India-US Trade Deal First Tranche Finalised: ଆମେରିକା ସହ ଡିଲ୍କୁ ନେଇ ବଡ଼ ଖବର! ଭାରତକୁ ମିଳିବ କେତେ ଫାଇଦା ?
ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ନେଇ ଆସିଛି ବଡ଼ ଖବର। ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଥିବା ବେଳେ ଏବେ ଏହାର ଆଇନଗତ ଦସ୍ତାବିଜ ପ୍ରସ୍ତୁତି ଚାଲିଛି। ଗୁରୁବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ।
ଚୁକ୍ତିକୁ ଖୁବ୍ଶୀଘ୍ର ଚୂଡ଼ାନ୍ତ କରି କାର୍ଯ୍ୟକାରୀ କରିବା ନେଇ ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ। ତେବେ ଆମେରିକାରେ ଶୁଳ୍କ ବ୍ୟବସ୍ଥା ଚୂଡ଼ାନ୍ତ ହେବା ପରେ ହିଁ ଏହି ଚୁକ୍ତିରେ ସ୍ୱାକ୍ଷର ହେବ ବୋଲି କହିଛନ୍ତି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ। ଉଭୟ ଦେଶ ଏ ଦିଗରେ ସକାରାତ୍ମକ ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ କହିଛନ୍ତି ଯେ ଆଲୋଚନା ଏକ ନିଷ୍କର୍ଷ ଆଡ଼କୁ ଗତି କରୁଛି। ଭାରତ ଚାହୁଁଛି, ଆମେରିକା ବଜାରରେ ଭାରତୀୟ ସାମଗ୍ରୀକୁ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ତୁଳନାରେ ଭଲ ଶୁଳ୍କ ସୁବିଧା ମିଳୁ।
୨୦୨୫ ମସିହାରୁ ଉଭୟ ଦେଶ ଏହି ଚୁକ୍ତି ନେଇ ଆଲୋଚନା କରୁଛନ୍ତି। ଶୁଳ୍କ ବିବାଦ ଦୂର କରିବା, ବାଣିଜ୍ୟରେ ବାଧା କମାଇବା ଏବଂ ଉଭୟ ଦେଶର ବଜାରରେ ସାମଗ୍ରୀ ପ୍ରବେଶକୁ ସହଜ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଚୁକ୍ତି ସ୍ୱାକ୍ଷରର ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ଘୋଷଣା ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।