IIT Bhubaneswar Plans Five Ramps: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ, ୫ ରାଂପ୍‌ର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

Aug 25, 2026 - 20:00
IIT Bhubaneswar Plans Five Ramps: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ, ୫ ରାଂପ୍‌ର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଦୀର୍ଘଦିନରୁ ଯେଉଁ ଯୋଜନା ଚାଲିଛି, ସେ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର। ସୋମବାର ଲୋକସେବା ଭବନରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଉପରେ ହୋଇଛି ପୁଙ୍ଖନାପୁଙ୍ଖ ଆଲୋଚନା। ଯେଉଁଥିରେ ଆଇଆଇଟି ଭୁବନେଶ୍ବରର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରଦର୍ଶିତ ହୋଇଥିଲା ବିଭିନ୍ନ ମଡେଲ୍ । ଏହାଭିତରୁ ସବୁଠାରୁ ଭଲ ମଡେଲ୍ ର ପାଇଲଟ୍  ପ୍ରକଳ୍ପ ଶୀଘ୍ର ପ୍ରସ୍ତୁତ କରାଯିବା ପରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କରାଯିବ। ଯୋଜନା ଅନୁୟାୟୀ, ଭକ୍ତମାନେ ୫ଟି ଅଲଗା ଅଲଗା ରାଂପ୍ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ। ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଭକ୍ତ ଯେଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। କେଉଁ ରାଂପରେ କେତେ ଭକ୍ତ ଦର୍ଶନ ପାଇଁ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ କିପରି ଦର୍ଶନ କରିବେ ସେନେଇ ଆଇନ୍ ମନ୍ତ୍ରୀ ଓ ପୁରୀ ଏସପିଙ୍କୁ ବୁଝାଇଥିଲା ବୈଷୟିକ କମିଟି।

କେବଳ ସେତିକି ନୁହଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢୁଥିବାରୁ ନାଟ ମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଶ୍ରୀମନ୍ଦିରରେ ସ୍ଥାପିତ ହୁଣ୍ଡି ଏବଂ ଆଉ କିଛି ବୈଷୟିକ ସମସ୍ୟା ଯୋଗୁ ଏଥିରେ ବିଳମ୍ବ ହୋଇଛି। ଆଇଆଇଟି ଭୁବନେଶ୍ବରକୁ ଏହାର ଯାଞ୍ଚ ଦାୟିତ୍ବ ଦିଆଯାଇଥିଲା। ବୈଷୟିକ ଟିମ୍ ମନ୍ଦିର ପରିଦର୍ଶନ କରିବା ସହ ଏହାର ପାଇଲଟ୍ ମଡେଲ ପ୍ରସ୍ତୁତ କରୁଛନ୍ତି।

ଧାଡ଼ି ଦର୍ଶନକୁ ନେଇ ବାରମ୍ବାର ଆଲୋଚନା ହୋଇଥିବା ବେଳେ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ବରିଷ୍ଠ ସେବାୟତ। କହିଛନ୍ତି, ରାଂପ୍ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରଚଳନ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ। ଆଉ କିଛି ସେବାୟତ ପ୍ରଥମେ ପରୀକ୍ଷା ମୂଳକଭାବେ ଏହି ବ୍ୟବସ୍ଥା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ଅପେକ୍ଷା କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଧାଡ଼ି ଦର୍ଶନ, ଆଉ କେବେଠାରୁ ଶୃଙ୍ଖଳିତ ଦର୍ଶନର ସୁଯୋଗ ପାଉଛନ୍ତି ଶ୍ରଦ୍ଧାଳୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।