22 SEPTEMBER 2026

Welcome!

Unlock your personalized experience.
Sign Up

Hostel: ଦୁଃଖ ଜଣାଇବାକୁ ୯ କିମି ଚାଲିଲେ ହଷ୍ଟେଲ୍‌ ଅନ୍ତେବାସୀ: ବାଟରେ ଅଟକାଇଲେ ପୁଲିସ, ଅଧିକାରୀ

Sep 22, 2026 - 08:25
Hostel: ଦୁଃଖ ଜଣାଇବାକୁ ୯ କିମି ଚାଲିଲେ ହଷ୍ଟେଲ୍‌ ଅନ୍ତେବାସୀ: ବାଟରେ ଅଟକାଇଲେ ପୁଲିସ, ଅଧିକାରୀ

ଦେବକୁଣ୍ଡ/ଖୁଣ୍ଟା/କୁଆମରା: ୨ ମାସରୁ ଊର୍ଦ୍ଧ୍ବ ହେଲା ହଷ୍ଟେଲରେ କଲବଲ ହୋଇ ଚଳୁଛନ୍ତି ଅନ୍ତେବାସୀ। ପୋକରା ଚାଉଳର ଭାତ ମିଳୁଥିବା ବେଳେ ନାହିଁ ପିଇବା ପାଣିର ସୁବିଧା। ବିଜୁଳି ସୁବିଧା ନଥିବାରୁ ପାଠପଢ଼ାରେ ବାଧା ଉପୁଜୁଛି। ଅଧିକାଂଶ ସମୟ ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ରହୁଛନ୍ତି। ଏ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଏପରି ଅଭିଯୋଗ ଆଣି ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ବ୍ଲକ୍‌ ବିସିପୁର ପିଏମ୍‌ଶ୍ରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀ ଆଜି ତାତି ଉଠିଥିଲେ। ହଷ୍ଟେଲରୁ ବାହାରି ଜିଲ୍ଲାପାଳଙ୍କୁ ଭେଟିବାକୁ ବାରିପଦା ଅଭିମୁଖେ ଚାଲି ଚାଲି ଯାଉଥିଲେ। ପାଖାପାଖି ୯ କିମି ଦୂର ଯିବା ପରେ ସେମାନଙ୍କୁ ପୁଲିସ ଅଟକାଇ ବୁଝାସୁଝା କରିଥିଲା। ଏପରି ଘଟଣା ଆଜି ସାରା ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ବାଟରେ ଅଟକାଇଲେ ପୁଲିସ, ଅଧିକାରୀ
ଆଲୋଚନା ବିଫଳ, ରାଜପଥ ଅବରୋଧ
ଦିଆଯାଉଛି ପୋକରା ଚାଉଳର ଭାତ
ମିଳୁନି ପାନୀୟଜଳ, ଜଳୁନି ଆଲୁଅ

ଅଭିଯୋଗ ମୁତାବକ, ଉଦଳା ଥାନା ବିସିପୁର ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୧୦୦ ଛାତ୍ର ଓ ୧୫୦ ଜଣ ଛାତ୍ରୀ ରହୁଛନ୍ତି। ଏହି ଅନ୍ତେବାସୀଙ୍କ ପାଇଁ ୨ ମାସ ହେଲା ପାନୀୟଜଳ ଓ ବିଦ୍ୟୁତ୍‌ର ସୁବିଧା ନାହିଁ। ହଷ୍ଟେଲରେ ପୋକରା ଚାଉଳରେ ଭାତ ରାନ୍ଧି ଖାଇବାକୁ ଦିଆଯାଉଛି। ଏନେଇ ଅନ୍ତେବାସୀମାନେ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଓ ମେଟ୍ରୋନଙ୍କୁ ବାରମ୍ବାର ଅବଗତ କରିଛନ୍ତି। ଏପରିକି ମେଟ୍ରୋନ ଏବାବଦରେ ପ୍ରଧାନଶିକ୍ଷକଙ୍କୁ ଜଣାଉଥିଲେ ସୁଦ୍ଧା ପ୍ରଧାନଶିକ୍ଷକ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରିନାହାନ୍ତି। ଅଧିକାଂଶ ସମୟରେ ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ଆସି ଅନ୍ତେବାସୀଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଶେଷରେ ଆଜି ଅନ୍ତେବାସୀମାନେ ହଷ୍ଟେଲରୁ ବାହାରି ଉଦଳା-ବାରିପଦା ରାଜ୍ୟ ରାଜପଥରେ ଚାଲି ଚାଲି ବାରିପଦା ଅଭିମୁଖେ ଯାଉଥିଲେ। ପ୍ରାୟ ୪୫ କିମି ଚାଲି ଯାଇ ସେଠାରେ ପହଞ୍ଚି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଥା’ନ୍ତେ। ତେବେ ପାଖାପାଖି ୯ କିମି ଯିବା ପରେ ଖୁଣ୍ଟା ନିକଟରେ ଖୁଣ୍ଟା ଓ ଉଦଳା ପୁଲିସ ସମେତ ଅନ୍ୟାନ୍ୟ ଅଧିକାରୀ ସେମାନଙ୍କୁ ଅଟକାଇ ଖୁଣ୍ଟା ବ୍ଲକ୍‌ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ବସାଇ ବୁଝାସୁଝା କରିଥିଲେ। ମାତ୍ର ଆଲୋଚନା ବିଫଳ ହେବାରୁ ଅନ୍ତେବାସୀମାନେ ଫେରି ଆସି ବିଦ୍ୟାଳୟ ସମ୍ମୁଖ ରାଜ୍ୟ ରାଜପଥ ଅବରୋଧ କରିଥିଲେ। 

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ଉପଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରା, ପ୍ରକଳ୍ପ ଅଧିକାରୀ ଆଶିଷ କୁମାର ମହାପାତ୍ର, ଉଦଳା ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ ସମେତ ବହୁ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ ଛାତ୍ରଛାତ୍ରୀ। ଖୁବଶୀଘ୍ର ନିଶାସକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ହଷ୍ଟେଲରେ ବ୍ୟବସ୍ଥାର ସୁଧାର ଅଣାଯିବାକୁ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀ ହଷ୍ଟେଲ ଫେରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।