Indian Air Force: ସୁରକ୍ଷା ଆବଶ୍ୟକତାକୁ ଚାହିଁ ସାମରିକ କମାଣ୍ଡ ପୁନର୍ଗଠନ ହେବା ଉଚିତ: ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ଭାରତର ପ୍ରସ୍ତାବିତ ସାମରିକ କମାଣ୍ଡ ପୁନର୍ଗଠନ ବା 'ଥିଏଟରାଇଜେସନ୍' ଦେଶର ପ୍ରକୃତ ସୁରକ୍ଷା ଆବଶ୍ୟକତାକୁ ଆଧାର କରି ହେବା ଉଚିତ।
ଏହା ଅଧୀନରେ ଭାରତୀୟ ବାୟୁସେନା ର ଯୁଦ୍ଧବିମାନଗୁଡ଼ିକୁ ଭୌଗୋଳିକ ଅଞ୍ଚଳ ଅନୁସାରେ ସ୍ଥାୟୀ ଭାବେ ବାଣ୍ଟିଦେବା ଉଚିତ ନୁହେଁ ବୋଲି ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ ଏପି ସିଂହ କହିଛନ୍ତି।
ବିଦେଶୀ ମଡେଲ୍କୁ ଅନ୍ଧ ଭାବେ ଅନୁସରଣ ନ କରି ଭାରତର ରଣନୈତିକ, ଭୌଗୋଳିକ ଓ ସାମରିକ ପରିସ୍ଥିତି ଅନୁଯାୟୀ ଏହି ବ୍ୟବସ୍ଥା ଗଠନ କରିବାକୁ ସେ ମତ ଦେଇଛନ୍ତି।
Advertisment ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାରରେ ସିଂହ କହିଛନ୍ତି ଯେ, ଏହି ପୁନର୍ଗଠନର ମୂଳନୀତି ହେବ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ନିୟନ୍ତ୍ରଣ ଏବଂ ଉପଯୁକ୍ତ ସ୍ଥାନରେ ବିକେନ୍ଦ୍ରୀକୃତ କାର୍ଯ୍ୟାନୁଷ୍ଠାନ।
ଏହାଦ୍ୱାରା ଯେଉଁ ଅଞ୍ଚଳରେ ଯୁଦ୍ଧବିମାନର ଅଧିକ ଆବଶ୍ୟକତା ରହିବ, ସେଠାକୁ ଶୀଘ୍ର ଏହାକୁ ପଠାଇବା ସମ୍ଭବ ହେବ।
ଆକାଶରେ ଇନ୍ଧନ ଭରିବା ବ୍ୟବସ୍ଥା, ଦୂରଗାମୀ ଅସ୍ତ୍ର, ଆଧୁନିକ ସେନ୍ସର ଓ ଉପଯୁକ୍ତ ବିମାନଘାଟି ଜରିଆରେ ବାୟୁସେନା ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ନିଜର ଶକ୍ତି ପ୍ରୟୋଗ କରିପାରିବ।
୨୦୧୯ରେ ଘୋଷଣା କରାଯାଇଥିବା ଏହି ସାମରିକ ସଂସ୍କାରର ଉଦ୍ଦେଶ୍ୟ ହେଉଛି ସ୍ଥଳସେନା, ନୌସେନା ଓ ବାୟୁସେନାକୁ ଏକୀକୃତ କରି ଯୁଦ୍ଧ ସମୟରେ ସେମାନଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା।
ପ୍ରସ୍ତାବିତ ଯୋଜନାରେ ଚୀନ୍କୁ ମୁକାବିଲା କରିବା ପାଇଁ ଲକ୍ଷ୍ନୌରେ ଉତ୍ତର ଥିଏଟର କମାଣ୍ଡ, ପାକିସ୍ତାନର ମୁକାବିଲା ପାଇଁ ଜୟପୁରରେ ପଶ୍ଚିମ ଥିଏଟର କମାଣ୍ଡ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ତିରୁଅନନ୍ତପୁରମ୍ରେ ସାମୁଦ୍ରିକ ଥିଏଟର କମାଣ୍ଡ ଗଠନର ପରିକଳ୍ପନା ରହିଛି।
ତେବେ ଏହି କମାଣ୍ଡଗୁଡ଼ିକର ଗଠନ ଓ ସମ୍ବଳ ବଣ୍ଟନକୁ ନେଇ ତିନି ସେନା ମଧ୍ୟରେ ମତଭେଦ ଯୋଗୁଁ ଯୋଜନାର ଅଗ୍ରଗତି ମନ୍ଥର ହୋଇଛି।
ବିଶେଷକରି ସୀମିତ ସଂଖ୍ୟକ ଯୁଦ୍ଧବିମାନକୁ ବିଭିନ୍ନ କମାଣ୍ଡ ମଧ୍ୟରେ ବାଣ୍ଟିବା ନେଇ ବାୟୁସେନାର ଆପତ୍ତି ରହିଛି।
ଅପରେସନ୍ ସିନ୍ଦୂରର ଉଦାହରଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ, ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସମନ୍ୱିତ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ସାମରିକ ସମ୍ବଳର କେନ୍ଦ୍ରୀୟ ବଣ୍ଟନ ଏବଂ ଆବଶ୍ୟକତା ଅନୁଯାୟୀ ତାହାର ତ୍ୱରିତ ପୁନର୍ବିନ୍ୟାସ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।
ଭବିଷ୍ୟତର ଯୁଦ୍ଧ କିପରି ହେବ, ତାହାକୁ ନେଇ ଅତ୍ୟଧିକ ନିଶ୍ଚିତ ଅନୁମାନ କରିବା ପରିବର୍ତ୍ତେ ବଦଳୁଥିବା ପରିସ୍ଥିତି ସହ ଖାପ ଖୁଆଇପାରୁଥିବା ବ୍ୟବସ୍ଥା ଗଢ଼ିବା ଆବଶ୍ୟକ।
ଏତେ ବଡ଼ ସାମରିକ ପରିବର୍ତ୍ତନକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ଦରକାର, ଯାହାଦ୍ୱାରା ସେନାର ଯୁଦ୍ଧ ପ୍ରସ୍ତୁତି କୌଣସି ପରିସ୍ଥିତିରେ ପ୍ରଭାବିତ ନ ହୁଏ ବୋଲି ସିଂହ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।