Six Lives Lost to Snakebites Across Odisha: ଅମଙ୍ଗଳ ମଙ୍ଗଳବାର, ଅଜା-ନାତି ପରେ ଭାଇ-ଭଉଣୀଙ୍କୁ ମଧ୍ୟ ଛଡ଼ାଇନେଲା ବିଷାକ୍ତ ସାପ

Aug 25, 2026 - 20:00
Six Lives Lost to Snakebites Across Odisha: ଅମଙ୍ଗଳ ମଙ୍ଗଳବାର, ଅଜା-ନାତି ପରେ ଭାଇ-ଭଉଣୀଙ୍କୁ ମଧ୍ୟ ଛଡ଼ାଇନେଲା ବିଷାକ୍ତ ସାପ

କମ୍ବଳ ଘୋଡ଼େଇ ହୋଇ ନାତିକୁ ଅଜା ଆଦରରେ କୋଳରେ ଧରି ଶୋଇଥିଲେ, ସେଇ ନାତି ସହ ଅଜା ବି ଚାଲିଗଲେ ଆରପାରିକୁ। ସୁନ୍ଦରଗଡ଼ ବଣାଇରେ ସାପ କାମୁଡ଼ାରେ ଅଜାନାତିଙ୍କ ମୃତ୍ୟୁ ପରେ ତିଲେଇମାଲ ଗାଁର ଇଏ ସେହି ବୁକୁଫଟା ଚିତ୍ର। ମୃତ ଅଜାନାତି ଭୂୟାଁ ସାହିର ବାସିନ୍ଦା। ଗତକାଲି ରାତିରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ି ଦେଇଥିଲା ବିଷାକ୍ତ ସାପ। ସକାଳେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଆଉ କିଛି ନଥିଲା। ସେହିପରି ରାଉରକେଲା ସରକାରୀ ଡାକ୍ତରଖାନାର ଷ୍ଟ୍ରେଚରରେ ସବୁଦିନ ପାଇଁ ଶୋଇଯାଇଛନ୍ତି ଭାଇଭଉଣୀ। ୭ ବର୍ଷର ଭାଇ… ୧୦ ବର୍ଷର ଭଉଣୀ। ରାତିରେ ସାଙ୍ଗହୋଇ ଶୋଇଥିଲେ… ସକାଳେ ଉଠିବେ ବୋଲି ଭାବିଥିଲେ। ସକାଳ ଆସିଲା…କିନ୍ତୁ ଆଖି ଖୋଲିଲେନି। ଚାନ୍ଦିପୋଷ ଥାନା ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ ଭାଇଭଉଣୀ। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ସାପ କାମୁଡାର ଚାଲି ଯାଇଛି ଚାରି ଚାରି ଜଣଙ୍କ ଜୀବନ।

ଖାଲି ସୁନ୍ଦରଗଡ଼ ନୁହେଁ, ବାଲେଶ୍ୱରରୁ ଭଦ୍ରକ ପର୍ଯ୍ୟନ୍ତ ଗୋଟିଏ ଦିନରେ ସାପ କାମୁଡ଼ା ଛଡ଼ାଇନେଇଛି ଛଅ ଛଅଟି ଜୀବନ। ବାଲେଶ୍ୱର ବାଲିଆପାଳର ନନ୍ଦିତା। ଭଦ୍ରକ ଚାନ୍ଦବାଲିର ଆଉ ଜଣେ ୧୦ ବର୍ଷିୟା ନାବାଳିକା। ସ୍କୁଲ ଯିବାର ଥିଲା, ବଡ଼ ହେବାର ଥିଲା। ବାପା-ମାଆଙ୍କ ଆଶା ବି ପୂରଣ କରିବାର ଥିଲା। କିନ୍ତୁ ସାପର ବିଷ ସବୁ ସ୍ୱପ୍ନକୁ ଗୋଟିଏ ମୁହୂର୍ତ୍ତରେ ଶେଷ କରିଦେଇଛି। ବଡ଼କଥା ହେଲା ବଢିପାଣି ଛାଡ଼ିଯିବା ବେଳେ ମାଳମାଳ ସାପ ଚାରିଆଡ଼େ ବୁଲୁଛନ୍ତି। କେଉଁଠି ଘର ଭିତରେ ପଶୁଛନ୍ତି ପୁଣି କେଉଁଠି ଅଳିଆ ଆବର୍ଜନା ଭିତରେ ଛକି ରହୁଛନ୍ତି। ଯାହାର ଶିକାର ହେଉଛି ନୀରିହ ଜୀବନ। 

ସାପକାମୁଡ଼ା ଘଟଣାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ସାପ କାମୁଡ଼ିଲେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଯାଇ ଚିକିତ୍ସା କରିବା ସହ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରନ୍ତୁ। ଏପଟେ ସାପ କାମୁଡ଼ିଲେ ପ୍ରଥମେ କଣ କରିବେ ତାର ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ। କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପାଟିରୁ ଗରଳ ବାହାରିବା, ଆଖି ପତ୍ତା ପଡ଼ିଯିବା ସହ ଭଲରେ କଥା କହିନପାରିବା ଏବଂ ଶରୀର କମ୍ପି ଉଠିବା ସାପ କାମୁଡ଼ାର ଲକ୍ଷଣ। ଏପରି ହେଲେ ଗୁଣିଗାରେଡ଼ି ଉପରେ ବିଶ୍ବାସ ନକରି ତୁରନ୍ତ ଡାକ୍ତରଖାନା ଆସନ୍ତୁ। ସେପଟେ ବନ୍ୟା ପରିବର୍ତ୍ତୀ ସ୍ଥିତିରେ ସାପଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

ବନ୍ୟା ପାଣି ଛାଡ଼ିଗଲାଣି, ହେଲେ ବନ୍ୟା ସହ ଭାସି ଆସିଥିବା ବିପଦ ଏବେ ଗାଁ ଗାଁରେ ରହିଛି। ଯାହାଦ୍ବାରା କେଉଁଠି ମାଆର କୋଳ ଖାଲି ହୋଇଗଲା…ଆଉ କେଉଁଠି ବାପାଙ୍କ ଆଖି ଆଗରେ ଛୁଆର ଜୀବନ ଲିଭିଗଲା। ମଙ୍ଗଳବାରର ସକାଳ ଅନେକ ପରିବାର ପାଇଁ ପାଲଟିଗଲା ଅମଙ୍ଗଳ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।