Horizon: ଦିଗ୍ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ
"ଜୟନ୍ତ କୁମାର ବିଶ୍ବାଳ ଲକ୍ଷ ଲକ୍ଷ ଭକ୍ତଙ୍କ ଉତ୍ସାହ ଓ ଉଦ୍ଦୀପନା ଭିତରେ ପବିତ୍ର ରଥଯାତ୍ରା ଓ ବାହୁଡ଼ାଯାତ୍ରା ସଂପନ୍ନ ହୋଇଗଲା।
ତଥାପି ଏବେ ବି ବିଦେଶରେ କେଉଁଠି କେଉଁଠି ଅତିଥିରେ ରଥଯାତ୍ରା କରାହେଉଛି ଏବଂ ସେଥିପାଇଁ ସମାଜରେ ବିରୋଧର ଏକ ଗୁଞ୍ଜରଣ ମଧ୍ୟ ଶୁଣାଯାଉଛି।
ଅତିଥିରେ ରଥଯାତ୍ରା କରିବା ବିରୁଦ୍ଧରେ ଏକ ପ୍ରବଳ ଜନମତ ଅଛି; କିନ୍ତୁ ଗୋଟିଏ କ୍ଷୀଣ ସ୍ବର ମଧ୍ୟ ଏହାର ସପକ୍ଷରେ ଅଛି।
ଥରେ ଗୋଟିଏ ବୟସ୍କ ବନ୍ଧୁ ମହଲରେ ଏ ବିଷୟରେ ଏକ ଆଲୋଚନା ହୋଇଥିଲା ଏବଂ ସେହି ଆଲୋଚନାର ନିଷ୍କର୍ଷକୁ ଦୁଇଟି ଚରିତ୍ରର ଆଳାପ ମଧ୍ୟରେ ଉପସ୍ଥାପିତ କରାଯାଉଛି।ଯଜ୍ଞବ୍ରତ- ପ୍ରତ୍ୟେକ ତିଥିର କିଛି ମାହାତ୍ମ୍ୟ ଅଛି।
ଜଗନ୍ନାଥ ହେଉଛନ୍ତି ଜଗତର ଈଶ୍ବର।
ତାଙ୍କର ମୂଳ ଆସ୍ଥାନ ହେଉଛି ଶ୍ରୀକ୍ଷେତ୍ର, ପୁରୀ।
ତାଙ୍କର ପୂଜା, ଆରାଧନା ପାଇଁ ଏହି ମୂଳ ପୀଠ ସହ ସଂଲଗ୍ନ ଶାସ୍ତ୍ରାନୁମୋଦିତ ଅନେକ ବିଧିବିଧାନ ରହିଛି ଏବଂ ଶହ ଶହ ବର୍ଷ ଧରି ଅଗଣିତ ଜନତା ଏହାକୁ ଆନନ୍ଦ ମନରେ ପାଳି ଆସୁଛନ୍ତି।
ପ୍ରଭୁ ଜଗନ୍ନାଥଙ୍କୁ ମୂଳ ପୀଠର ଏହି ବିଧି, ଉପଚାରରୁ ବିଚ୍ଛିନ୍ନ କରିଦେବା ପ୍ରଭୁଙ୍କ ପ୍ରତି ଅସମ୍ମାନ।
ଜଗନ୍ନାଥଙ୍କର ସମସ୍ତ ପୂଜା, ପାର୍ବଣର ତିଥି ଗ୍ରହ, ନକ୍ଷତ୍ରର ଗଣନାରୁ ହିଁ ହୋଇଥାଏ ଏବଂ ଏହା ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଥାଏ।
ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ପୂଜା, ଅର୍ଚ୍ଚନା କରିବାର ଉଦ୍ଦେଶ୍ୟ ଏହା ଯେ ପ୍ରଭୁଙ୍କ ପୂଜା ପବିତ୍ର ଭାବରେ ହେବ ଏବଂ କିଏ ନିଜର ଖିଆଲ ଅନୁସାରେ ପୂଜା କରି ପ୍ରଭୁଙ୍କର ମର୍ଯ୍ୟାଦା ହାନି କରିବେ ନାହିଁ।
ଯେମିତି ଆମେ ଦେଶର ସଂବିଧାନକୁ ମାନୁଛୁ, ଠିକ୍ ସେହିପରି ଗୋଟିଏ ଧର୍ମୀୟ ସଂବିଧାନକୁ ମାନିବାରେ ସେହି ଧର୍ମ ବା ଭାବରେ ବିଶ୍ବାସ କରୁଥିବା ମଣିଷମାନେ ଦ୍ବିଧା କରିବା ଉଚିତ ନୁହେଁ।
ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ଜାତିର ଆତ୍ମା।
ଏତେ ନିବେଦନ କରିସାରିଲା ପରେ ମଧ୍ୟ ଜାଣିଶୁଣି ଅତିଥିରେ ରଥଯାତ୍ରା କରିବା ଆମ ଓଡ଼ିଆ ଜାତିକୁ ମଧ୍ୟ ହେୟ ମନେ କଲା ପରି କଥା।
ଅନ୍ୟ କୌଣସି ଧର୍ମରେ ବିଧିର ଏପରି ଉଲ୍ଲଂଘନକୁ କେବେ ସହ୍ୟ କରାଯାଇ ନ ପାରେ।ଶାଶ୍ବତ- ଯଜ୍ଞବ୍ରତ, ଆମେ ଟିକିଏ ସେମାନଙ୍କ ଦୃଷ୍ଟିକୋଣରୁ କଥାଟିକୁ ଦେଖିବା।
ସ୍ଥାନୀୟ ଶାସନର ନିୟମକାନୁନ ଓ କିଛି କ୍ଷେତ୍ରୀୟ ଅସୁବିଧା ଯୋଗୁଁ ତିଥିରେ ରଥଯାତ୍ରା କରିବା ହୁଏତ ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରୁ ନାହିଁ।
ଶାସ୍ତ୍ରର ବା ପରମ୍ପରାର ବିଧିକୁ କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଉଲ୍ଲଂଘନ କରିବାର ଦୃଷ୍ଟାନ୍ତ ଅଛି।
ଆମେ ଯେତେବେଳେ ମନ୍ଦିର ଭିତରକୁ ଯାଉ, ବାହାରେ ଜୋତା ବା ଚପଲ ଖୋଲିଦେଇ ଖାଲି ପାଦରେ ଠାକୁରଙ୍କ ପାଖକୁ ଯାଉ।
ମାତ୍ର କିଛି ବର୍ଷ ତଳେ ଲଦାଖର ବରଫାଚ୍ଛନ୍ନ ଖରଦୁଙ୍ଗାଲାକୁ ଯାଇଥିଲା ବେଳେ, ଦେଖିଲି ଯେ ସେଠି ଏକ ଶିବ ମନ୍ଦିର ଅଛି।
ଆମ ସେନାର ଯବାନମାନେ ତାକୁ କରିଛନ୍ତି।
ମନ୍ଦିର ଭିତରକୁ ପ୍ରବେଶ କଲାବେଳେ ଆମେ ଦେଖିଲୁ ଯେ ସେଠି ସମସ୍ତେ ଜୋତା ପିନ୍ଧି, ନିର୍ବିଘ୍ନରେ ମନ୍ଦିର ଭିତରକୁ ଯାଉଛନ୍ତି ଏବଂ ପୂଜା ଅର୍ଚ୍ଚନା କରୁଛନ୍ତି।
ମୁଁ ପ୍ରଥମେ ଏହାକୁ ଗ୍ରହଣ କରିପାରୁ ନ ଥିଲି; ମାତ୍ର ପର ମୁହୂର୍ତ୍ତରେ ମୁଁ ବି ଜାଣିପାରିଲି ଯେ ଏଠି ବରଫ ଉପରେ ଖାଲି ପାଦରେ ଯିବା ସମ୍ଭବ ନୁହେଁ।
ଆମ ପରି ଭ୍ରମଣକାରୀମାନେ, ଯବାନମାନେ, ଜୋତା ପିନ୍ଧି ମନ୍ଦିର ଭିତରକୁ ଯାଇ ପ୍ରଭୁ ଶିବଙ୍କର ଆରାଧନା କରୁଛନ୍ତି।
ମୋର ସେଇଠି ଉପଲବ୍ଧି ହେଲା ଯେ ପ୍ରାର୍ଥନା କରିବା ପାଇଁ ଜୋତା ଖୋଲିବା ଆବଶ୍ୟକ ନୁହେଁ; ହୃଦୟ ଖୋଲିବା ଆବଶ୍ୟକ।
ତେଣୁ ପରିସ୍ଥିତିକୁ ଦେଖି ବିଧି, ବିଧାନ ମଧ୍ୟ ବଦଳିଯିବା ସ୍ବାଭାବିକ।ଯଜ୍ଞବ୍ରତ- ଶାସ୍ତ୍ରସମ୍ମତ ଉପଚାରକୁ ମାନି ପୂଜା କଲେ କ"ଣ ହୃଦୟକୁ ଖୋଲି ଦିଆଯାଇ ପାରେନା? େସମିତି ଦେଖିବାକୁ ଗଲେ ଅନେକ ଭକ୍ତ, ଅନେକ ଦରିଦ୍ର, ନିରୀହ ଭକ୍ତଙ୍କର ବି ସେଦିନ କ"ଣ ନା କ"ଣ ଅସୁବିଧା ଥିବ।
କିନ୍ତୁ ସେମାନେ ନିଜର ସେ ଅସୁବିଧା କଥା ଭୁଲିଯାଇ ପ୍ରଭୁଙ୍କର ତିଥିକୁ ତ ଆନନ୍ଦର ସହ ପାଳନ କରୁଛନ୍ତି!Advertisment ଯେତେବେଳେ ଏ ଶାସ୍ତ୍ର ଲେଖା ହୋଇଥିଲା, ସେତେବେଳେ ଶାସ୍ତ୍ରକାରମାନେ କେବେ କଳ୍ପନା କରି ନ ଥିବେ ଯେ ଦିନେ, ସାତ ସମୁଦ୍ର ତେର ନଈ ଆରପାରିରେ, କେଉଁ ଅଜଣା ଭୂଖଣ୍ଡରେ ରଥଯାତ୍ରା ପାଳିତ ହେବ।
ତେଣୁ ବର୍ତ୍ତମାନ ଯେହେତୁ ରଥଯାତ୍ରା ବିଶ୍ବର ବିଭିନ୍ନ ଦେଶରେ, ବିଭିନ୍ନ ପରିସ୍ଥିତିରେ ପାଳିତ ହେଉଛି, ସେଥିପାଇଁ ଶାସ୍ତ୍ରର ସେହି ନିୟମରେ କିଛି ଉଦାରତାର ସ୍ପର୍ଶ ଆଣିବା ଆବଶ୍ୟକ।
ଶାଶ୍ବତ- ଏହା କେହି ଅସ୍ବୀକାର କରୁନାହାନ୍ତି।
କିନ୍ତୁ ମୌଳିକତଃ ପ୍ରାର୍ଥନାକୁ କୌଣସି "ପ୍ରୋଟୋକଲ" ମଧ୍ୟରେ ବନ୍ଦୀ କରିବା ଉଚିତ ନୁହେଁ।
ପ୍ରାର୍ଥନା ହେଉଛି, ହୃଦୟର ନିଷ୍ପାପ ସମର୍ପଣତା।
ଟଲଷ୍ଟୟଙ୍କର "ଥ୍ରି ହର୍ମିଟ୍ସ" ଗପରେ କ"ଣ ଅଛି?
କେଉଁ ଉଚିତ ପଦ୍ଧତିରେ ପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ହେବ- ଏହା ଶିଖେଇ ସାରି ଅଭିଜ୍ଞ ପାଦ୍ରୀ ଯେତେବେଳେ ଦେଖନ୍ତି ଯେ ସେ ଯେଉଁ ତିନି ଜଣ ଅଶିକ୍ଷିତ ବୃଦ୍ଧଙ୍କୁ ପ୍ରାର୍ଥନାର ବିଧି ଶିଖେଇ ଆସିଥିଲେ, ସେମାନେ ସମୁଦ୍ରର ବିଶାଳ ଜଳରାଶି ଉପରେ ଚାଲି ଚାଲି ପାଦ୍ରୀଙ୍କର ଜାହାଜ ପଛରେ ଆସୁଛନ୍ତି, ସେତେବେଳେ ପାଦ୍ରୀ ତାଙ୍କୁ କହୁଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନାର କୌଣସି ପଦ୍ଧତିର ଆବଶ୍ୟକତା ନାହିଁ।
ଆମେ ବି ଈଶ୍ବରଙ୍କୁ ପାଇଥିବା ଅନେକ ଲୋକଙ୍କ ବିଷୟରେ ଶୁଣିଛୁ, ଯେଉଁମାନେ ନୈଷ୍ଠିକ ଶାସ୍ତ୍ରଗତ ବିଧିବିଧାନ ମାଧ୍ୟମରେ ନୁହେଁ, ସମର୍ପଣତାର ନିଜସ୍ବ ଉପାୟରେ ଭଗବାନଙ୍କୁ ପାଇ ପାରିଛନ୍ତି।
ଦାସିଆ ବାଉରୀ, ସାଲବେଗ ତ ଏହାର ସ୍ପଷ୍ଟ ଉଦାହରଣ।ଯଜ୍ଞବ୍ରତ- ତୁମେ ଶାସ୍ତ୍ରର ବିଧିକୁ ହୃଦୟର ଆବେଗତର ବିରୋଧୀ ଭାବେ କାହିଁକି ଦେଖୁଛ?
ଏହି ବିଧି ସବୁ କ"ଣ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଲେଖାଯାଇଥିଲା?
ଏହାର ଉଦ୍ଦେଶ୍ୟ ତ ମହାନ ଥିଲା!ଶାଶ୍ବତ- ଯେତେବେଳେ ଏ ଶାସ୍ତ୍ର ଲେଖା ହୋଇଥିଲା, ସେତେବେଳେ ଶାସ୍ତ୍ରକାରମାନେ କେବେ କଳ୍ପନା କରି ନ ଥିବେ ଯେ ଦିନେ, ସାତ ସମୁଦ୍ର ତେର ନଈ ଆରପାରିରେ, କେଉଁ ଅଜଣା ଭୂଖଣ୍ଡରେ ରଥଯାତ୍ରା ପାଳିତ ହେବ।
ତେଣୁ ବର୍ତ୍ତମାନ ଯେହେତୁ ରଥଯାତ୍ରା ବିଶ୍ବର ବିଭିନ୍ନ ଦେଶରେ, ବିଭିନ୍ନ ପରିସ୍ଥିତିରେ ପାଳିତ ହେଉଛି, ସେଥିପାଇଁ ଶାସ୍ତ୍ରର ସେହି ନିୟମରେ କିଛି ଉଦାରତାର ସ୍ପର୍ଶ ଆଣିବା ଆବଶ୍ୟକ।
ହିନ୍ଦୁ ଧର୍ମରେ ଲୁହାର କବାଟ ଲାଗିନାହିଁ; ଏହା ଉଦାର ବୋଲି ତ ଏହା ସନାତନ, ଚିରନ୍ତନ।
ଅନ୍ୟ ଧର୍ମରେ ଶାସ୍ତ୍ରକୁ ସମସ୍ତେ ମାନୁଥିବା କଥା କହୁଛ; ମାତ୍ର ଅନ୍ୟ ଧର୍ମରେ ଶାସ୍ତ୍ର କେତେ ନିଷ୍ଠୁର ହୋଇପାରେ ତାହାର କରୁଣ କାହାଣୀ ତ ସମେସ୍ତ ଜାଣନ୍ତି।ପ୍ରଥମ କଥା ହେଲା, ଆମେ ପ୍ରଭୁଙ୍କୁ ଆମ ସଂପତ୍ତି ବୋଲି ଭାବିବା ନାହିଁ।
ଆମ ସଂପତ୍ତି ବୋଲି ଭାବିଲେ, ଆମେ ସଂପତ୍ତିର ରକ୍ଷଣାବେକ୍ଷଣ ପାଇଁ ନିୟମମାନ କରିବା ଏବଂ କିଏ ନ ମାନିଲେ ବ୍ୟତିବ୍ୟସ୍ତ ହୋଇପଡ଼ିବା।
ଚିତ୍ତରଞ୍ଜନ ଦାସ ତାଙ୍କର "ମନ୍ନାଥ ଓ ଜଗନ୍ନାଥ" ପ୍ରବନ୍ଧଟିରେ ଏହି ସଂପତ୍ତି କଥା ହିଁ ଲେଖିଛନ୍ତି।
ତାଙ୍କ ମତରେ, ମୋ ଦେଶଟି କେବଳ ମୋ"ରି, ମୋ ଠାକୁର କେବଳ ମୋ"ରି; ଏଇଟା ହେଉଛି ଏକ ମୋହଗ୍ରସ୍ତ ମନର ଅବସ୍ଥା।
ଆମେ ଜଗନ୍ନାଥଙ୍କୁ କାହିଁକି ଆମ ମୋହ ଭିତରେ ରୁଦ୍ଧ କରିଦେବା, ଯିଏ ଅନନ୍ତ ପରିବ୍ୟାପ୍ତ!ତେଣୁ ଯଦି କେଉଁ ବିଦେଶରେ, ଅନ୍ୟ କେଉଁ ଧର୍ମର ମଣିଷମାନେ, ଜଗନ୍ନାଥଙ୍କୁ ରଥରେ ଆସ୍ଥାନ କରି, ମନଖୁସିରେ ନାଚି, ଗୀତ ଗାଇ ଗଲେ, ଆମେ ତାଙ୍କୁ କାହିଁକି ସେହି ଆନନ୍ଦରୁ ବଞ୍ଚିତ କରିବା!
ଆମେ ବରଂ ଆନନ୍ଦିତ ହେବା ଯେ ଆମେ ଯାହାଙ୍କୁ ଆମର ଠାକୁ ବୋଲି କହୁଛୁ, ସେମାନେ ତାହାଙ୍କୁ କେତେ ଶ୍ରଦ୍ଧାରେ ନେଇ ଯାଉଛନ୍ତି।
ଏଥିରେ ତ ଗୋଟିଏ ଆପଣାପଣ ଆସିବା କଥା!
ଏଥିରେ ତ ଜଗନ୍ନାଥ ଚେତନାର ପ୍ରସାର ହେଉଛି!
ଯଜ୍ଞବ୍ରତ, ଜଗନ୍ନାଥଙ୍କୁ ଯେତେବେଳେ ତୁମେ ବିଗ୍ରହ ବୋଲି ଦେଖୁଥିବ, ସେତେବେଳ ପର୍ଯ୍ୟନ୍ତ ସେହି ବିଗ୍ରହର ପୂଜା, ଅର୍ଚ୍ଚନା ପାଇଁ ସମସ୍ତ ବିଧି, ଉପଚାର ମୁଖ୍ୟ ହୋଇଯିବ।
ମାତ୍ର ଯେତେବେଳେ ଜଗନ୍ନାଥ ତୁମ ପାଇଁ ପରଂବ୍ରହ୍ମ, ଏ ସାରା ସୃଷ୍ଟିର ସ୍ରଷ୍ଟା ହୋଇଯିବେ, ସେତେବେଳେ ପାଞ୍ଜିର କୌଣସି ତିଥି ଏବଂ ସମସ୍ତ ଲୌକିକ ଉପଚାର ଅବାନ୍ତର ହୋଇଯିବ।ଯଜ୍ଞବ୍ରତ- ସେମାନେ ତ ବିଗ୍ରହଙ୍କୁ ନେଇଯାଉଛନ୍ତି।
କିନ୍ତୁ ବର୍ତ୍ତମାନ ଆମେ ସେହି ଶାସ୍ତ୍ରୀୟ ବାଧ୍ୟ ବାଧ୍ୟକତାକୁ ଭୁଲିଯିବା।
ପ୍ରତ୍ୟେକ ପରିବାରରେ କିଛି ସ୍ମରଣୀୟ ଦିନ ଥାଏ, ଯେମିତି କାହାର ଜନ୍ମଦିନ।
ପରିବାରର ସମସ୍ତ ସଦସ୍ୟ, ପୃଥିବୀରେ ଯେଉଁ କୋଣରେ ଥାଆନ୍ତୁ ପଛେ, ସେହି ଦିନକୁ ମାନି ଥାଆନ୍ତି।
ସେହିପରି ଧର୍ମରେ ମଧ୍ୟ ପବିତ୍ର ଦିନଗୁଡ଼ିକ ଥାଏ, ଯେପରି ଖ୍ରୀଷ୍ଟମାସ ଦିନ।
ସେହିପରି ରାଷ୍ଟ୍ରର ଜୀବନରେ ମଧ୍ୟ ଥାଏ, ଯେପରି ସ୍ବାଧୀନତା ଦିବସ।
ଏହି ଦିନଗୁଡ଼ିକ ପରିସ୍ଥିତି ନେଇ ବଦଳା ଯାଏ ନାହିଁ।
ଆମେ ବି ଯେଉଁମାନେ ଜଗନ୍ନାଥ ଭାବକୁ ସମର୍ପିତ ହୋଇଛେ, ଆମେ ତ ଗୋଟିଏ ପରିବାରର!
ଆମ ପରିବାର ପାଇଁ ଏହି ରଥଯାତ୍ରା ତିଥି ତ ଏକ ପବିତ୍ର ଦିନ।
ତେବେ ଏହି ପରିବାରର ଆତ୍ମୀୟତାଟି ସେମାନଙ୍କ ପାଖରେ ନ ଆସିବା ଏକ ଦୁଃଖଦାୟକ କଥା ନୁହେଁ କି?(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୨୯୨୧୧୩"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।