Panchayat Elections: ପଞ୍ଚାୟତ ନିର୍ବାଚନ: ଗାଁ ଆଙ୍କିବ ରାଜନୈତିକ ଦଳଙ୍କ ଜନାଧାରର ଚିତ୍ର

Aug 31, 2026 - 19:28
Panchayat Elections: ପଞ୍ଚାୟତ ନିର୍ବାଚନ: ଗାଁ ଆଙ୍କିବ ରାଜନୈତିକ ଦଳଙ୍କ ଜନାଧାରର ଚିତ୍ର

ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଏବେ ହେବ କି ନାହିଁ, ଯଦି ହେବ କେବେ ହେବ—ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତା ୨୦୨୭ରେ ହେବାକୁ ଯାଉଥିବା ଏହି ନିର୍ବାଚନର ତାରିଖକୁ ନେଇ ଅନିଶ୍ଚିତତା ଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ହାତବାନ୍ଧି ବସି ନାହାନ୍ତି। ସେମାନେ ଭିତରେ ଭିତରେ ନିଜ ନିଜ ସଂଗଠନକୁ ଗାଁ ମୁହାଁ କରାଇବାରେ ଲାଗିଛନ୍ତି। ରାଜ୍ୟର ତିନି ପ୍ରମୁଖ ଦଳ ଯଥା ଭାରତୀୟ ଜନତା ପାର୍ଟି (ବିଜେପି), ବିଜେଡି ଓ କଂଗ୍ରେସ ପଞ୍ଚାୟତ ନିର୍ବାଚନକୁ ସ୍ୱାଭିମାନ ଓ ଅଭିମାନର ଲଢ଼େଇ ଭାବେ ବିବେଚନା କରୁଛନ୍ତି । 

ପଞ୍ଚାୟତ ନିର୍ବାଚନ କେବଳ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି କିମ୍ବା ସରପଞ୍ଚ ପଦ ଜିତିବାର ଲଢ଼େଇ ନୁହେଁ। ଏହା ଗ୍ରାମାଞ୍ଚଳରେ କେଉଁ ଦଳର ସଂଗଠନ କେତେ ମଜବୁତ, ତାହାର ଏକ ବଡ଼ ପରୀକ୍ଷା।
ସମୀକ୍ଷକମାନଙ୍କ ମତରେ ପଞ୍ଚାୟତ ନିର୍ବାଚନ ଶାସକ ବିଜେପି ପାଇଁ ନିଜର ଜନପ୍ରିୟତାର ପ୍ରମାଣ ଦେବା ପାଇଁ ଏକ ବଡ଼ ସୁଯୋଗ । ଏଥି ସହିତ ଏହାକୁ ସାମ୍ନା କରିବା ଏକ ବଡ଼ ଆହ୍ୱାନ ମଧ୍ୟ । ୨୦୨୪ରେ ଓଡ଼ିଶାରେ କ୍ଷମତାକୁ ଆସିବା ପର ଠାରୁ ଦଳ ଅନେକ ପଦକ୍ଷେପ ନେଇଛି । ଅଧାର ଅଧିକ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛି ବୋଲି ଦଳ ଦାବି କରିଆସିଛି । ଦଳର ଏହି ଦାବି କେତେ ସତ ବା ବାସ୍ତବ ତାହା ଏହି ଅଗ୍ନିପରୀକ୍ଷା ରୂପ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ହୋଇଯିବ । 

ଲୋକସଭା ଓ ବିଧାନସଭା ନିର୍ବାଚନରେ ସଫଳତା ପାଇବା ଏବଂ ଗ୍ରାମାଞ୍ଚଳର ପ୍ରତ୍ୟେକ ପଞ୍ଚ।।ୟତରେ ସଂଗଠନ ଗଢ଼ିବା—ଏ ଦୁଇଟି ଭିନ୍ନ କଥା।
ସେଥିପାଇଁ ବିଜେପି ଏବେ ସରକାରୀ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଂଗଠନକୁ ମଧ୍ୟ ଅଧିକ ସକ୍ରିୟ କରିବାକୁ ଗୁରୁତ୍ୱ ଦେଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସଂଗଠନର ଅନ୍ୟ ଶୀର୍ଷ ନେତାମାନଙ୍କର ଘନଘନ ବୈଠକ କରୁଛନ୍ତି । କୁହାଯାଉଛି ଦଳର ଲକ୍ଷ୍ୟ ସ୍ପଷ୍ଟ—ସରକାରର ଯୋଜନା ଓ ସଫଳତାକୁ ନେଇ କର୍ମୀମାନେ ଗାଁକୁ ଯିବେ, ଲୋକଙ୍କ ସହ ସମ୍ପର୍କ ବଢ଼ାଇବେ ଏବଂ ପଞ୍ଚାୟତସ୍ତରରେ ସଂଗଠନକୁ ମଜବୁତ କରିବେ।

କିନ୍ତୁ ବିଜେପି ସାମ୍ନାରେ ଏକ ମୌଳିକ ଆହ୍ୱାନ ରହିଛି—ଗ୍ରାମାଞ୍ଚଳରେ ଦଳର ପୁରୁଣା ଓ ଅନୁଭବୀ କ୍ୟାଡର୍ ନେଟୱର୍କ ବିଜେଡି ଭଳି ପ୍ରଖର ବା ଗଭୀର ନୁହେଁ। ବିଜେପି କ୍ଷମତାକୁ ଆସିବା ପରେ ବିଭିନ୍ନ ଦଳର ନେତା ଓ କର୍ମୀ ବିଜେପି ମୁହାଁ ହୋଇଛନ୍ତି ସତ, -କିନ୍ତୁ ସେମାନଙ୍କର ସହଯୋଗ କେତେ ରହିବ ତାହା ଏବେ ଠାରୁ କହିବା କଷ୍ଟ । ବିଶ୍ଳେଷକଙ୍କ ମତରେ ନିର୍ବାଚନୀ ରାଜନୀତିରେ କେବଳ ନେତାଙ୍କ ଯୋଗଦାନ ଯଥେଷ୍ଟ ନୁହେଁ। ବୁଥ୍ ସ୍ତରରେ ସକ୍ରିୟ କର୍ମୀ, ପଞ୍ଚାୟତ ସ୍ତରରେ ସ୍ଥାନୀୟ ନେତୃତ୍ୱ ଏବଂ ଗାଁରେ ନିରନ୍ତର ଜନସମ୍ପର୍କ—ଏଗୁଡ଼ିକ ହିଁ ପଞ୍ଚାୟତ ନିର୍ବାଚନର ମୂଳ ଶକ୍ତି।

କିଛି ସମୀକ୍ଷକଙ୍କ କହିବା କଥା ଯେ ବିଜେଡି ଏବେ ଟିକିଏ ନୀରବ ରହିବା ଭଳି ଲାଗୁ ଥାଇପାରେ, କିନ୍ତୁ ଦଳ ଆଞ୍ଚଳିକ ଦଳକୁ ଦୁର୍ବଳ ଭାବିବା ଉଚିତ୍ ନୁହେଁ? ଏହି ଦଳର ରଣନୀତି ଏବେ ରହସ୍ୟମୟ ହୋଇ ରହିଛି । ଦଳର ସଭାପତି ନବୀନ ପଟ୍ଟନାୟକ ୨୦୨୯ ପର୍ଯ୍ୟନ୍ତ ମଙ୍ଗ ଧରିବେ ବୋଲି କହିଛନ୍ତି । ୨୦୨୪ରେ ୨୪ ବର୍ଷର ଶାସନ ହରାଇବା ପର ଠାରୁ ବିଜେଡି ବିରୋଧୀ ଦଳରେ ଅଛି। ଏବେ ଏହି ଦଳକୁ ସକ୍ରିୟ ନେତୃତ୍ୱର ଆବଶ୍ୟକତା ଥିବାବେଳେ ଦଳ ଭୈରବ କାର୍ତ୍ତିକେୟନ ପାଣ୍ଡିୟାନ୍‌ଙ୍କ ପତ୍ନୀ ସୁଜତାଙ୍କୁ ସାମ୍ନାରେ ରଖି ଆଗକୁ ବଢିବା ପାଇଁ ଚାହୁଁଛି । ଦୀର୍ଘ ସମୟ ଧରି ପଞ୍ଚାୟତରୁ ବିଧାନସଭା ପର୍ଯ୍ୟନ୍ତ ଏକ ସୁଦୃଢ଼ ସଂଗଠନ ଗଢ଼ିଥିବା ବିଜେଡିର ପୁରୁଣା କର୍ମୀ ଓ ସ୍ଥାନୀୟ ନେତାମାନେ ଏବେ ମଧ୍ୟ ଅନେକ ଅଞ୍ଚଳରେ ପ୍ରଭାବଶାଳୀ। ଏବେ ପ୍ରଶ୍ନ ହେଉଛି—ସେହି ପୁରୁଣା ସଂଗଠନକୁ ଏବଂ ସୁଜାତାଙ୍କୁ ନେଇ କେତେ ଶୀଘ୍ର ପୁଣି ନିଜକୁ ସକ୍ରିୟ କରିପାରୁଛି?

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଲୋକପ୍ରିୟତା, ଦଳର ପୁରୁଣା ସଂଗଠନ ଏବଂ ସରକାର ବିରୋଧୀ ଅସନ୍ତୋଷ—ଏହି ତିନୋଟିକୁ ଏକାଠି କରିପାରିଲେ ବିଜେଡି ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଦଳ ଏକ ବଡ଼ ଚ୍ୟାଲେଞ୍ଜ ଛିଡ଼ା କରିପାରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଅପରପକ୍ଷରେ କଂଗ୍ରେସ ପାଇଁ ଲଢ଼େଇ ସବୁଠୁ କଷ୍ଟକର ହେବ ବୋଲି ସମୀକ୍ଷକମାନେ ମତ ଦିଅନ୍ତି । ଏହି ଦଳର ସ୍ଥିତି ଏବେ ଜଟିଳ ଅବସ୍ଥାରେ ରହିଛି – ରାଜ୍ୟର ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି । ଛାମୁଆ ସଙ୍ଗଠନଗୁଡ଼ିକର ଅବସ୍ଥା ନକହିଲେ ଭଲ । ଏହି ଦୁଇ ବର୍ଷ ମଧ୍ୟରେ ଦଳ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନିଜର ଅସ୍ତିତ୍ୱ ଜାହିର କରିବାରେ ସେତେଟା ସଫଳ ହୋଇପାରିନାହିଁ । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ଦଳ ଭୋଟ୍ ହାର ୩୯ ପ୍ରତିଶତ ଥିବା ବେଳେ ୨୦୨୪ରେ ଏହା ୧୩.୨୬  ପ୍ରତିଶତ ରହିଛି । ଦଳକୁ ରାଜ୍ୟରେ ଶାସନକୁ ଆସିବାକୁ ହେଲେ ଅନ୍ୟୁନ ୪୦ ପ୍ରତିଶତ ଭୋଟ୍ ପାଇବାକୁ ହେବ । ଦେଖିବାର କଥା ଦଳ ଏହି ଲକ୍ଷ୍ୟକୁ କିଭଳି ହାସଲ କରିପାରୁଛି । 
କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ସାମ୍ନାରେ ଏବେ ଦୁଇଟି ବଡ଼ କାମ ରହିଛି । ପ୍ରଥମତଃ ସଂଗଠନକୁ ପୁନର୍ଗଠିତ କରିବା ଏବଂ ଦ୍ୱିତୀୟତଃ ଲୋକଙ୍କ ମଧ୍ୟରେ ଦଳ ପାଇଁ ଏକ ସ୍ପଷ୍ଟ ରାଜନୈତିକ ବିକଳ୍ପର ଧାରଣା ସୃଷ୍ଟି କରିବା।
କେବଳ ସରକାର କିମ୍ବା ବିଜେଡିକୁ ସମାଲୋଚନା କଲେ କଂଗ୍ରେସ ପାଇଁ କାମ ହେବ ନାହିଁ। ଗାଁର ଭୋଟର କାହିଁକି କଂଗ୍ରେସକୁ ବାଛିବେ—ତାହାର ଉତ୍ତର ଦଳକୁ ଦେବାକୁ ପଡ଼ିବ।
ଏମ୍‌ଏମ୍‌ଡ଼ିଆର ବିଲ୍‌କୁ ନେଇ ରାଜ୍ୟରେ ଏବେ ନୂଆ ରାଜନୈତିକ ମୋର୍ଚ୍ଚା ବିଜେଡ଼ି ଓ କଂଗ୍ରେସ ତରଫରୁ ଖୋଲାଯାଇଛି । ନିକଟରେ ସଂସଦରେ ପାସ ହୋଇଥିବା ଖଣି ଓ ଖଣିଜ ସମ୍ପଦ ସଂଶୋଧନ ବିଲ୍ ୨୦୨୬କୁ ନେଇ ଉଭୟ ଦଳ ସରକାରୀ ଦଳ ବିଜେପିକୁ ଘେରିବାକୁ ପ୍ରୟାସ କରୁଛନ୍ତି।

ଅପରପକ୍ଷରେ ଶାସକ ବିଜେପି ମଧ୍ୟ ଏହାର ଜବାବ ଦେବାକୁ ପୂର୍ଣ୍ଣରୂପେ ପ୍ରୟାସ କରୁଥିବା ଦେଖାଯାଉଛି। ଦେଖିବାର କଥା ଏହି ପ୍ରସଙ୍ଗଗୁଡ଼ିକ କେତେଦୂର ଗାଁର ଭୋଟରମାନଙ୍କ ମନ ଓ ହୃଦୟରେ ଭେଦୁଛି ଏବଂ ସେମାନେ ଏ ନେଇ ନିଜର ରାଜନୈତିକ ଚିନ୍ତାରେ କ’ଣ ପରିବର୍ତ୍ତନ ଆଣୁଛନ୍ତି । 

ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କ ପାଇଁ ସ୍ଥାନୀୟ ରାସ୍ତା, ପାଣି, ଆବାସ, ଭତ୍ତା, ଧାନର ଦର, ରୋଜଗାର, ସ୍ୱାସ୍ଥ୍ୟସେବା ଓ ସରକାରୀ ଯୋଜନାର ଉପଲବ୍‌ଧି ଭଳି ପ୍ରସଙ୍ଗ ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ଅନେକ ରାଜନୈତିକ ବିଶ୍ଳେଷକ ମନେକରନ୍ତି।

ପଞ୍ଚାୟତ ନିର୍ବାଚନ କେବେ ହେବ, ଏହା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇପାରେ। କିନ୍ତୁ ତାଠାରୁ ବଡ଼ ପ୍ରଶ୍ନ ହେଉଛି—ନିର୍ବାଚନ ହେଲେ କେଉଁ ଦଳ ଗାଁର ମନ ଜିତିବ? ବିଜେପି ପାଇଁ ଏହା ହେବ କ୍ଷମତାକୁ ଆସିବା ପରେ ନିଜର ଗ୍ରାମୀଣ ସଂଗଠନକୁ ପ୍ରମାଣ କରିବାର ପରୀକ୍ଷା। ବିଜେଡି ପାଇଁ ଏହା ହେବ କ୍ଷମତା ହରାଇବା ପରେ ନିଜର ପୁରୁଣା ଗ୍ରାମୀଣ ଦୁର୍ଗ କେତେଦୂର ସୁରକ୍ଷିତ ଅଛି, ତାହା ପ୍ରମାଣ କରିବାର ସୁଯୋଗ। ଆଉ କଂଗ୍ରେସ ପାଇଁ—ଏହା ହେବ ହରାଇଥିବା ଜନାଧାରର କିଛି ଅଂଶ ଫେରାଇ ଆଣିବାର ଏକ ବଡ଼ ସୁଯୋଗ।

ଶେଷରେ ନିର୍ବାଚନର ଫଳ କେବଳ ଦଳୀୟ ପ୍ରଚାର, ବଡ଼ ବଡ଼ ସଭା କିମ୍ବା ରାଜ୍ୟସ୍ତରୀୟ ନେତାଙ୍କ ଭାଷଣରେ ନିର୍ଣ୍ଣୟ ହେବ ନାହିଁ। ନିର୍ଣ୍ଣୟ ହେବ ଗାଁରେ। କେଉଁ ଦଳର କର୍ମୀ ଘରେ ଘରେ ପହଞ୍ଚିଛନ୍ତି, କେଉଁ ଦଳର ସ୍ଥାନୀୟ ନେତା ଲୋକଙ୍କ ସହ ଅଛନ୍ତି ଏବଂ କେଉଁ ଦଳ ଗ୍ରାମୀଣ ଭୋଟରଙ୍କ ଆଶା ଓ ଅସନ୍ତୋଷକୁ ସବୁଠାରୁ ଭଲ ଭାବରେ ବୁଝିପାରିଛି—ପଞ୍ଚାୟତ ନିର୍ବାଚନର ରାଜନୈତିକ ସମୀକରଣ ମୂଳତଃ ଏହି ତିନିଟି ପ୍ରଶ୍ନର ଉତ୍ତର ଉପରେ ନିର୍ଭର କରିବ।

ବି.ଦ୍ର. - ଏହା ଲେକଖଙ୍କ ନିଜସ୍ୱ ମତ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।