India Rejects Hague Court Order: ସିନ୍ଧୁ ଜଳ ଚୁକ୍ତି ରାୟକୁ ଭାରତର ପ୍ରତ୍ୟାଖ୍ୟାନ, କୋର୍ଟକୁ କହିଲା ବେଆଇନ

Aug 31, 2026 - 19:28
India Rejects Hague Court Order: ସିନ୍ଧୁ ଜଳ ଚୁକ୍ତି ରାୟକୁ ଭାରତର ପ୍ରତ୍ୟାଖ୍ୟାନ, କୋର୍ଟକୁ କହିଲା ବେଆଇନ

ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତିକୁ ଖାରଜ କରିଥିବା ପରମାନେଣ୍ଟ କୋର୍ଟ ଅଫ୍ ଆର୍ବିଟ୍ରେସନ୍‌ (PCA)ର ରାୟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ହେଗ୍‌ସ୍ଥିତ ଏହି ‘ବେଆଇନ ଭାବେ ଗଠିତ’ କୋର୍ଟର ଅସ୍ତିତ୍ୱକୁ ସେ କେବେ ମଧ୍ୟ ସ୍ୱୀକାର କରିନାହିଁ।

ଜମ୍ମୁ-କଶ୍ମୀରର ରାଟଲେ ଜଳବିଦ୍ୟୁତ ପ୍ରକଳ୍ପର କିଛି ନିର୍ମାଣ କାର୍ଯ୍ୟ ଉପରେ ନୂଆଦିଲ୍ଲୀକୁ ରୋକିବା ପାଇଁ ଅନ୍ତରୀଣ ପଦକ୍ଷେପ ନେବା ସମ୍ପର୍କିତ କୋର୍ଟ ଆଦେଶକୁ ମଧ୍ୟ ଭାରତ ଖାରଜ କରିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, “ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନେଇ ଭାରତର ନିଷ୍ପତ୍ତି ବଳବତ୍ତର ରହିଛି।” ଏହି ବିବୃତିରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍‌ର ରାୟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ୍ ୨୦୨୫ରେ ଘୋଷଣା କରାଯାଇଥିବା କୂଟନୈତିକ ଓ ଆର୍ଥିକ ପଦକ୍ଷେପର ଏକ ଅଂଶ ଭାବେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ଏହି ଆକ୍ରମଣ ପାକିସ୍ତାନରେ ଆଧାରିତ ଲସ୍କର-ଏ-ତୋଏବା (LeT)ର ଏକ ଅନୁବନ୍ଧିତ ଗୋଷ୍ଠୀ ଦ୍ୱାରା କରାଯାଇଥିଲା। ସୀମାପାର ନଦୀଗୁଡ଼ିକର ଜଳରେ ନିଜ ଅଂଶକୁ ରୋକାଗଲେ ଏହାକୁ ଯୁଦ୍ଧ ଘୋଷଣା ଭାବେ ବିବେଚନା କରାଯିବ ବୋଲି ପାକିସ୍ତାନ କହିଆସିଛି। ଏହାପରେ ଜଳ ବଣ୍ଟନ ଚୁକ୍ତିର ସ୍ଥିତି ନିର୍ଦ୍ଧାରଣ ପାଇଁ ପାକିସ୍ତାନ ଚଳିତ ବର୍ଷ ମାର୍ଚ୍ଚରେ ହେଗ୍‌ସ୍ଥିତ କୋର୍ଟର ଦ୍ୱାରସ୍ଥ ହୋଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ‘ତଥାକଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍‌’କୁ ବେଆଇନ ଭାବେ ଗଠିତ ବୋଲି ବର୍ଣ୍ଣନା କରିଛି। ମନ୍ତ୍ରଣାଳୟ କହିଛି, ଏହି ତଥାକଥିତ କୋର୍ଟକୁ ବିଶ୍ୱ ବ୍ୟାଙ୍କ ଚୁକ୍ତିର ସର୍ତ୍ତାବଳୀକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରି ଗଠନ କରିଥିଲା। ଭାରତ ଏହାର ତଥାକଥିତ ରାୟକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରୁଛି, ଯେପରି ଏହି ବେଆଇନ ଭାବେ ଗଠିତ ସଂସ୍ଥାର ପୂର୍ବରୁ ଦିଆଯାଇଥିବା ସମସ୍ତ ଘୋଷଣାକୁ ମଧ୍ୟ ଭାରତ ଦୃଢ଼ ଭାବେ ଖାରଜ କରିଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଭାରତ “ଆଇନଗତ ଦୃଷ୍ଟିରୁ ଏହି ବେଆଇନ ଭାବେ ଗଠିତ ତଥାକଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍‌ର ଅସ୍ତିତ୍ୱକୁ କେବେ ମଧ୍ୟ ସ୍ୱୀକାର କରିନାହିଁ।” ଭାରତ ସବୁବେଳେ ଏହା କହିଆସିଛି ଯେ “ଏହି ତଥାକଥିତ ମଧ୍ୟସ୍ଥତା ସଂସ୍ଥାର ପ୍ରତିଷ୍ଠା ହିଁ ସିନ୍ଧୁ ଜଳ ଚୁକ୍ତିର ଗୁରୁତର ଉଲ୍ଲଂଘନ।”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।