର ଅଏଲ୍। ପିଆଜ, ମେଥି ଓ ଭୃସଙ୍ଗ ପତ୍ରକୁ ନଡ଼ିଆ ତେଲରେ ମିଶାଇ ପ୍ରସ୍ତୁତ କରାଯାଇଥିବା ଏହି ତେଲ କେଶର ଯତ୍ନ ନେବାରେ ସହାୟକ ହେବ। 

କାହିଁକି ଉପକାରୀ ହୋଇପାରେ ପିଆଜ, ମେଥି ଓ ଭୃସଙ୍ଗ?

ପିଆଜରେ ଥିବା ସଲଫର କେଶର ମୂଳକୁ ମଜବୁତ ରଖିବାରେ ସହାୟକ ହୋଇପାରେ। ମେଥି ଦାନାରେ ଥିବା ପ୍ରୋଟିନ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ କେଶର ଯତ୍ନରେ ସହାୟକ ହୋଇଥାଏ। ସେହିପରି ଭୃସଙ୍ଗ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ କେଶର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ।

ଆବଶ୍ୟକ ସାମଗ୍ରୀ

•    ୧ଟି ମଧ୍ୟମ ଆକାରର ପିଆଜ
•    ୨ ବଡ଼ ଚାମଚ ମେଥି ଦାନା
•    ୧ ମୁଠା ତାଜା ଭୃସଙ୍ଗ ପତ୍ର
•    ୧ କପ୍ ନଡ଼ିଆ ତେଲ ବା ରାଶି ତେଲ
•    ୧ ଛୋଟ ଚାମଚ କାଷ୍ଟର ଅଏଲ୍‌ (ଇଚ୍ଛା ମୁତାବକ)

କିପରି ତିଆରି କରିବେ ଏହି ହେୟାର ଅଏଲ୍?

ପ୍ରଥମେ ମେଥିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ଏହାପରେ କଟା ପିଆଜ, ଭିଜା ମେଥି ଦାନା ଓ ଭୃସଙ୍ଗ ପତ୍ରକୁ ଗ୍ରାଇଣ୍ଡରେ ପକାଇ ଅଳ୍ପ ପାଣି ସହ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏକ କଡ଼େଇରେ ଗୋଟିଏ କପ୍ ନଡ଼ିଆ ତେଲ ନେଇ ସେଥିରେ ପ୍ରସ୍ତୁତ ପେଷ୍ଟକୁ ମିଶାନ୍ତୁ। ଗ୍ୟାସ୍‌ର ଆଞ୍ଚକୁ କମ୍ ରଖି ପ୍ରାୟ ୧୨ରୁ ୧୫ ମିନିଟ୍ ଧୀର ଆଞ୍ଚରେ ରାନ୍ଧନ୍ତୁ। ଉପାଦାନଗୁଡ଼ିକର ରଙ୍ଗ ହାଲୁକା ବାଦାମୀ ହେବା ପରେ ଗ୍ୟାସ୍ ବନ୍ଦ କରନ୍ତୁ।

ତେଲ ଥଣ୍ଡା ହେବା ପରେ ସଫା କପଡ଼ା କିମ୍ବା ସୂକ୍ଷ୍ମ ଛଣାରେ ଛାଣି ଏକ ସଫା କାଚ ବୋତଲରେ ରଖନ୍ତୁ। ଚାହିଁଲେ ଏଥିରେ ଏକ ଛୋଟ ଚାମଚ କାଷ୍ଟର ଅଏଲ୍ ମିଶାଇପାରିବେ।

କେଶରେ କିପରି ଲଗାଇବେ?

ସପ୍ତାହରେ ୨ରୁ ୩ ଥର ଏହି ତେଲ ବ୍ୟବହାର କରିପାରିବେ। ତେଲକୁ ହାଲୁକା ଉଷୁମ କରି କେଶର ମୂଳରେ ଲଗାନ୍ତୁ। ପ୍ରାୟ ୫ରୁ ୧୦ ମିନିଟ୍ ହାଲୁକା ହାତରେ ମାଲିସ୍ କରନ୍ତୁ। ତେଲ ଲଗାଇବାର ଅତିକମରେ ୧ ଘଣ୍ଟା ପରେ ଶାମ୍ପୁରେ ମୁଣ୍ଡ ଧୋଇପାରିବେ। କେହି ଚାହିଁଲେ ରାତିସାରା ମଧ୍ୟ ତେଲ ଲଗାଇ ରଖିପାରନ୍ତି।

ଧ୍ୟାନ ଦିଅନ୍ତୁ- ଘରୋଇ ଉପାୟ କେଶର ଯତ୍ନରେ ସହାୟକ ହୋଇପାରେ, କିନ୍ତୁ କେଶ ଝଡ଼ିବାର କାରଣ ସବୁବେଳେ ସମାନ ନୁହେଁ। ଅତ୍ୟଧିକ କେଶ ଝଡ଼ିବା, ମୁଣ୍ଡରେ ଘା', ରୁପି କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।