IIT: ଆଇଆଇଟିରେ ମେଡିକାଲ୍ ସ୍କୁଲ୍ ନିର୍ମାଣ ଲକ୍ଷ୍ୟ ‘ଫିଜିସିଆନ୍-ଇଞ୍ଜିନିୟର’ ତିଆରି
"ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଆଇଆଇଟି ଏବେ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି।
ଆଇଆଇଟି କାନପୁର, ଖଡ଼ଗପୁର ଓ ମାଡ୍ରାସ୍ରେ ମେଡିକାଲ୍ ସ୍କୁଲ୍ ତିଆରି କରାଯାଉଛି।
ତେବେ ଅଧିକ ସଂଖ୍ୟାରେ ଡାକ୍ତର ତିଆରି କରିବା ଏହାର ମୁଖ୍ୟ ଲକ୍ଷ୍ୟ ନୁହେଁ।
ଚିକିତ୍ସା ବିଜ୍ଞାନ ସହ ଇଞ୍ଜିନିୟରିଂକୁ ଯୋଡ଼ି "ଫିଜିସିଆନ୍-ଇଞ୍ଜିନିୟର" ତିଆରି କରିବା ଉପରେ ଏହି ଆଇଆଇଟିଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି।Advertisment ଆହୁରି ପଢନ୍ତୁ :13 Students Fall Ill ଲୌହ ବଟିକା ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ମେଡିକାଲ୍ ଇମେଜିଂ, କୃତ୍ରିମ ବୁଦ୍ଧିମତ୍ତା, ବାୟୋସେନ୍ସର, ରୋବୋଟିକ୍ସ ଓ ବିଭିନ୍ନ ଅତ୍ୟାଧୁନିକ ଉପକରଣର ବ୍ୟବହାର ବଢ଼ିଛି।
ଡାକ୍ତର ରୋଗୀର ଶରୀର ଓ ରୋଗ ବିଷୟରେ ଜାଣୁଥିବା ବେଳେ ଇଞ୍ଜିନିୟର ଯନ୍ତ୍ରପାତି ତିଆରି ଓ ତାହାର କାର୍ଯ୍ୟପ୍ରଣାଳୀ ବୁଝନ୍ତି।
ଉଭୟ କ୍ଷେତ୍ରର ଜ୍ଞାନ ଥିବା ବ୍ୟକ୍ତିଙ୍କ ଅଭାବ ପୂରଣ କରିବା ଆଇଆଇଟିଗୁଡ଼ିକର ଉଦ୍ଦେଶ୍ୟ।
ଆଇଆଇଟି କାନପୁରର ଗ୍ୟାଙ୍ଗୱାଲ୍ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ଟେକ୍ନୋଲୋଜିର ଡିନ୍ ପ୍ରଫେସର ଅନିଲ କେ ଲାଲୱାନିଙ୍କ ଅନୁସାରେ ପ୍ରଥମେ ଏଠାରେ ଏମ୍ଡି, ଡିଏମ୍ ଓ ଏମ୍ସିଏଚ୍ ଭଳି ଉଚ୍ଚ ଓ ସୁପର୍-ସ୍ପେସାଲିଟି ପାଠ୍ୟକ୍ରମ ଆରମ୍ଭ କରାଯିବ।
ଏହା ସହ ଗବେଷଣା କାର୍ଯ୍ୟ ମଧ୍ୟ ଚାଲିବ।
ଏମ୍ବିବିଏସ୍ ଆରମ୍ଭ ହେବାକୁ ଆଉ ପ୍ରାୟ ୩ରୁ ୪ ବର୍ଷ ଲାଗିପାରେ।
କାନପୁରରେ ୫୦୦ ଶଯ୍ୟାର ଯଦୁପତି ସିଂଘାଣିଆ ସୁପର୍-ସ୍ପେସାଲିଟି ହସ୍ପିଟାଲ୍ ଚଳିତ ବର୍ଷ ଶେଷ ସୁଦ୍ଧା ଉଦ୍ଘାଟନ ହେବ ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରଥମ ରୋଗୀଙ୍କ ଚିକିତ୍ସା ଆରମ୍ଭ ହେବ।
ଏହା ପାଖରେ ୫୦ ଶଯ୍ୟାର କ୍ୟାନ୍ସର୍ କେୟାର୍ ଓ ରିସର୍ଚ୍ଚ ସେଣ୍ଟର୍ ମଧ୍ୟ ରହିବ।
ଆହୁରି ପଢନ୍ତୁ :Bhagat Singh: ଭଗତ ସିଂହଙ୍କ ଜୟନ୍ତୀରେ ମୋଦୀଙ୍କ ସମେତ ବିଜେପି ନେତାଙ୍କ ଶ୍ରଦ୍ଧାଞ୍ଜଳି ଆଇଆଇଟି ଖଡ଼ଗପୁରରେ ୨୦୦୧ରୁ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ରହିଛି।
ଏଠାରେ ଏମ୍ଏମ୍ଏସ୍ଟି ଭଳି ଅନ୍ତର୍ବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ଡାକ୍ତରମାନଙ୍କୁ ଇଞ୍ଜିନିୟରିଂ ଓ ଭୌତିକ ବିଜ୍ଞାନ ସହ ପରିଚିତ କରାଯାଉଛି।
ଏହି ଆଇଆଇଟି ହସ୍ପିଟାଲ୍ ମଧ୍ୟ ନିର୍ମାଣ କରିଛି ଏବଂ ସ୍ନାତକୋତ୍ତର ଚିକିତ୍ସା ପାଠ୍ୟକ୍ରମ ପାଇଁ ଅନୁମୋଦନ ପାଇଛି।
ଆଇଆଇଟି ମାଡ୍ରାସ୍ର ନିର୍ଦ୍ଦେଶକ ପ୍ରଫେସର ଭି କାମକୋଟିଙ୍କ ଅନୁସାରେ ନୂଆ ମେଡିକାଲ୍ ସ୍କୁଲ୍ରେ ଏମ୍ବିବିଏସ୍, ଏମ୍ଡି ଓ ପିଏଚ୍ଡି ପାଠ୍ୟକ୍ରମ ରହିବ।
ଏହାର ଲକ୍ଷ୍ୟ ଦେଶରେ ଚିକିତ୍ସା ପ୍ରଯୁକ୍ତିର ନିଜସ୍ୱ ବିକାଶକୁ ଆଗକୁ ବଢ଼ାଇବା।
ଆଇଆଇଟି ମାଡ୍ରାସ୍ ପୂର୍ବରୁ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ଇଞ୍ଜିନିୟରିଂରେ ଚାରି ବର୍ଷିଆ ବିଏସ୍ ପାଠ୍ୟକ୍ରମ ମଧ୍ୟ ଚଳାଉଛି।
ଆହୁରି ପଢନ୍ତୁ :Jewellery Trader Robbed ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍ ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତ୍ତୀ କହିଛନ୍ତି, ଚିକିତ୍ସା ଓ ଇଞ୍ଜିନିୟରିଂକୁ ଅଲଗା ରଖିବାର ପୁରୁଣା ବ୍ୟବସ୍ଥା ଏବେ ଯଥେଷ୍ଟ ନୁହେଁ।
ରୋଗ ଚିହ୍ନଟଠାରୁ ଚିକିତ୍ସା ଓ ରୋଗୀର ଅନୁସରଣ ପର୍ଯ୍ୟନ୍ତ ପ୍ରଯୁକ୍ତିର ଭୂମିକା ବଢ଼ିଥିବାରୁ ଉଭୟ କ୍ଷେତ୍ରର ଜ୍ଞାନ ଆବଶ୍ୟକ ହେଉଛି।
ଏଥି ସହ ଭାରତରେ ବ୍ୟବହୃତ ମେଡିକାଲ୍ ଉପକରଣର ପ୍ରାୟ ୬୦ ପ୍ରତିଶତ ଆମଦାନି ହେଉଛି।
୨୦୨୪-୨୫ରେ ପ୍ରାୟ ୧.୩୭ ଲକ୍ଷ କୋଟି ଟଙ୍କାର ମେଡିକାଲ୍ ଉପକରଣ ଆମଦାନି ହୋଇଥିବା ବେଳେ ରପ୍ତାନି ଥିଲା ୪୨,୩୬୦ କୋଟି ଟଙ୍କା।
ତେଣୁ ରୋଗୀଙ୍କ ଆବଶ୍ୟକତା ବୁଝି ସ୍ୱଦେଶୀ ଓ ସୁଲଭ ପ୍ରଯୁକ୍ତି ବିକାଶ କରିବା ଏହି ମେଡିକାଲ୍ ସ୍କୁଲ୍ଗୁଡ଼ିକର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।