Horror: ସ୍ତ୍ରୀକୁ ହତ୍ୟା କରି ମୁଣ୍ଡ ଓ ଆଙ୍ଗୁଠିକୁ ଫ୍ରିଜରେ ରଖିଲା ସ୍ୱାମୀ
ଏକ ଚାଞ୍ଚଲ୍ୟକର ଘଟଣାରେ ଗୌହାଟୀସ୍ଥିତ ନିଜ ଆପାର୍ଟମେଣ୍ଟରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଛି। ବିବାହର ମାତ୍ର କିଛି ମାସ ପରେ ଘଟିଥିବା ଏହି ଘଟଣା ପରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଖୋଜିବା ଆରମ୍ଭ କରିଥିଲା।
ସେପ୍ଟେମ୍ବର ୬ ତାରିଖରେ ପଡ଼ୋଶୀମାନେ ଦୁର୍ଗନ୍ଧ ଆସୁଥିବା ନେଇ ଅଭିଯୋଗ କରିବା ପରେ ପୋଲିସ ସେହି ଆପାର୍ଟମେଣ୍ଟରେ ପହଞ୍ଚିଥିଲା । ସେଠାରେ କିଛି ମାସ ପୂର୍ବେ ବିବାହ କରିଥିବା ଏହି ଦମ୍ପତି ରହୁଥିଲେ। ପଡ଼ୋଶୀମାନେ ପୋଲିସକୁ କହିଥିଲେ ଯେ ସେମାନେ ଦୁଇ ଦିନ ଧରି ଦମ୍ପତିଙ୍କୁ ଦେଖିନାହାନ୍ତି ଏବଂ ସେମାନଙ୍କ ଫୋନ୍ ମଧ୍ୟ ବନ୍ଦ ରହିଛି।
ଏହାପରେ ପୋଲିସ ଆପାର୍ଟମେଣ୍ଟର ତାଲା ଭାଙ୍ଗି ଭିତରକୁ ଯାଇଥିଲା ଏବଂ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପାଇଥିଲା। ତାଙ୍କ ଆଙ୍ଗୁଠିଗୁଡ଼ିକ ଅଧା କଟା ହୋଇଥିଲା, ଶରୀର ପଚିବା ଆରମ୍ଭ ହୋଇଯାଇଥିଲା ଏବଂ ମୁଣ୍ଡଟି ଶରୀର ସହ ନଥିଲା । ମୃତ ମହିଳାଙ୍କ ନାଁ ରିୟା ତାଲୁକଦାର ।
ଘର ତଲାସୀ ବେଳେ ପୋଲିସ ଫ୍ରିଜ୍ ଭିତରେ ଥିବା ଏକ ପଲିଥିନ୍ ବ୍ୟାଗ୍ରୁ ମହିଳାଙ୍କ ମୁଣ୍ଡ ଓ ଆଙ୍ଗୁଠି ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ତାଙ୍କ ସ୍ୱାମୀଙ୍କର କୌଣସି ପତ୍ତା ମିଳିନଥିଲା। ପଡ଼ୋଶୀମାନେ କହିଥିଲେ ଯେ ସେମାନେ ଶେଷ ଥର ପାଇଁ ତାଙ୍କୁ ଶୁକ୍ରବାର ଦିନ ଦେଖିଥିଲେ।
ଏହାପରେ ମୃତଦେହ ଓ କଟା ମୁଣ୍ଡକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ରବିବାର ରାତିରେ ତାଙ୍କ ସ୍ୱାମୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ତଦନ୍ତକାରୀ ଅଧିକାରୀମାନେ ଅଭିଯୁକ୍ତର ବୟାନ ରେକର୍ଡ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।